l l ବିଦାୟ- ୨୦୨୨ l l
ପ୍ରଭାତ କୁମାର ମଲ୍ଲିକ
ବିଦାୟ ତୁମକୁ ଦେଉଅଛୁ ଆମେ
ଦୁଇହଜାର ବାଇଶି,
ସମୟ ପାଖରେ ସଭିଏଁ ନାଚାର
ଦିବା ଗଲେ ହୁଏ ନିଶି ।
ଆସିଥିଲ ତୁମେ କେତେ ଆଶାନେଇ
ଏଇ ଧରଣୀ ବକ୍ଷକୁ ,
ବିଦା ହୋଇଥିଲା ତୁମ ସାନଭାଇ
ସ୍ବାଗତ କରି ତୁମକୁ ।
ବରଷକେ ପରେ ସେହି ଦଶା ତୁମେ
ଭୋଗିବାକୁ ଯାଉଅଛ,
ତୁମ ବଡଭାଇ ଆସୁଅଛି ପୁଣି
କି ପାଇଁ ଦୁଃଖ କରୁଛ ?
ଚିରସ୍ଥାୟୀ ଏଠି କେହି ନୁହଁ ଭାଇ
କେହି ନୁହଁଇ ଅସ୍ଥାୟୀ,
ସମୟ ବଳରେ ସର୍ବେ ବଳିୟାନ୍
ସାନ ବଡ କେହି ନାହିଁ ।
ତୁମକୁ ଦେଖିଲେ ବୁଝି ହେଉଅଛି
ଜୀବନର ବାସ୍ତବତା ,
ମିଛଟାରେ ଖାଲି ଘାଣ୍ଟି ହେଉଅଛୁ
ଏହା ଅସଲ ସତ୍ଯତା ।
ଜୀବଦଶା ମଧ୍ଯେ କରିଥିବା ଯଦି
କିଛି ଅଭୁଲା କରମ ,
ଇତିହାସ ହୋଇ ଗୁଣ ଗାଉଥିବ
ଗଲେବି ଶହେ ଜନମ ।
ଥରେ ଚାଲିଗଲେ ଆସିବାଟା ଆଉ
ନୁହଁଇ କେବେ ସମ୍ଭବ ,
ବେଳ ଥାଉ ଥାଉ ଷଡରିପୁ ତେଜି
ବଢାଅ ପ୍ରେମ ବିଭବ ।।
ରାଇଘର, ନବରଙ୍ଗପୁର
ଶିବପୁର, ଧାମନଗର, ଭଦ୍ରକ