ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଦଗ୍ଧ ଏ ହୃଦତଳେ ।।

।। ଦଗ୍ଧ ଏ ହୃଦତଳେ ।।

         

                 କୈଳାସ ଚ଼ନ୍ଦ୍ର ପାଢ଼ୀ 

ମଧୁଶାଳା ମୋତେ
ମୁଗ୍ଧ କରୁନି
          ଦଗ୍ଧ ଏ ହୃଦତଳେ,
କୋଟି ନିଦାଘର
ଅଗ୍ନି ହୁଳା ଯେ
          ହୁତୁହୁତୁ ହୋଇ ଜଳେ।।୧।।
ଏ ବେଳେ ଦେଖୁଛ
ସ୍ବପ୍ନ ଗୋ ତୁମେ
          ଦେହର ଦହନ କଥା,
ବୁଝିଛକି କେବେ
ଉଜୁଡ଼ା ଫୁଲର
          ଅନ୍ତର ତଳ ବ୍ୟଥା ।।୨।।
ଶବ୍ଦ-ଶିଳାରେ
ଗଢ଼ୁଅଛ ବସି
          ବିଦେହୀ ମଦନ ରୂପ,
ହୃଦ-ମନ୍ଦିରେ
ବସାଇ ପୁଜୂଛ
          ଦେଇ ଚ଼ନ୍ଦନ ଧୂପ ।।୩।।
ଲମ୍ପଟ ସେଇ
ଫଗୁଣକୁ ନେଇ
         ପ୍ରେମର-ପୂରବୀ ତୋଳ,
ଶ୍ରାବଣତ ଏକ
ଧର୍ଷିତା ଝିଅ
         ଲୁହ ଢାଳେ ଝର ଝର।।୪।।
ଦେଖିଛକି କେବେ
କଙ୍କାଳ ସାର
         ମଣିଷ ଆଖିର ଲୁହ
ପଢ଼ିଛକି ତାର
ହୃଦତଳ ବ୍ୟଥା
        ଅସହାୟତାର କୋହ ।।୫।।
ସମାଜ ଆଗରେ
ବାଢ଼ିଛକି କେବେ
         କରୁଣ କାହାଣୀ ତାର,
ଜୀବନ ଯେଉଁଠି
ପ୍ରତି ମୁହୂର୍ତ୍ତରେ
        କରୁଅଛି ହାହାକାର ।।୬।।
       

କୁମାର ପୁର , ଅନନ୍ତ ପୁର

ବାସୁଦେବ ପୁର , ଭଦ୍ରକ 

Related posts

ଆନ୍ଦୋଳନ ପାଇଁ ଧମକ ଦେଲା କୃଷକ ସାଥୀ ସଂଗଠନ 

Sunil Chandra Nayak

ପୋଲିସ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଖଡ଼ିଆଳ କଳାକାର ମାନଙ୍କ ବୈଠକ

Sunil Chandra Nayak

Leave a Comment

error: Content is protected !!