ମନେ ପଡେ ଦେଖି ବ୍ରାହ୍ମଣୀକୁ
ଚିତ୍ତ ରଞ୍ଜନ ନନ୍ଦ
ସୁନ୍ଦରତମ ସୃଷ୍ଟିରେ ତୁମ ଇଛା ପ୍ରଭୁ
ଜଗନ୍ନାଥ, ନରହୁ କାହାର କ୍ଳେଶ
ତୁମ ଇଛା ସବୁରି ମନରୁ ଯାଉ ଘୁଞ୍ଚି
ରାଗ, ହିଂସା ଈର୍ଷା ଓ ଦ୍ୱେଷ |୧|
ସ୍ତୁତି ଆରାଧନା କି ଅବା କରିବି ହେ ଜଗା
ମୋର, ତୁମେ ତ ବ୍ରହ୍ମାଣ୍ଡ ଠାକୁର,
ତୁମର ସୁଗନ୍ଧ ମହକେ, ମୁଁ ତ ପ୍ରକାଶିତ ଓ
ଆଲୋକିତ ତୁମ ଅଖଣ୍ଡ ଜ୍ୟୋତିର |୨|
ସେ ଜ୍ୟୋତିରେ ଆସିଥିଲା ବେଳେ ଖୁସିଥିଲା
ଫେରିବା ସମୟେ ହେବ କାନ୍ଦ
ଦେଇଛ ଏ ରୂପ ଯୌବନ ଦୁଇ ଦିନିଆଁ, ଫେରି
ଯିବି ଏକା ଜାଣିଛ ହେ କୃଷ୍ଣ ଗୋବିନ୍ଦ |୩|
ଦେଖି ଆସୁୁଛି ମୁଁ ପିଲାଦିନୁ ମୋ ଗାଁ
ପାଖ ବ୍ରାହ୍ମଣୀ ନଦୀକୁ,
ସମୟ ସ୍ରୋତରେ ବୋହି ଯାଉଅଛି
ଗନ୍ତବ୍ୟ ସ୍ଥଳେ ପଡିବାକୁ |୪|
ଶିଖିଛି ତୋଠୁ, କିଛି ନକହି କରୁଥିବି
କିଛି, କିଛି କିଛି ପ୍ରତିଦିନ
ବତୀ ଖୁଣ୍ଟ ହୋଇ ମୋତେ ଦେଖାଉ
ଆଲୋକ ଚାଲୁଛି ଦୈନନ୍ଦିନ |୫|
କେବେ କି ମନେ ପଡ଼େ ବ୍ରାହ୍ମଣୀ, ମୋର
ସେଇ କୁନି ବାଳକ ଅବସ୍ଥା
ଏବେ ବି ବୋହୁଛୁ, ସେବେ ବି ଥିଲୁ, ତୋ
ପାଖେ ମୁଁ ନୁଆଁଏ ମୋ ମଥା |୬|
ମନେ ପଡେ ଦେଖି ବ୍ରାହ୍ମଣୀକୁ, କିପରି
ବାର ବରଷର ବାଜି ରାଉତ,
ମନରେ କି ଥିଲା ସାହାସ ଦେଶଭକ୍ତି ତା’ର,
ନଉକା ବାହେ ବାଳୁତ ସୁତ |୭|
ଦେଖି, ମନରେ ଅସୀମ ସାହାସ ଓ ପ୍ରବଳ
ଦେଶଭକ୍ତିର ଧ୍ୟାନ ତା’ର,
ଓଡ଼ିଆ ପୁଅର ବୀରତ୍ୱରେ ଫିକା ପଡିଯାଇ
ଥିଲା ବ୍ରିଟିଶ ଫଉଜ ଧାର |୮|
ଧନ୍ୟ ବ୍ରାହ୍ମଣୀ ନଦୀ, ଦେଖି ତୋତେ ମନେ
ପଡେ ବାଜି ରାଉତଙ୍କ ଗାଥା
ଭୁଲି ଯାଆନ୍ତି ଜନତା, ତୋର ଚିର ଅଭୁଲା
ସ୍ମୃତି, ସାହାସୀ ବାଳକ କଥା |୯|
କର୍ମ କରୁ କରୁ ନିଶ୍ଚୟ ଆସିବ ବହୁ ବାଧା
ବିଘ୍ନ ପହଁଚିବାକୁ ଲକ୍ଷ୍ୟସ୍ଥଳ
ବିଳମ୍ବ ହେଲେହେଁ ସତ୍ୟ ସଦା ସତ୍ୟ, ମିଠା
ସଦା ଅପେକ୍ଷା ର ଫଳ |୧୦|
ହେ ମୋ ପରିବର୍ତ୍ତନପନ୍ଥୀ ମାନେ ମନେ
ରଖ ମିଶି ଖୋଜିଲେ ଅଳ୍ପ ଅଳ୍ପ
ଖୋଜିଲେ ପାଇବା ସିନା ଅସାଧ୍ୟ ସାଧନ,
ନିଶ୍ଚୟ ଆସିବ ନୂତନ ବିକଳ୍ପ |୧୧|
ବ୍ରାହ୍ମଣୀ ନଦୀ,ତୋ ପାଇଁ ସୁନ୍ଦରତା କଲ୍ୟାଣ
ପ୍ରଚେଷ୍ଟା ମନେ ରଖିବି ମୁହିଁ
ଶରୀର ଦୁର୍ବଳ ହେଲାଣି, ସତ୍ୟ ପଥେ ଚାଲୁ
ଥିବି ଦେଶର ମଙ୍ଗଳ ପାଇଁ |୧୨|
ତୋ ଠୁ ଓ ଦେଶପ୍ରେମୀଂକଠୁ ଶିଖିଛି ମୁଁ,
ଆସୁ ପଛେ ଯେତେ ବଡ କଷ୍ଟ
ସଭି ଜନ ପାଇଁ ଆତ୍ମୀୟତା କଲ୍ୟାଣେ
ଜୀବନ ଉଦ୍ଦିଷ୍ଟ, ହେବିନି ପଥଭ୍ରଷ୍ଟ |୧୩|
ଜଗତପୁର , କଟକ



