ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁକ୍ତିରାଣୀ ଦେବତା ଙ୍କ ପ୍ରବନ୍ଧ ସାମାଜିକ ଗଣମାଧ୍ୟମ ଓ ଯୁବପିଢି

ସାମାଜିକ ଗଣମାଧ୍ୟମ ଓ ଯୁବପିଢି

                  ମୁକ୍ତିରାଣୀ ଦେବତା

ଆଧୁନିକତାର ପ୍ରଭାବରେ ସମାଜିକ ଗଣମାଧ୍ୟମ ଏବେ ବହୁ ଲୋକପ୍ରିୟ ହୋଇଉଠିଛି। ଅତ୍ୟାଧୁନିକ ସ୍ମାଟଫୋନ ଏବଂ ଟେକ୍ନୋଲୋଜିର ବ୍ୟାପକ ଉନ୍ନତି ଫଳରେ ଫେସବୁକ, ହ୍ୱାଟସଅପ, ଟୁଇଟର, ସ୍ନାପଚାଟ ଆଦି ଅନେକ ଆପ୍ ଏବେ ଦୈନନ୍ଦିନର ଜୀବନ ଚର୍ଯ୍ୟାରେ ନିତ୍ୟ ବ୍ୟବହାର୍ଯ୍ୟ ହୋଇଯାଇଛି। ଆବାଳବୃଦ୍ଧ ବନିତା ଏବେ ଏହି ସୋସିଆଲ ମିଡିଆରେ ଏକ ବନ୍ଦୀପ୍ରାୟ ଜୀବନ ଅତିବାହିତ କରୁଛନ୍ତି। ସାଂପ୍ରତିକ ପରିସ୍ଥିତିରେ ନିଃସଙ୍ଗ ଏକାକୀତ୍ୱବୋଧ ଜୀବନରେ ଖୁବ ଅନ୍ତରଙ୍ଗ ସାଥୀଟିଏ ବନିଯାଇଛି ଅତ୍ୟାଧୁନିକ ଆଣ୍ଡ୍ରଏଡ ଫୋନ। ଏହାଦ୍ୱାରା ଅବଶ୍ୟ ଖୁବ ସହଜରେ ଅନ୍ୟମାନଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇପାରୁୁଛି ସତ ପରନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ଏହା ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ କ୍ଷେତ୍ରରେ ବାଧା ସୃଷ୍ଚି କରୁଛି। ଆଜିର ଯୁବପିଢିମାନଙ୍କର କଥା ବ୍ୟକ୍ତ ନ କରିବା ହିଁ ବରଂ ଶ୍ରେୟସ୍କର ହେବ, ସେମାନଙ୍କର ଅଧିକାଂଶ ସମୟ ସେମାନେ ପ୍ରାୟତଃ ଏହି ସୋସିଆଲ ମିଡିଆରେ ହିଁ ଅତିବାହିତ କରୁଛନ୍ତି। ଅନେକ ଖଳପ୍ରବୃତ୍ତି ମାନସିକତାର ବ୍ୟକ୍ତିବିଶେଷ ଏହି ସାମାଜିକ ଗଣମାଧ୍ୟମର ଅନେକ ଅପବ୍ୟବହାର କରୁଛନ୍ତି। ଫେକଆଇଡି ଖୋଲି ଅନ୍ୟକୁ ଅଶ୍ଳୀଳ ବାର୍ତ୍ତା ପଠାଇବା, ଅନ୍ୟର ପ୍ରୋଫାଇଲକୁ ହ୍ୟାକ କରି ଲକ୍ଷଲକ୍ଷ ଟଙ୍କା ଲୁଟିନେବା ଏମାନଙ୍କର ଏକ ନିଶାରେ ପରିଣତ ହୋଇଯାଇଛି। ଅନ୍ୟମାନଙ୍କ ଆଖିରେ ଖୁବ ସହଜରେ ଧୂଳି ଦେଇ ସେମାନଙ୍କୁ ଠକିବାରେ ଏମାନେ ଖୁବ ପାରଙ୍ଗମ। 

ସାମାଜିକ ଗଣମାଧ୍ୟମ ଏବେ ଏକ ବ୍ୟାଧିରେ ପରିଣତ ହୋଇଗଲାଣି କହିଲେ ମଧ୍ୟ ଆଦୌ ଅତ୍ୟୁକ୍ତି ହେବ ନାହିଁ। ସାମାଜିକ ହେଉ ହେଉ ଅଧିକାଂଶ ଯୁବପିଢି କେତେବେଳେ ଯେ ସାମଗ୍ରିକ ରୂପେ ଅସାମାଜିକ ବନିଗଲେଣି ତାହା ସେମାନଙ୍କୁ ଏବେ ଅଗୋଚର। ନିଜ ମନର ଭାବକୁ ଏମାନେ ମୋବାଇଲ ମାଧ୍ୟମରେ ପରିପ୍ରକାଶ କରି ବାହ୍ୟିକ ସମ୍ପର୍କରୁ ନିବୃତ୍ତ ରହୁଛନ୍ତି। ପାରସ୍ପରିକ ଭାବେ ଭାବର ଆଦାନ ପ୍ରଦାନ, ବାର୍ତ୍ତାଳାପ କରିବାର ଶୈଳୀ ସେମାନେ ଶିକ୍ଷାଲାଭ କରିପାରୁନାହାନ୍ତି। 

ସାମାଜିକ ଗଣମାଧ୍ୟମର ଉଭୟ ସୁ-ପ୍ରଭାବ ଏବଂ କୁ- ପ୍ରଭାବ ଆମ ଜୀବନକୁ ଅଧିକାଂଶ ଭାବେ ପ୍ରଭାବିତ କରୁଥାଏ। ସାଂପ୍ରତିକ ଯୁଗରେ ଆତ୍ମହତ୍ୟାର କାରଣ ଲାଗି ମଧ୍ୟ କିଛି ପରିମାଣରେ ସୋସିଆଲ ମିଡିଆ ହିଁ ଦାୟୀ ଅଟେ। ଅଧିକାଂଶ ସମୟ ସ୍ମାଟଫୋନର ବହୁଳ ବ୍ୟବହାର ଦ୍ୱାରା ଆମେ ମାନସିକ ଅବସାଦର ଶିକାର ହୋଇଥାଉ। ସୋସିଆଲ ମିଡିଆରେ ଅନ୍ୟର ସୁଖୀ ଜୀବନକୁ ଦୃଷ୍ଟିଗୋଚର କରି ନିଜ ସହିତ ତାହାକୁ ଅଯଥାରେ ତୁଳନା କରି ହୀନମନ୍ୟତାର ଶିକାର ହେଇଥାଉ। ନିଜ ମନର ଭାବାବେଗକୁ ପରିବାରବର୍ଗଙ୍କ ସହିତ ବାଣ୍ଟି ନପାରି ନିଜକୁ ଖୁବ ଅସହାୟ ମଣୁ। ଆମର ଚିନ୍ତନ ଅନୁଯାୟୀ ଆମ ଅନ୍ତର୍ମନରେ ଏକ ବଦ୍ଧମୂଳକ ଧାରଣା ହୋଇଯାଇଥାଏ ଯେ ଆମର ଭାବନାକୁ କେହି ଜଣେ ହେଲେବି ବାସ୍ତବ ପକ୍ଷେ ହୃଦୟଙ୍ଗମ କରିପାରୁନାହାନ୍ତି। ଫଳରେ ନିଜକୁ ସମ୍ପୂର୍ଣ୍ଣ ରୂପେ ନିସ୍ୱ ଓ ଅଯୋଗ୍ୟ ମନେକରି ଆମେ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତିକୁ ଜୀବନରେ ଚୟନ କରିନେଇଥାଉ। ନିଜ ଆତ୍ମୀୟଗଣଙ୍କ କଥା ଥରୁଟିଏ ହେଲେ ସୁଦ୍ଧା ଆମେ ଚିନ୍ତା କରିନଥାଉ। ଯାହାକି ସମ୍ପୂର୍ଣ୍ଣ ରୂପେ ଅନୁଚିତ ଅଟେ।

ଏଣୁ ଉକ୍ତ ପ୍ରବନ୍ଧ ମାଧ୍ୟମରେ ମୋର ସମସ୍ତ ଯୁବବର୍ଗଙ୍କୁ ଏହି ବିଶେଷ ଅନୁରୋଧ ଯେ ସୋସିଆଲ ମିଡିଆ ଠାରୁ ଯଥେଷ୍ଟ ଦୂରତ୍ୱ ବଜାୟ ରଖନ୍ତୁ। ଯଦି ବି ଏହାର ଉପଯୋଗ କରୁଛନ୍ତି ତେବେ ଏହାର ଉଦ୍ଦେଶ୍ୟ ଉତ୍ତମ ହେବା ବାଞ୍ଛନୀୟ ଅଟେ। ଏହାର ଅପବ୍ୟବହାର ଆଦୌ ବି ସମୀଚୀନ ନୁହେଁ। ଏଥିଲାଗି ଆମମାନଙ୍କ ମଧ୍ୟରେ ସଚେତନତାର ବହୁଳ ଆବଶ୍ୟକତା ରହିଛି। ସଚେତନତା ଦ୍ୱାରା ହିଁ ଏହାର ନିରାକରଣ ସୁନିଶ୍ଚିତ ଭାବେ ସମ୍ଭବପର ହୋଇପାରିବ। ଆବଶ୍ୟକତା ଠାରୁ ଅଧିକ ସୋସିଆଲ ମିଡିଆର ବ୍ୟବହାର୍ଯ୍ୟ ଆମମାନଙ୍କ ନିମନ୍ତେ ଅହିତକର ସାବ୍ୟସ୍ତ ହୋଇଥାଏ।

    ମନ୍ଦାରଖଣ୍ଡ, ଯାଜପୁର

Related posts

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

ତୃପ୍ତିରାଣୀ ପାତ୍ର ଙ୍କ କବିତା ତୁମେ କଅଣ ?

Leave a Comment

error: Content is protected !!