ଶ୍ରାବଣୀ
ଉପେନ୍ଦ୍ର କୁମାର ବସ୍ତିଆ
ତୁମେଗୋ ଶ୍ରାବଣୀ ବରଷା ରାଣୀ
ନବ ବଧୁ ପରି ତୁମେ
ପାଦ ଥାପି ଥାପି ଧରା ପୃଷ୍ଠେ
ଆସ ପକାଇ ଲମ୍ବା ଓଢ଼ଣୀ ।
କେତେବେଳେ ମାଟି ଗନ୍ଧ
ଆଉ କେବେ ରତି ଗନ୍ଧ
ଜୀବ ଜଗତ ଖୋଜେ
ତୁମର ସେ ପ୍ରେମର ମୋହକୁ
ତୁମର ଆଖିର ଛଟା କରେ
ଆହ୍ଲାଦିତ, ଶଙ୍କି ଯାଏ ଦେଖି
ତୁମର ସେ ରୁଦ୍ରାଣୀ ରୂପକୁ ।
ତୁମୋ ତ ଅଦମନୀୟା
ପଦ୍ମିନୀ ଗନ୍ଧା ,ଭାସିଯାଏ
ତାର ସ୍ବପ୍ନ ସବୁର କଳ୍ପନା
ତଥାପି ଅନାଇ ଥାଏ ତୁମକୁ
ଚାତକ ପରି ନ ହୋଇ ଆନମନା ।
ମଣିଷ ଜୀବନିକା ପାଇଁ ହଳ
ଲଙ୍ଗଳ ଧରି ଉଦ୍ୟତ ,
ତୁମେତ ପୂର୍ଣ୍ଣଗର୍ଭା କେତେ
ବେଳେ ତା ଚିନ୍ତାରେ
ହୁଅ ତୁମେ ଉନ୍ମାଦିତ।
ହେ ଇନ୍ଦ୍ରାଣୀ !ତୁମର ଚାଲିରେ
କୁଳୁକୁଳୁ ଝରଣା ନିର୍ଝର,
ନଦୀର କୁହୁକୁହୁ ତାନ,
ସମୁଦ୍ର ଲହରୀର ଉତ୍କଣ୍ଠିତଗାନ ।
ବେଙ୍ଗୁଲୀର ବିରହୀ ଉଦାର,
ଗୋଲାପ ପାଖୁଡାର
ଟୋପା ଟୋପା ଧାର ,
ପିଲାଙ୍କ କାଗଜ ଡଙ୍ଗାର ଖେଳ
ଗାଆଁଦାଣ୍ଡେ କେତେ କୋଳାହଳ ।
ହେ ଶ୍ରାବଣୀ ଦିଶିଯାଏ ଗାଆଁ
ଗଣ୍ଡା ମାନଙ୍କରେ ନଦୀର ପ୍ରବଳ
କବି ଲେଖନୀରେ ତିମିର ପ୍ରସାର
ସୁଖ ଦୁଃଖର ଚିରନ୍ତନି ସ୍ୱର
ତଥାପି ତୁମପାଇଁ ମଣିଷ ବିଭୋର
ଦେଖି ତୁମ ମାନବୀୟ ସମ୍ଭାର ।
ରାଉରକେଲା