ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆଶୀର୍ବାଦ ପାଲଟିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା 

ବିଶାଖାପାଟଣା ଇଣ୍ଡସ ହସ୍ପିଟାଲରେ ହେଲା ସଫଳ ଅସ୍ତ୍ରୋପଚାର
ଧିରେଧିରେ ସୁସ୍ଥ ହେଉଛନ୍ତି ଦୁର୍ଗମ ମୁଷାନାଳର ପୁରୁଷୋତ୍ତମ

ଲାଞ୍ଜିଗଡ,୨୧/୦୯(ମନିସ)-  ଦୀର୍ଘ ଦୁଇବର୍ଷ ଧରି ପେଟରେ ଯନ୍ତ୍ରଣା ଯୋଗୁଁ ଅତ୍ୟନ୍ତ କଷ୍ଟ ଭୋଗୁଥିଲେ । ଧାରକରଜ କରି ବିଭିନ୍ନ ହସ୍ପିଟାଲ ଯାଇ ଚିକିତ୍ସା କରାଇଥିଲେ । ହେଲେ କିଛି ବି କାମ ଦେଇନଥିଲା । ପୁଅର ଚିକିତ୍ସା ପାଇଁ ପରିବାର ସର୍ବସ୍ୱାନ୍ତ ହୋଇ ପଡିଥିଲେ । ଏହିପରି ଜଣେ ଦୁଃସ୍ତ ଓ ନିରାଶ୍ରୟ ରୋଗୀର ସଫଳ ଅସ୍ତ୍ରୋପଚାର ପାଇଁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଶୀର୍ବାଦ ପାଲଟିଥିବାବେଳେ ଅସ୍ତ୍ରୋପଚାର ପରେ ସେ ଧିରେଧିରେ ସୁସ୍ଥ ହେଉଥିବା ଲକ୍ଷ୍ୟ କରାଯାଇଛି । ଗରିବ ଓ ଅସହାୟ ରୋଗୀଙ୍କ ଉଚ୍ଚତର ଚିକିତ୍ସା ପାଇଁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିବାବେଳେ ଏହାର ସୁଫଳ ଏବେ ମିଳିବାରେ ଲାଗିଛି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତ ଲାଞ୍ଜି ଗାଁର ବୁଡୁ ଦୋରାଙ୍କ ୨୩ ବର୍ଷୀୟ ପୁଅ ପୁରୁଷୋତ୍ତମ ଦୋରା । ଗତ ଦୁଇବର୍ଷ ହେଲା ପେଟରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ । ପରିବାର ଲୋକେ ଧାରକରଜ କରି ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଇଥିବାବେଳେ ଚିକିତ୍ସା ପାଇଁ ରାୟଗଡା ଜିଲ୍ଲା ବିଷମକଟକସ୍ଥିତ ଖ୍ରୀଷ୍ଟିୟାନ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ସହିତ ପୁରୁଷୋତ୍ତମଙ୍କ ପେଟରେ ଏକ ଟ୍ୟୁମର ବଢୁଥିବା ଓ ଏହାର ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ଦର୍ଶାଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ତେବେ ଅର୍ଥାଭାବ ଯୋଗୁଁ ବୁଡୁଙ୍କ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ନନେଇ ଘରକୁ ଫେରାଇ ଆଣିଥିଲେ । ତେବେ ଦିନକୁ ଦିନ ପୁରୁଷୋତ୍ତମଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଥିବାବେଳେ ଏ ସଂପର୍କରେ ପରିବାର ଲୋକେ ଓଡିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ କ୍ଲବର କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଖବର ପ୍ରସାରଣ ଅପେକ୍ଷା ରୋଗୀର ଚିକିତ୍ସା ଜରୁରୀ ହୋଇଥିବାରୁ ପ୍ରେସ୍ କ୍ଲବର ସମସ୍ତ କର୍ମକର୍ତ୍ତା ଉଚ୍ଚତର ଚିକିତ୍ସା ପାଇଁ ବିଶାଖାପାଟଣାର ସୁନାମଧନ୍ୟ ଇଣ୍ଡସ ହସ୍ପିଟାଲ ସହିତ ଯୋଗାଯୋଗ କରିଥିଲେ । ସଂପୃକ୍ତ ହସ୍ପିଟାଲ ଗରିବ ରୋଗୀଙ୍କ ଚିକିତ୍ସା ପାଇଁ ରାଜି ହେବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅସ୍ତ୍ରୋପଚାର କରିବାକୁ ରାଜି ହୋଇଥିଲେ । ଏହାପରେ ପ୍ରେସ୍ କ୍ଲବର ସକ୍ରିୟ ସଦସ୍ୟ ତଥା ଯୁବ ସମାଜସେବୀ ଓ ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା ରୋଗୀଙ୍କ ଦାୟିତ୍ୱ ନିଜେ ନେଇ ବିଶାଖାପାଟଣା ଯାଇଥିଲେ । ସେଠାରେ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବା ସହିତ ପୁରୁଷୋତ୍ତମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଏହାପରେ ଆବଶ୍ୟକୀୟ ପରୀକ୍ଷା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁରୁଷୋତ୍ତମଙ୍କ ଅସ୍ତ୍ରୋପଚାର ପାଇଁ ଏକ ଟିମ୍ ଗଠନ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଇଣ୍ଡସ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଏସ୍‌. ଶ୍ରୀଧରଙ୍କ ନେତୃତ୍ୱରେ ଏକ ଟିମ୍ ପୁରୁଷୋତ୍ତମର ସଫଳ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ ପୁରୁଷୋତ୍ତମଙ୍କ ପେଟରୁ ପ୍ରାୟ ଏକ କିଲୋଗ୍ରାମର ଟ୍ୟୁମରକୁ ବାହାର କରିଦିଆଯାଇଥିବାବେଳେ ଧିରେଧିରେ ପୁରୁଷୋତ୍ତମ ସୁସ୍ଥ ହେଉଥିବା ଜଣାପଡିଛି । ତେବେ ରୋଗୀଙ୍କ ପାଖରେ ରହି ଯୁବସମାଜସେବୀ ଶ୍ରୀ ପଣ୍ଡା ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ସହିତ ରୋଗୀର ସେବାଯତ୍ନ କରୁଥିବା ଲକ୍ଷ୍ୟ କରାଯାଇଛି । ସଫଳ ଅସ୍ତ୍ରୋପଚାର ସହିତ ପୁଅର ଜୀବନ ରକ୍ଷା କରିବା ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବୀମା କାର୍ଡ କାମରେ ଆସିଥିବାରୁ ବୁଡୁ ଦୋରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ, ଲାଞ୍ଜିଗଡ ପ୍ରେସ୍ କ୍ଲବ ଓ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ଅପରପକ୍ଷରେ ପୁରୁଷୋତ୍ତମଙ୍କ ସଫଳ ଅସ୍ତ୍ରୋପଚାର ପରେ ଲାଞ୍ଜିଗଡ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ଉପସଭାପତି କ୍ଷମାନିଧି ମହାକୁଡ, ସାଧାରଣ ସଂପାଦକ ସୁଶୀଲକୁମାର ବାଗ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍ ଚନ୍ଦ୍ରଶେଖର, ରମେଶ କୁମାର ନାୟକ, କୋଦଣ୍ଡଧର ପ୍ରଧାନ, ଆଶୁତୋଷ ପୁରୋହିତ, ଶଙ୍କର ସାହୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

Related posts

ଭୀମଭୋଇ ମେଡ଼ିକାଲରେ ସହଯୋଗ ଫାଉଣ୍ଡେସନ ପକ୍ଷରୁ ଖାଦ୍ଯ ବ୍ଯବସ୍ତା: ଅରୁଣ ସାହୁଙ୍କ ସ୍ମୃତିରେ ରକ୍ତଦାନ

Sunil Chandra Nayak

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା କମିଟି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଭଲ ଖବର – ଆଜି ଠୁଁ କଲମପୁର ଗୋଷ୍ଟି ସ୍ୱସ୍ଥ୍ୟ କେନ୍ଦ୍ରରେ ମିଳିବ ଜଳାତଙ୍କ ଟୀକା

Sunil Chandra Nayak

Leave a Comment

error: Content is protected !!