ଜୟପାଟଣା:୧୭/୧୦ ଭାରତରେ ଇଣ୍ଟିଗ୍ରେଟେଡ୍ ଶିଶୁ ବିକାଶ ସେବା (ଆଇସିଡିଏସ) ହେଉଛି ବିଶ୍ବର ସର୍ବ ବୃହତ ଇଣ୍ଟିଗ୍ରେଟେଡ୍ ବାଲ୍ୟକାଳ କାର୍ଯ୍ୟକ୍ରମ ଏବଂ ଓଡିଶାରେ ପ୍ରାୟ ୭୧,୦୦୦ ଅନୁମୋଦିତ କେନ୍ଦ୍ର ଅଛି ଯାହା ସାରା ରାଜ୍ୟରେ ସେବା ଯୋଗାଇଥାଏ ।
ଦେଶର ଶିଶୁ ଓ ଗର୍ଭବତୀ ମାଁ ମାନଙ୍କର ମୃତ୍ୟୁହାର ଓ ଅସୁରକ୍ଷିତ ଦୃଷ୍ଟିରୁ ସୁରକ୍ଷା ପ୍ରଦାନ ପାଇଁ ୧୯୭୫ ମସିହାରେ ଆଇସିଡିଏସ ର ଆରମ୍ଭ କରାଯାଇଥିଲା ।ଏହାର ମୁଳଲକ୍ଷ୍ୟ ଦେଶ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା ଏବଂ ବର୍ତ୍ତମାନବି ରହିଛି ।୦-୬ ବର୍ଷ ବୟସର ପିଲାମାନଙ୍କର ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା,ଶିଶୁର ଉପଯୁକ୍ତ ମାନସିକ, ଶାରୀରିକ ଏବଂ ସାମାଜିକ ବିକାଶ ପାଇଁ ମୂଳଦୁଆ ପକାଇବା,ମୃତ୍ୟୁହାର, ରୋଗ ଏବଂ ପୁଷ୍ଟିହୀନତା ହ୍ରାସ କରିବା,ଶିଶୁ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ନୀତି ଏବଂ କାର୍ଯ୍ୟାନ୍ୱୟନର ପ୍ରଭାବଶାଳୀ ସମନ୍ୱୟ ହାସଲ କରିବା,ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଶିଶୁର ସାଧାରଣ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଆବଶ୍ୟକତାକୁ ଦେଖିବା ପାଇଁ ମାତା ଯତ୍ନ ପ୍ରଦାନକାରୀଙ୍କ ଦକ୍ଷତା ବୃଦ୍ଧି କରିବା,ଆଇସିଡିଏସ ହିତାଧିକାରୀ ଏବଂ ସେବାଗୁଡିକ ଉପରୋକ୍ତ ଉଦ୍ଦେଶ୍ୟଗୁଡିକ ହାସଲ କରିବା ପାଇଁ ପିଲାମାନଙ୍କର ବହୁମୁଖୀ ଏବଂ ପାରସ୍ପରିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ୬ ଟି ସମନ୍ୱିତ ସେବାର ଏକ ବିସ୍ତୃତ ପ୍ୟାକେଜ୍ ପ୍ରଦାନ କରାଯାଇଥିଲା ।ଅଙ୍ଗନୱାଡି କେନ୍ଦ୍ର ଏହି ସେବାଗୁଡିକର ବିତରଣ ପାଇଁ ଏକ କେନ୍ଦ୍ର ବିନ୍ଦୁ ଅଟେ । ଦେଶର କୋଣ ଅନୁକୋଣରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । କିନ୍ତୁ ଆମ ରାଜ୍ୟରେ ଯୋଜନାର ଆଶାନୁରୂପ ସୁଫଳ ମିଳି ପାରୁନଥିବା ପ୍ରତ୍ୟକ୍ଷଦର୍ଶୀ କହନ୍ତି । ଅଭିଯୋଗ ଅନୁଯାୟୀ ରାଜ୍ୟର ପ୍ରକଳ୍ପରେ କାର୍ଯରତ କର୍ମଚାରୀଙ୍କ କାର୍ଯକଳାପକୁ ଦେଖିଲେ କାହିଁ ଲାଗେନାହିଁ ଏମାନଙ୍କର ମୂଳ ଉଦ୍ଦେଶ୍ୟ ବିଷୟରେ ଜଣାଥିବ ।
କାଳାହାଣ୍ଡି ଏହି ମଧ୍ୟରୁ ଅନ୍ୟତମ । ଜିଲ୍ଲାରେ ଇତି ପୂର୍ବରୁ ଅନାହାର ଜନିତ ମୃତ୍ୟୁ, ପିଲାବିକ୍ରି ପରି ହୃଦୟ ବିଦାରକ ଦୃଶ୍ୟ ଦୁନିଆ ଦେଖିସାରିଛି । ଅବଶ୍ୟ ବର୍ତ୍ତମାନର ପରିସ୍ଥିତି ପୂର୍ବାପେକ୍ଷା ଉତ୍ତମ । ତଥାପି ଗ୍ରାମାଞ୍ଚଳରେ ଅଭାବି ଗରିବ ବେରୋଯୋଗାରି ଦାଦନ ଖଟିବାରେ ଶ୍ରେୟ ମନେକରେ ।ଏପରି ଏକ ଜିଲ୍ଲାରେ ସରକାରଙ୍କର ଶିଶୁ ବିକାଶ ପ୍ରକଳ୍ପ ଫସର ଫାଟିବା ଜନସାଧାରଣଙ୍କୁ ବ୍ୟଥିତ କରେ । ଏହାର ନଗ୍ନ ଚିତ୍ର ଜିଲ୍ଲାର ଜୟପାଟଣା ବ୍ଳକରେ ଦେଖିବାକୁ ମିଳେ । ଅଭିଯୋଗ ଅନୁଯାୟୀ ଏହି ବ୍ଳକରେ ଶିଶୁ ବିକାଶ ପ୍ରକଳ୍ପ ଦ୍ବାରା ସନ୍ତୋଷଜନକ ସୁଫଳ ମିଳୁନାହିଁ । ଅଣ୍ଡା ବଣ୍ଟନ,ସୁଷମ ଖାଦ୍ୟ ଆବଣ୍ଟନ ତଥା ବିଶେଷକରି ଯେଉଁ ଛତୁଆ ବଣ୍ଟନ ହେଉଛି ମାନବିକତାର ଚରମ ସୀମା ପାର କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକଟ ପାଇଛି । ଦେଶର ଭବିଷ୍ୟତ କମୋଳମତି ଶିଶୁର ଖାଦ୍ୟକୁ ପଶୁଙ୍କର ଖାଦ୍ୟ ପାଇଁ ବ୍ୟବହାର କରାଯାଉଥିବା ସଙ୍ଗୀନ ଅଭିଯୋଗ ହେଉଛି । ଲୋକେ ଏହି ଛତୁଆ ପ୍ୟାକେଟ ଘରଘର ବୁଲି ହିତାଧିକାରୀଙ୍କ ପାଖରୁ ମାତ୍ର ୨୦ଟଙ୍କା ମୂଲ୍ୟରେ ପାଇ ଯାଉଥିବା ଜଣାପଡ଼ିଛି । ଏହାକୁ ଗୋଖାଦ୍ୟ ଆକାରରେ ଵ୍ୟଵହାର କରାଯାଉଛି । ଲାଭଖୋର ଛତୁଆ ଯୋଗାଣକାରୀ ଡିଲର୍ସମାନେ ନିମ୍ନମାନର କଞ୍ଚାମାଲ ବ୍ୟବହାର କରି ଏହାର ପ୍ରସ୍ତୁତ କରାଯାଉଥିବା ଏପରିକି ପୋକଡ଼ା ଗହମ,ପୋକଡ଼ା ବୁଟ,ପୁରୁଣା ଚିନାବାଦାମ ବ୍ୟବହାର କରୁଥିବାରୁ ନିମ୍ନମାନର ଛତୁଆ କୋମଳମତି ଶିଶୁଙ୍କୁ ରୁଚୁନଥିବା ଏବଂ ଏହାକୁ ବ୍ୟବହାର କରିବା ପାଇଁ ମଧ୍ୟ ଅଭିଭାବକମାନେ କତରଉ ଥିବା ଅଭିଯୋଗ ହେଉଛି । ଅର୍ଥ ଉପାର୍ଜନ ପାଇଁ ଦେଶର ଭବିଷ୍ୟତ ମାନଙ୍କର ଜୀବନ ସହିତ ଖେଳୁଥିବା ବ୍ୟବସାୟୀ ବିଶେଷକରି ଏହି ଖାଦ୍ୟକୁ ଯେଉଁ ବିଭାଗୀୟ କତ୍ତୃପକ୍ଷ ଅନୁମୋଦନ କରୁଛନ୍ତି ଦେଶ ମାତୃକା ପାଇଁ ଅତ୍ୟନ୍ତ ଦୁଃଖଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ରାଜ୍ୟ ସରକାର ଏହି ପ୍ରକଳ୍ପର ଗୁରୁତ୍ୱକୁ ହୃଦୟଙ୍ଗମ କରି ସ୍ୱଚ୍ଛତା ଦୃଷ୍ଟିରୁ ଏହାକୁ ୫ଟି ଅଧୀନରେ ନେଇଥିବା ଦେଖିବାକୁ ମିଳିଛି । ଯେଉଁମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱର ଦୁରୁପଯୋଗ କରୁଛନ୍ତି ସରକାର ଯତ୍ନବାନ ହୋଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ବିଧାନକରି ଲୋକଙ୍କର ଆସ୍ଥା ଭାଜନ ହେବାପାଇଁ ଦାବି ହେଉଛି ।
ଜଗମୋହନ ପଟ୍ଟନାୟକ
(ବରିଷ୍ଠ ସାମ୍ବାଦିକ)
ଜୟପାଟଣା, କାଳାହାଣ୍ଡି