ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ତନ୍ମୟ କିଶୋର ଦାସ ଙ୍କ କବିତା// ନୂଆବର୍ଷ

  ନୂଆବର୍ଷ

                   ତନ୍ମୟ କିଶୋର ଦାସ 

ଠିକ ରାତି ବାରଟା ପରେ
ମିଶ୍ର ବାବୁଙ୍କ ସବା ବଡ଼ ଝିଅ
ଉଠିଲା ହଠାତ ଚିଲେଇ
ଟିଭି ଦେଖୁ ଦେଖୁ
ସୋଫା ଉପରେ ମୁଁ
ପଡ଼ିଥିଲି ଯେବେ ଢୁଳେଇ l
ଚଟ କିନା ମୋ ନିଦ ଭାଙ୍ଗିଗଲା
ଟିଭି ପରଦାରେ ସୁନ୍ଦରୀଙ୍କ ମେଳା
ନୂଆବର୍ଷର ଅଭିନନ୍ଦନ
ଗୀତଟିର ସୁର ଲମ୍ବେଇ
ଡ୍ରିଲ କଲା ପରି ଚାଲୁଥିଲା ବେଳେ
ବୁଝିଗଲି ସବୁ,ହଠାତ କାହିଁକି
ସିଏ ହେଉଥିଲା ଫୁଲେଇ l
ତାଙ୍କ ଘର କାନ୍ଥ
ମୋ ଘର କାନ୍ଥ ଗୋଟାଏ
ମୋ ଘର ଫୁଟଣ
ତାଙ୍କ ଘରେ ବାସ ଛୁଟାଏ
କାନ ମୁଁ ଡେରିଲି
ମିଶ୍ର ବାବୁଙ୍କ ପାଟି ମୁଁ ବାରିଲି
କହୁଥିଲେ ବୋଧେ
ପିଲାଙ୍କୁ ତାଙ୍କର ନିଠେଇ
ବୁଝିଲ ପିଲାଏ,ସବୁ ମିଳି ପାରେ
ଏମିତି ବେଳା କି ଆଉ ଆସିପାରେ
ରାତି ପାହିଯାଉନିଶ୍ଚୟ ତୁମକୁ
ତୁମର ମମି କୁ
ନେବି ମୁଁ ଦୂରକୁ ବୁଲେଇ l
ବିରିୟାନୀ ଅବା ଚିକେନ ପକୋଡା
ଯାହା ବି ଖାଇବା ବାହାରେ
ଏଇ ଶୁଭୁଛି ନା ନାହିଁ
କଥା ଦୋହରାଇ
ମିଶ୍ର ବାବୁଙ୍କ ସହଧର୍ମିଣୀ
କହିଲେ ବଡ଼ ବାଗରେ l
ସବା ସାନ ଝିଅ ଭାରି ସୁନ୍ଦରୀ
କଥାରେ କଥାରେ ସେ ହୁଏ ନଖରୀ
ଖାଇବା ଠାରୁ ତା ନାଇବା ବଡ଼
ସଜ ହୁଏ ସତେ ଦଶ’ରା ମେଢ଼
କହିଲା ଡାଡିଙ୍କୁ ଶୁଣେଇ
ବୁଝିଲ ନା ଡାଡି
ତୁମେ ଯାହା ମୋତେ କଥା ଦେଇଥିଲ
ନୂଆବର୍ଷ ରେ କିଣି ଦେବାପାଇଁ
ଖାଣ୍ଟି ସୁନାହାର
ଜାଣି ଥା, ନ ଦିଅ ଯେମିତି ଭୁଲେଇ l
ମୁଁ ଉପରକୁ ଚାହିଁଲି
ଟିକେ ମୁହଁ ବୁଲେଇ
ଠାଏଁ ଠାଏଁ ଛାଡ଼ିଲାଣି
ଛାତ ତଳ କଲେଇ
ସ୍ତ୍ରୀ ଟା ବି ଏମିତି
ନିତି ତାକୁ କାଶ କଫ
ଭଗାରୀ ତା ସାଜୁଛି
ଗୋଟେ ଗଳାମାଳି ମୋର
ନିତି ପେଟ ରୋଗ ତା’ର
ଏମିତି ସଂସାର ଟିଏ
ବୁଲେ ମୁଁ ଯେ ମୁଣ୍ଡେଇ l
ମୁଁ ନୁହେଁ ଏମିତି କେତେ ଲୋକ
ଆଖି ଲୁହେ ଦେଇ ବୋକ
ସପନକୁ ସଜେଇ
ଭିକାରୀ ବା ବାରବୁଲା
ବଞ୍ଚିବାର ରାହା ଖୋଜେ
ଢୋକେ ପି ଦଣ୍ଡେ ଜିଏଁ
ରହିବାକୁ ଠା ନାହିଁ
କାହା ଦାଣ୍ଡ ପିଣ୍ଢା ଟାରେ
ପଡେ ପୁଣି ପେଟେଇ l
ଗୋଟେ ପଟେ ମିଶ୍ର ବାବୁ
ଆର ପଟେ ମୁଁ ଆଉ ସେମାନେ
ଗୋଟେ ପଟେ ମଉଛବ
ଆର ପଟେ ବଞ୍ଚିବାର ସନ୍ଧାନେ
ଧାଉଁଥିବା ବେଳେ
ନୂଆବର୍ଷ ଆପଣାକୁ ନୂଆ ରୂପେ ସଜେଇ
କାହାପାଇଁ ରଙ୍ଗ ମାଖେ
କାହା ଠାରୁ ପୁଣି ସିଏ
ନିଏ ମୁହଁ ଫେରେଇ l
ହେଲେ…
ମୋ ଅଗଣା କଦମ୍ବ ଗଛରେ
କେତେ ଚଢେଇଙ୍କ ବସା
ବଡ଼ସାନ ଭେଦ ଭାବ ଭୁଲି
ସଭିଙ୍କୁ ସେ ଆଦର ରେ
ନିଏ ଯେବେ କୋଳେଇ
ମୋତେ ଲାଗେ ନୂଆବର୍ଷ
ସେଇ କଦମ୍ବ ଗଛ ଟି
ସେଠି ନାହିଁ ଚିଲିକାର ମାଛ
ଆଉ ଆକାଶ କଇଁଆ ପ୍ରଭେଦ
ମିଶ୍ର ବାବୁ ପରିବାର,
ମୋ ଜୀବନ ଦରପୋଡା ଅସ୍ଥି ମେଦ
ସବୁ ସେଠି ଏକାକାର
ଧନୀ ଓ ଗରିବ ବେଭାର
ସାଗର ଟି ସିଏ
      ଲାଗେ ଯେହ୍ନେ
ତା ‘ର ପାଶେ
ସବୁ ନଈ ଯାଇଛି ତ ବହି….. I

      ନେମାଳ, କଟକ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି  ଙ୍କ କବିତା = ଜୟ ଶ୍ରୀରାମ

Sunil Chandra Nayak

ରଞ୍ଜିତା ପତି ଙ୍କ କବିତା l l l ଶୀତ l l l

Sunil Chandra Nayak

Leave a Comment

error: Content is protected !!