ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ବିଧୁର ବସନ୍ତ

ବିଧୁର ବସନ୍ତ

ବେଣୁଧର ସୂତାର

 ମନ ଉପବନେ ଫୁଲର ସପନେ
ଆସୁନାହିଁ ପ୍ରଜାପତି
ବୟସ ବଢିଲେ ଫଗୁଣ ଫେରଇ
ଫିକା ପଡେ ଜହ୍ନରାତି ।।
ମଧୁ ସରିଗଲେ ମଧୁପ କି ଲୋଡେ
ମଧୁର ଚୂମ୍ବନ ପାଇଁ
ରାତି ସରିଗଲେ ସପନ ଆସେନା
ଜହ୍ନ ଝୁରୁଥାଏ କଇଁ
ବକୁଳ କୁଞ୍ଜରେ କୋକିଳ ଗାଏନା
ଫୁଲ ଫଗୁଣର ଗୀତି
ବୟସବଢିଲେ ଫଗୁଣଫେରଇ ।।
ତଟିନୀ ବହଇ ଆନମନା ହୋଇ
ସାଗରେ ମିଶିବା ପାଇଁ
ଏକୂଳେ ବୟସ ସେକୂଳେ ପୀୟୂଷ
ପାରୁନି ତ ତାକୁ ଛୁଇଁ 
ଶ୍ରାବଣ ଭୁଲିଛି ମଉସୁମୀ ପ୍ରେମ
କଦମ୍ବର ହସନାହିଁ
କମଳ ଲୋଡୁନି ତପନ ପୀରତି
ବୟସ ଯାଉଛିଧାଇଁ
ନୀଳ ନୟନାର ଗୋଲପି ଅଧର
ଚୁମୁନି ଶୃଙ୍ଗାର ତାତି
ବୟସବଢିଲେ ଫଗୁଣଫେରଇ ।।
ପ୍ରୀତି ମଞ୍ଜୁଷାର ଗୋପନ ଗବାକ୍ଷେ
ନୟନ ଯାଉନି ଲାଖି
ବିଜନ ବେଳାରେ ସପନ ସୁନ୍ଦରୀ
ଆଉ ମାରୁନାହିଁ ଆଖି
ନଲୋଡେ ଅଳିନ୍ଦ ମଧୁ ମକରନ୍ଦ
ଗନ୍ଧହୀନ ଅପଘନ
ଫେରଛି ବୟସ ସପନ ସାଥିରେ
ଅପହୃତ ଯଉବନ
ପରବାସୀ ପ୍ରିୟ ଆଗମନେ ପ୍ରିୟା
ମାଦକେ ଉଠୁନି ମାତି
ବୟସବଢିଲେ ଫଗୁଣଫେରଇ ।।
ନୂଆ ପତରରେ ମଧୁପ୍ରୀତିଗୀତି
ଗାଉନି ବାସନ୍ତୀ ରାତି
ଚନ୍ଦ୍ରସେଣାର ପୌରୁଷ ଉଠୁନି
ନିଶୀଥ ସ୍ବପ୍ନରେ ମାତି
ଉଚ୍ଚାଟ କରୁନି ତନୁମନ ପ୍ରାଣ
ପ୍ରୀତିର ମୋହନ ରାଗ
ବିଲୁପ୍ତ ଯୌବନ ଛାଡିଦେଇ ଗଲା
ଅମିତ ଯନ୍ତ୍ରଣା ଦାଗ
ଅଧୁରା ରହିଲା ବିଧୁର ବସନ୍ତେ
ବୟସର ପ୍ରତିଶ୍ରୁତି 
ବୟସବଢିଲେ ଫଗୁଣଫେରଇ ।।

କେଶଦୁରାପାଳ

କେନ୍ଦୁଝର

Related posts

ଡଃ ନବୀନ କୁମାର ସାହୁ ଙ୍କ ଶ୍ରାଦ୍ଧ ଦିବସ ଓ କବିତା ପାଠୋତ୍ସବ

Sunil Chandra Nayak

କେତେବେଳେ ହନୁମାନ ତୁଳସୀ ଦାସଙ୍କ ସମ୍ମୁଖରେ ପ୍ରକଟ ହେଲେ

Sunil Chandra Nayak

ଏଥର ଗାଁରୁ ଶୁଭିବ ସମାଜ ପରିବର୍ତ୍ତନର ସ୍ୱର, ଘରେଘରେ ପହଞ୍ଚିବ ବାବାସାହେବଙ୍କ ଚିନ୍ତାଧାରା

Leave a Comment

error: Content is protected !!