ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

 ‘ସାହିତ୍ୟ ଅଗଣା ‘ ରେ ଭେଟନ୍ତୁ ମା’ ର ପ୍ରୀତି ଛବି ସବୁକୁ……

ମା…ଜୀବନ ର ସବୁତକ ପାହାଚରେ ସ୍ନେହବୋଳା…ମମତାର ଫଲ୍ଗୁ…କବିତା ପରି ନିବିଡ଼ ନିବିଡ଼ …ପ୍ରାଣରେ ପ୍ରାଚୁର୍ଯ୍ୟର ଛନ୍ଦ…ଜହ୍ନରାତି ର ବାସ୍ନା ତା’ ପଣତ….ଏତେ ବ୍ୟାପ୍ତ _ ଏତେ ଚିତ୍ରରେ ଚିତ୍ରାୟିତ ମା’ର ପ୍ରେମ….
 ‘ସାହିତ୍ୟ ଅଗଣା ‘ ରେ ଭେଟନ୍ତୁ ମା’ ର ପ୍ରୀତି ଛବି ସବୁକୁ……
କବିତା ର ଯାତ୍ରା ମଧୁମୟ ହେଉ…….

‘ସାହିତ୍ୟ ଅଗଣା’

  ମସୀହା ର ‘ସାହିତ୍ୟ ଅଗଣା’

ମୋ ମାଆ 

   ~ପ୍ରଦୀପ କୁମାର ନାୟକ

ସେ ଥିଲା ବୋଲି 
ସଞ୍ଜରେ ଜଳୁଥିଲା ସଞ୍ଜବତି 
ମହମହ ମହକରେ 
ମହକୁ ଥିଲା 
ତୁଳସୀ ଚଉରା ଓ ଅଗଣା।
ଅଥଚ ଦେଖ 
ମୋ ମାଆ ମରିକି ଘଡ଼ିଏ ହେଇନି 
ପୁରା ଘରଟା କେମିତି 
ଅଣ ଶୁଦ୍ଧିଆ ହୋଇଗଲା।

 ଜେକେପୁର

ମା 

~ରମେଶ ଟାକିରି

ମା

ଖବର କାଗଜରେ ପଢ଼ିଲି
ତୋ ପୁଅ ମଦ ପିଇବ ବୋଲି
ପଇସା ନ ଦେବାରୁ 
ତୋତେ ଜୀବନରେ ମାରିଦେଲା.

ମା’

ଖବର କାଗଜରୁ ଜାଣିଲି
ସମ୍ପତ୍ତି ଭାଗ ନ ଦେବାରୁ
ତୋ ପୁଅ ତୋତେ 
ଘରୁ ବାହାର କରିଦେଲା 

ମା ‘

ଜାଣିବାକୁ ପାଇଲି 
ତୋ ଦୁଇ ପୁଅ ତୋତେ
ଭାଗ କରିଛନ୍ତି, ମାସରେ
ପନ୍ଦର ଦିନ ଜଣେ 
ଖାଇବାକୁ /ରହିବାକୁ ଦେବେ 
ଏକତରିଶି ଦିନିଆ ମାସରେ ଗୋଟିଏ ଦିନ 
ତୁ କେଉଁଠି ରହିଲୁ ମା 

ମା ‘

ଶୁଣିବାକୁ ପାଇଲି ତୋ 
ବୋହୂ ତୋତେ ଏକାଥନୀୟ 
ନିର୍ଯ୍ୟାତନା ଦେଉଛି 
ଏ ପରିଣତ ବୟସରେ 
ତୁ କେମିତି ଅଛୁ ମା 

ମା ‘

ତଥାପି ତୁ ଚୁପ୍ ଚାପ୍ 
ସବୁ ନିର୍ଯ୍ୟାତନା ସହି ଯାଇଚୁ?
ତୋ ପୁଅ ବୋହୂକୁ କ୍ଷମା କରିଦେଇଛୁ??

ମା ‘

ତୋ ମା ‘ ପଣିଆକୁ 
କୋଟି ପ୍ରଣାମ 
ତୋ ମହନୀୟତାକୁ 
କୋଟି ପ୍ରଣାମ 
ତୋ ଅନାବିଳ ମମତକୁ
କୋଟି ପ୍ରଣାମ ।
 

ରାୟଗଡା

.

॥ମା’ ॥

  ~ସଦାଶିବ ରାଜଗୁରୁ

                                                               

   ମାଆ ! ! !

କେଉଁ କେଉଁ ଋଣରୁ ମୁକ୍ତ ହେବି ମୁଁ,
ଋଣର ତୁମେ ତ ହିସାଚବ ରଖିନା ,
କିତାବ ଖୋଜି ବାହାର କରିବାରେ ମଧ୍ୟ ଅସହାୟ ମୁଁ ।
ତୁମେ ଏଡ଼ାଇ ଦେଇ ଚାଲିଲ , ସେ ଦିନରୁ 
ମୁଁ ଆସିବାର ସୂଚନା ପାଇଲ ଯେଉଁ ସମୟରୁ , 
ଅସ୍ତବ୍ୟସ୍ତ କରି ତୁମ ଜୀବନ ପ୍ରବାହକୁ,
ଖାଦ୍ୟ ପାନୀୟ ବି ଅରୁଚି ଲାଗିଥିଲା ତୁମକୁ,
ସୁସ୍ୱାଦୁ ବ୍ୟଞ୍ଜନକୁ ଦେଇ ଆଡେଇ,
ଆଗନ୍ତୁକର ଆଗମନ ପ୍ରୀତିରେ ମନକୁ ହଜାଇ ,
ଆମ୍ବୁଲ ଫଡାଟିଏ ଧରି ଲୁଚିଲୁଚି 
ଦିନ ଓ ମାସର ହିସାବ ତ କରିଥିଲ ନା ?
ହେଲେ ଋଣର ଫର୍ଦ୍ଦଟିଏ ଯୋଡ଼ି ପାରି ଥାଆନ୍ତ ନା ?
ମୋ ଆଗମନର ସଙ୍କେତ ପରିଦୃଷ୍ଟ ହୋଇଥିଲା ତ ?
ଅତ୍ୟନ୍ତ ବେଦନା ଉପରେ ବି କେତେ ପଦାଘାତ
ଅକୁହା ଅନୁଭୂତିକୁ ସଜ୍ୟ କରି ଥିଲ ତ?
ଅଥଚ ପାଗଳୀଙ୍କ ପରି ନିଃଶବ୍ଦ ହସରେ ଉଛୁଳି,
ଦିଗହରା ହେଲ କିଆଁ ସବୁ ଟାଳିଟୁଳି
ହିସାବ ରଖିବାର ପଥ ଗଲ ଭୁଲି ?
ମାଆ, ଜନ୍ମଦାତ୍ରୀର ମୁକୁଟ ମଣ୍ଡିତ ପରେ ମଧ୍ୟ 
ଗଳାର ମାଳି କରିଥିଲ ରଙ୍କିର ରତନ ପରି 
ସାଇତିଥିଲ ମୋତେ ଗଣ୍ଠିର ଧନକରି 
ଏହାର ମୂଲ୍ୟାଙ୍କନ କିଏ କରିଦେବ ଓଜନ କରି
 କେଉଁ ନିକିତିରେ କେଉଁଠୁ ଆଣିବି ଖରିଦ୍ କରି।
ଚାଲିଥିବି ତ ତୁମରି ହିଁ ଆଙ୍ଗୁଳି ଧରି
ଦୌଡ଼ିଥିବି ତୁମକୁ ଅଣ ନିଃଶ୍ୱାସୀ କରି
ଆହୁରି କେତେ କଣ ଯେ ପାରୁନି ମୁଁ ଚିନ୍ତା କରି, 
ହଁ, ହଁ ମାଆ,ଏହା ହିଁ ତ ବିଶେଷତା ତୁମରି 
ରଖି ଥିଲେ ହିସାବ କେବେ ବି ପରିଶୋଧ କରି
ପାରି ନ ଥାଆନ୍ତି ଏହି ଜନମରେ ଶତ ଚେଷ୍ଟା କରି,
 ଆଶିଷ ଦିଅ ଢ଼ାଳି , ଏତିକି କରିବି ଅଳି
ମାଆ,ତୁମରି ସନ୍ତାନ ହେବି ଜନ୍ମ ଜନ୍ମାନ୍ତର ଧରି ।।।
                   

        ରାଣୀଗୁଡ଼ା ଫାର୍ମ , ରାୟଗଡ଼।

           ମୋ -9337271669

॥ବୋଉ ! ॥

  ~ଲକ୍ଷ୍ମଣ କୁମାର ନାୟକ

ବୋଉ ଲୋ

ତୁ ଗୋଟେ ବିଶ୍ୱ ବିଦ୍ୟାଳୟ
ଖଡ଼ି ନ ଛୁଇଁବି
ବକଟେ ଭୁଲ କରିନୁ
ସଂସାରର ଜଟିଳ ଗଣିତ
ପରମ୍ପରାର ଇତିହାସ
ପ୍ରେମର ସମାଜଶାସ୍ତ୍ର
ସ୍ନେହର ମନୋବିଜ୍ଞାନ
ଜୀବନର ଦର୍ଶନଶାସ୍ତ୍ର
କି ସମ୍ପର୍କର ସରଳ ସାହିତ୍ୟ l

ବୋଉ ଲୋ

କେତେ ଭାଗମାପ ଜଣା
ତତେ ଜୀବନର କେଜାଣି
ଅମାର ଅମାର ଦୁଃଖକୁ
ତୁ ବଦଳେଇ ମାପିଦଉ
ନଉତି ନଉତି ସୁଖ କରି ବସ୍ତାରେ
ନିତିନିତି ତୋ କାଇଦାରେ
ସତେ ଯେମିତି ପୁନିଅଁ ପରବ ଲାଗି
ବିରି,ମୁଗ, ଚଣା, କୋଳଥ, ରାଶି
ଥାକ ମରା ହେଇଚି
ଆଗତୁରା ପଟା ଭାଡ଼ିରେ,ବାରଣ୍ଡାରେ !

ବୋଉ ଲୋ

ତୁ ଭୁଲେଇ ଦେଇଚୁ
ବାପାଙ୍କୁ ହରେଇବା ଦୁଃଖ
ବାଡ଼ ହେଇ ଠିଆ ହୋଇଚୁ
ପରିସ୍ଥିତି ସାମ୍ନାରେ,
ସତ କହିଲୁ
ପ୍ରତି ସଂକ୍ରାନ୍ତୀରେ
ହନୁମାନ ଚାଳିଶା ଶୁଣିଲେ
ତୁ ଗୁମୁରି ଗୁମୁରି ବାହୁନୁଛୁ କାହାକୁ
ଯାଉଣୁ ଆସୁଣୁ କାହା ଛବି ପାଖରେ
ଏକାନ୍ତରେ ଆଖି ପଖାଳୁଚୁ
ପ୍ରତି ସାବିତ୍ରୀରେ କିଏ
ଲୁହ ହେଇ ଝରି ଯାଉଛି ତୋ ଆଖିରୁ ?
ମୁଁ ତୋ ଅଲକ୍ଷ୍ୟରେ
କେତେ ଥର ଦେଖିଚି ଲୋ ବୋଉ
ତୋ ବାହୁନା ଶୁଣି ମୋ ତକିଆ ଭିଜିଛି
ମାତ୍ର ଯାହା ଛାଇରେ ମୁଁ ଠିଆ
ତାକୁ କି ବୋଧ ଦେବି ବୋଲି
ଭାବିଭାବି ମୋ ହାତ ପାଦ
 ଅଟକି ଯାଇଛି
ମୁଁ ଆଜି ଯାହା ସ୍ୱପ୍ନ ଫୁଲ ପରି
ତୋ ଆଖିର ଅବଶିଷ୍ଟ
ଆୟୁଷେ ଫୁଟୁଛି l

ହଁ ଲୋ ବୋଉ !

ତୁ ପଢ଼ିନୁ ସିନା
ହେଲେ ପଢ଼ାର ମହତ ଜାଣୁ ବୋଲି
ଓଳିଏ ଖାଇ ଓଳିଏ ଉପାସ ରହି
ମତେ ପଢ଼େଇଛୁ,
କେତେଥର ପରିସ୍ଥିତି ବନ୍ଧା ପକେଇଚି
ତୋ ହାତ, କାନ ବେକର ଗହଣା ସାହୁକାର ପାଖେ
ଏମିତିକି ଚକ୍ରବତୀ ସୁଧର
ହିସାବ ଖାତା ହରି ନେଇଛି
କଂସା ଠୁଁ ପିତଳ ସୁନା ରୂପା ପରି
ମୋର ସବୁ ମନେ ଅଛି ଲୋ ବୋଉ
ଆଜି ପରିସ୍ଥିତି ବଦଳିଚି
ହେଲେ ହାୟ !
କେବେ କାନ ଥିଲେ ନୁଡୁକ ନାହିଁ
ତ କେବେ ନୁଡୁକ ଥିଲେ କାନ !

ବୋଉ ଲୋ

ଆଖୁ ଶାଳ, ଶାଳ ଉଖୁଡ଼ା, ପୋଡ଼ପାଳିଆ ଜାଉ
ବୁହା ଭାତ,ଆଖୁ ଚଞ୍ଛା, ପେଡ଼ା
ଏସବୁର ଖୁସି ଭିତରେ ଆମେ କେମିତି
ଦୁଃଖର ସୁଧ ହିସାବ କରୁଥିଲେ ଆଗୁଆ
ଗୁଡ଼ ମାଠିଆକୁ ଗଣି ଗଣି
ଏତିକିଟା ପୁନିଅଁ ପାଇଁ, ଏତିକିଟା ସାହୁକାରର
ବାକି ଯାହା ରୋଗ ଦୁଃଖ ପାଇଁ
ତଥାପି ତୁ ସାହସ ହାରିନୁ
ବାପାଙ୍କୁ ବିପଦରେ କାନ୍ଧ ଦେଇଚୁ
ଝଡ଼ରେ ଭାଙ୍ଗିବା ନୁହେଁ ବରଂ
ପିଠି ପତେଇ ସମୟକୁ ଠିଆ କରି ଦେଇଚୁ I

ବୋଉ ଲୋ

ତତେ କି ଶବ୍ଦରେ ବର୍ଣ୍ଣିହେବ
ତୋ ମିଠା ଡ଼ାକରେ ମାଟି ମୁହାଁ ପୃଥିବୀ ସର୍ବସ୍ୱ
ପାହାଡ଼ ତ ଧୈର୍ଯ୍ୟ ଶିଖୁଛି ତୋଠୁ
ତୋ ଆଙ୍ଗୁଠି ଇସାରାରେ ଜହ୍ନମାମୁଁ
ଆକାଶରେ କେତେ ତାରାଙ୍କ ଚାହାଣୀ
ପ୍ରକୃତି ତୋର ପ୍ରତିକୃତି ସିନା
ତୋ ପାଇଁ କେତେ ପୋଥି, ପୁରାଣ, ପ୍ରବଚନ
ତୋ କଥା ବଖାଣିବାକୁ ମୁଁ ତ ନିପଟ ମୂର୍ଖ
ତୁ କାଳେ କାଳେ ପ୍ରାଚୀନୁ ପ୍ରାଚୀନ
ଆଉ ମୁଁ ନିହାତି ଅର୍ବାଚୀନ !

ବୋଉ ଲୋ

ତତେ କ’ଣ ଅଜଣା କହିଲୁ
ତୋର ହାତର ଯାଦୁରେ
ପର୍ବ ହସେ ଝୋଟି ଚିତା ପରି
ଋତୁ, ମାସ, ବର୍ଷ ପାଲଟେ
ହସ କାନ୍ଦ ଜୀବନକୁ ଧରି
ତୋ ମିଠା ଗାଳି ପଦେ
ବିଜୟ ବୈଜୟନ୍ତୀ ମୋର
ତୋ ପାଦତଳ କୋଟି ତୀର୍ଥ
ପୂଣ୍ୟ ରେଣୁ ଘେନୁ ମୋର ଶୀର
ବୋଉ ବୋଉ ବୋଉ ଡ଼ାକି ତୁଣ୍ଡ
ତୋ ଆଶିଷେ ଜିଣୁଥାଉ ସକଳ ବ୍ରହ୍ମାଣ୍ଡ !

ବେଣାଗାଡ଼ିଆ, ଖଣ୍ଡପଡ଼ା, ନୟାଗଡ଼

 

.॥ମା ମୋର ॥

~ପ୍ରଶାନ୍ତି ସାହୁ

ମା ମୋର କରୁଣାମାୟୀ, ମମତା ମୟୀ ସିନ୍ଧୁ ଟିଏ 
କୋମଳ ସ୍ପର୍ଶ ରେ ଦୁରେଇ ଯାଏ 
ସବୁତକ ଯନ୍ତ୍ରଣା ———==-=
ମା ମୋର ସେହ୍ନମୟୀ ପ୍ରେମ ସୁଦ୍ଧା ନଦୀ ଟିଏ 
ପଣତ କାନି ରେ ବାନ୍ଧି ଦିଏ 
ଅନାବିଳ ସେହ୍ନ ମମତା କୁ —–
ମା ମୋର ହୃଦୟ ଗ୍ରାହୀ ସୁନ୍ଦର ଜହ୍ନ ଟି ଏ 
ସବୁବେଳେ ଝଟୁକୁ ଥାଏ 
ମୋ ହୃଦୟ କୋଠରୀ ରେ 
ମା ମୋର ଚିର ବନ୍ଦନୀୟା ଟିଏ 
ଦୀପ ପରି ନିଜେ ଜଳି 
ଆଲୋକ ର ପଥକୁ ଦେଖା ଏ —–
ମା ମୋର ଜନ୍ମ ଜନ୍ମ ର ସାଥି ଟିଏ 
ଯାହା ପାଖରେ ନାହିଁ 
ଟିକେ ବି ସ୍ୱାର୍ଥ ର ବିନ୍ଦୁ ଟିଏ 

ରାୟଗଡ଼ା

॥ ମା॥

      ~ସଙ୍ଗୀତା ମୂର୍ତ୍ତି

ସର୍ବ ସ୍ବରୂପିଣୀ ମମତାମୟୀ ମୋ ମା,
ତୋ ବିହୀନ ଆଜି ହେଲି ମୁଁ ଅସହାୟ ।
ଅଭାଗିନୀ ହୋଇ ରହିଲି ମାଆ ତୋ ବିନା,
 ତୋ ସ୍ମୃତି ମନେ ନ କରି ଦିନ ବିତେନା ।
ମୋହ ,ମାୟା ଛାଡି ଧରିଲୁ ତୁ ତୋର ଅନ୍ତିମ ପଥ,
କୋକେଇ ହୋଇଥିଲା ତୁଳସୀ ଓ ପୁଷ୍ପରେ ସୁସଜ୍ଜିତ ।
ବିଧିର ବିଧାନ ଏହା ଜନ୍ମ ପରେ ମୃତ୍ୟୁ ସତ,
ପବିତ୍ର ରଥଯାତ୍ରା ଦିନ ଚାଲିଗଲା ତୋ ପୁଷ୍ପ ରଥ ।
କାଳିଆ ସାଆନ୍ତ ଥିଲେ ରଥରେ ବିରାଜମାନ,
ଶଂଖ ହୁଳହୁଳି ଧ୍ବନି ରେ ଗରଜୁଥାଏ ଧରା ଓ ଗଗନ ।
ଅଶ୍ରୁ ଭରା ଚକ୍ଷୁରେ ଠାକୁରଙ୍କ ନିକଟେ ଯୋଡିଲି ମୋ ହାତ ତୋ ଅମର ଆତ୍ମାକୁ ସ୍ଥାନ ଦେଇଥିବେ ପ୍ରଭୁ ଜଗନ୍ନାଥ। 

  (ସ୍ବର୍ଗୀୟା ମୋ ମା ପାଇଁ କବିତା ) 

   

 ଜଗଦଲପୁର (ଛତିଶଗଡ )

॥ ମା ॥

~ ବିବେକାନନ୍ଦ ପଟ୍ଟନାୟକ 

ସମସ୍ତଙ୍କୁ ଖୁବ୍ ଭଲପାଏ
ଡାକିଲେ ହସିଦିଏ ।
କାନ୍ଦିଲେ କୋଳେଇ ନିଏ,
ସମସ୍ତଙ୍କୁ ସ୍ନେହ ଦିଏ ।
ଚାଲୁ ଚାଲୁ ଝୁଣ୍ଟିପଡ଼ିଲେ
ହାତ ତାର ବଢେଇ ଦିଏ ।
ଦେହରେ ଧୂଳି ଲାଗିଗଲେ
ପଣତ କାନି ରେ ପଛିଦିଏ ।
ପୂର୍ଣ୍ଣିମା ର ଜହ୍ନ ପରି ସିଏ
ସୁଖ ଦୁଃଖ ର ସାଥିଟିଏ।

ମୁଖ୍ୟ ସଂପାଦକ :

ନୀଳ ଆକାଶ ସାଂସ୍କୃତିକ ଅନୁଷ୍ଠାନ ଉମରକୋଟ, ନବରଙ୍ଗପୁର 

ମୋବାଇଲ୍ ନଂ_୯୯୩୮୦୬୩୭୩୦

॥ ମା ॥

                             

   ~ଜ୍ଞାନେନ୍ଦ୍ରିୟ ଦାଶ

ମୋ ଗାଆଁ……
ମୋର ଜନମ ଭୂଇଁ ସେ ମୋ ମାଆ……..।। ଘୋଷା ।।
ତା ମାଟି, ତା ପାଣି, ତା ପବନରେ,
ଦିବା, ଦଣ୍ଡ, ମାସ, ପ୍ରତି ମୁହୂର୍ତ୍ତରେ,
ସତେ କି ନିଇତି ଅମୃତ ଝରେ ।
ମୋ ଗାଆଁ ପାଇଁ ଭୁଲି ଯାଏଁ ସାରା ଦୁନିଆଁ ।୧। ମୋ ଗାଆଁ…
ଗାଆଁ ମଝିରେ ମୋ ଜଗତ ନାଥ,
ଫରଫର ଉଡ଼େ ମନ୍ଦିର ନେତ,
ନିତିଦିନ ହୁଏଁ ମୁଁ ଦଣ୍ଡବତ ।
ଗ୍ରାମଦେବତୀ,ପନ୍ଥେଇରାଣୀ ଆମ ସାହା ।୨। ମୋ ଗାଆଁ…
ପୂରୁବ ଦିଗେ ମହାନଦୀର ଶୋଭା,
ପଶ୍ଚିମେ ଲଷ୍ମୀ ଚାଷ ଜମିରେ ଉଭା,
ଉତ୍ତରେ ବଣ ଦେଖିଲେ ମନଲୋଭା ।
ଦକ୍ଷିଣେ ଝରେ ଝରଣା, ବହେ ଅମୃତ ବାଆ ।୩। ମୋ ଗାଆଁ…
ଗାଆଁରେ ଆମ ଚାଷୀଙ୍କ ମେଳ,
ଧନୀ ଗରିବ ନାହିଁ ତ ଗୋଳ,
ଆମ ହୃଦୟେ ଏକତା ବଳ ।
ଡାଲବ ମୋର ଗାଆଁ, ସେ ତ ଭାରି ବଢ଼ିଆ ।୪। ମୋ ଗାଆଁ…
ଗାଆଁରେ ନାହିଁ ତସ୍କର ଭୟ,
ପୂଜା ପାର୍ବଣେ ଆନନ୍ଦମୟ,
ହସଖୁସିରେ ଆମ ବିଜୟ ।
ପ୍ରଗତିପଥେ ଆଗରେ, ଆମ ଗାଆଁର ନାଆଁ ।୫। ମୋ ଗାଆଁ…
ମୋ ଗାଆଁ…….
ମୋର ଜନମ ଭୂଇଁ ସେ ମୋ ମାଆ ।।
                      
                     

 ● ହୀରାକୁଦ, ସମ୍ବଲପୁର ।

    ମୋବାଇଲ – ୯୮୬୧୨୪୯୬୪୪

॥ ମା ॥

 ~ନଳିନୀ ପ୍ରଭା ମିଶ୍ର

ସରଗ ଠୁ ବଳି ଗରୀୟସୀ ଯିଏ
  ସିଏ ମୋର ଜନ୍ମ ଦାତ୍ରୀ
ବଢ଼ାଇଛି କରି ଛୋଟ ଠାରୁ 
  ବଡ଼ କଷ୍ଟ ସହି ଦିନ ରାତି।
ଦେଖାଇଲା ମୋତେ ଦୁନିଆ
  ଆଲୋକ ଗର୍ଭେ ଧରି ଦଶମାସ
ଭୂମିଷ୍ଠ ହୋଇଲି ଧରାରେ
  ଯେ ଦିନ ଲଭିଥିଲା ବହୁ କ୍ଳେଶ।
ସହି ଅଛି ମୋର ଯେତେକ ଅଝଟ
  କୋଳରେ ଶୁଆଇ ଦେଇ
ତା’ର ପଣତ ମୋ ଅକ୍ଷୟ
  କବଚ ତା’ର ସମ କେହି ନାହିଁ।
ତା ‘ସ୍ତନର କ୍ଷୀର ଅମୃତ ସମାନ
  ସଞ୍ଚରିତ ମୋ ଦେହେ
ମା ସିଏ ମୋର ଅତି ଆପଣାର 
   ମନ କଥା ଜାଣିଥାଏ।
ରୋଗର ସମୟେ ଗବାଏ
  ସେ ଲୁହ ମଥାକୁ ଆଉଁସି ଦେଇ
ଈଶ୍ବର ଙ୍କ ପାଶେ କରେ ନିବେଦନ
  ମୋର ନିରାମୟ ପାଇଁ।
ସାଗର ଠୁ ବଳି ଗଭୀର
  ଯା ହୃଦ ପ୍ରତିଦାନ ହୀନ ମନ
ମମତା ମଧୁର କଳ କଳ ଧାରା
  ଜନନୀ ସିଏ ମହାନ୍।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ମୋ-୯୭୭୭୮୮୭୯୪୨

 

॥ ମା ॥

    ଅନସୂୟା ଦେବତା

    ଯାହାର ମୁଖ ଦର୍ଶନେ  
କଷ୍ଟ ମୋର ହୁଅଇ ଲାଘବ
    ସେଇ ମୋ ଜନମ ଦାତ୍ରୀ    
ତା ପାଇଁ ମୁଁ କରଇ ଗରବ ।।
   ଗଙ୍ଗା ଠାରୁ ପବିତ୍ର ସେ  
ଆକାଶ ଠୁଁ ବିଶାଳ ତା ବକ୍ଷ 
      ସନ୍ତାନ ପାଇଁକି ଦୁଃଖ
ସହିବାକୁ ହୋଇଯାଏ ଦକ୍ଷ।।
     ଜନନୀ ଗରଭେ ରହି 
ଦେଖୁଥିଲି କେତେ ସପନ
      ଆନନ୍ଦ ସାଗର ମଧ୍ୟେ 
 କରୁଥିଲି ଖୁସିରେ ଭ୍ରମଣ ।।
        ବୁଝି ନ ଥିଲି ସେ ଦିନେ
ମାଆ ମୋର ସହୁଛି ଯନ୍ତ୍ରଣା
       ଗର୍ଭ ଭାରା ଦେଉଅଛି
ଯାର ମୂଳ ନ ସୁଝେ ପାଉଣା।।
       ସରଗ ସମ ତା କୋଳେ 
ପୁଣି ମୁହିଁ ଜନମିଲି ଯେବେ
        ଅସହ୍ୟ କଷ୍ଟକୁ ସେ ତ 
ସହିଗଲା ଖୁସିରେ ନୀରବେ ।।
        ଯା ମୂଳ ଦେବାକୁ କ୍ଷମ 
 ନୁହନ୍ତି ଦେବତା ଗନ୍ଧର୍ବ
         ମା’ର ମମତା ସହ
ତୁଲ୍ୟ ନୁହେଁ ସମ୍ପଦ ବୈଭବ ।।
        ସନ୍ତାନ ବତ୍ସଲା ସେତ
  ମମତାର ଧାରା ସ୍ରୋତସ୍ଵିନୀ 
       କରୁଣାର ଫଲଗୁ ଝରେ
  ଜୀବନ ସଂଗ୍ରାମେ ସେ ଚିର ବିଜୟିନୀ ।।
    

ବିଜ୍ଞାନ ଶିକ୍ଷୟିତ୍ରୀ

ଅତାବିରା , ବରଗଡ଼

॥ ମା ॥

  ~ଅକ୍ରୁର ତାଣ୍ତି

ମା ବୋଲି ଯିଏ ଗୋଟିଏ ଅକ୍ଷର
ମମତାର ଝର ସିଏ,,
ତାହାରି ଆଶିଷ ସଫଳ ର ପଥ,,
ଯେବେ ସେ ଆଉଁସି ଦିଏ ।।
ମା ର ପଣତ ଛାଇ ଅବିରତ
ଢାଳି ଦିଏ ପୁଅ ଠାଇଁ,,
ଯେତେ ଦିନ ଯାଏଁ ମା ପାଖେ ଥିବ
ଭୟ ଆଉ କିଛି ନାହିଁ ।।
ତା ସ୍ନେହ ଆଦର କରି ଦିଏ ଦୂର,
ଯେତେ ପଛେ ଥାଉ ଦୁଃଖ,,
ମା କୋଳ ଠାରୁ ଶାନ୍ତି ଆଉ ନାହିଁ
ଦୁନିଆ ରେ ଖୋଜି ଦେଖ ।।

ଖସିଗୁଡ଼ା,ପଦମପୁର

 କଳାହାଣ୍ତି

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା// ସୁସ୍ୱାଗତମ ନବ ବରଷ

Sunil Chandra Nayak

ମଧୁସ୍ମିତା ରାଉତ ଙ୍କ କବିତା // ଭଡ଼ା ଘର ଓ ଫୁରୁସତ୍

Sunil Chandra Nayak

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା // ଆସ ହେ ନୂଆ ବରଷ

Sunil Chandra Nayak

Leave a Comment

error: Content is protected !!