ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ କଳାହାଣ୍ଡି ଉତ୍ସବ ଘୁମୁରା

ନୃତ୍ୟଗୀତର ଆଖି ଝଲସା କାର୍ଯ୍ୟକ୍ରମରେ ଉତ୍ସବ ପଡିଆ ଲୋକାରଣ୍ୟ

କମିଲା ଦୂରତା, ଜମିଲା ବେପାର

ଭବାନୀପାଟଣା,୧୬/୦୧( )- ପ୍ରାଣ ପ୍ରାଚୁର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ, ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ରୌପ୍ୟ ଜୟନ୍ତୀର ବର୍ଷରେ ଉତ୍ସବର ଗତିଶୀଳତା ଜିଲ୍ଲାର ନିତ୍ୟ ନୂତନତାର ଗାଥା ବହନ କରୁଛି । ଜିଲ୍ଲାର ଉଜ୍ଜ୍ୱଳ ଓ ଗୌରବମୟ ଇତିହାସ ଆଜି ପୁଣିଥରେ ଜନମାନସରେ ଉଦ୍‌ଭାଷିତ ହେବା ସହିତ କାରୁଣ୍ଡ, ଇନ୍ଦ୍ରବନ, କମଳମଣ୍ଡଳ ନାମକରଣର ସାର୍ଥକତା ପ୍ରତିପାଦନ କରୁଛି । ଜିଲ୍ଲାର ଜୀବନ୍ତ କିର୍ତ୍ତୀରାଜି ସବୁ ଏ ଜିଲ୍ଲାର ସମୃଦ୍ଧି ଓ କଳା ନିପୁଣତାର ମୁକସାକ୍ଷୀ ହୋଇ ଆଜି ବି ସଦର୍ପେ ଦଣ୍ଡାୟମାନ ହୋଇଛନ୍ତି । ଉନ୍ନତିର ପଥେ ଆଗକୁ ଆଗକୁ ମାଡି ଚାଲିଥିବା କଳାହାଣ୍ଡି ଆଜି ଦେଶର ଭାତହାଣ୍ଡି ପାଲଟିଛି ବୋଲି କଳାହାଣ୍ଡି ଉତ୍ସବର ତୃତୀୟ ସନ୍ଧ୍ୟାରେ ଅତିଥିମାନେ ମତ ରଖିଛନ୍ତି । ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଏବଂ ରାଜ୍ୟ ଯୋଜନା ଓ ସମ୍ମନ୍ୱୟ ବିଭାଗର ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ନିଜର କଳ୍ପନାପ୍ରସୂତ କଳାହାଣ୍ଡି ଉତ୍ସବର ଗୌରବମୟ ଅତୀତକୁ ମନେ ପକାଇ ଭାବବିହ୍ୱଳ ହୋଇ ଉଠିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢୀ, କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ, ଜିଲ୍ଲା ନ୍ୟାୟାଧୀଶ ଦୀପ୍ତିରଞ୍ଜନ କାନୁନଗୋ, କଳାହାଣ୍ଡି ଏସପି ଅଭିଳାଷ ଜୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ପ୍ରକାଶ, ଭାରତୀୟ ରେଳସେବାର ଅଧିକାରୀ ଅଙ୍କିତ ମିଶ୍ର, ସିଆର୍‌ପିଏଫ୍ ୬୪ ବାଟାଲିୟନର ଦୁର୍ଗପତି ପଙ୍କଜ ଚୌଧୁରୀ, ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଅଶ୍ୱିନୀ କୁମାର କର, ଦକ୍ଷିଣ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ, କେସିଙ୍ଗା ଏସଡିପିଓ ଅମୂଲ୍ୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୁରସଙ୍ଗୀତ ଅନୁଷ୍ଠାନ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିବାବେଳେ ସତ୍ୟ ନାରାୟଣ ମହାପାତ୍ର ସଭା ପରିଚାଳନା କରିଥିଲେ । ଏଇ ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହାପରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଗୀତ, ଥୁଆମୂଳ ରାମପୁର ବ୍ଲକ ପୁରୁଣାଗୁମା ଶୁଭମ ଅନୁଷ୍ଠାନର ଘୁମୁରା, ଭବାନୀପାଟଣା ଜେଜେ ସ୍କୁଲ ଅଫ୍ ଡ୍ୟାନ୍ସ, ନୃତ୍ୟାଙ୍ଗନା, ଟ୍ରାଇବାଲ ଡ୍ୟାନ୍ସ ଏକାଡେମୀ, ରେଣ୍ଡୋ ମାଝୀ ସାଂସ୍କୃତିକ ଅନୁଷ୍ଠାନ, ନୃତ୍ୟକଳା ଅନୁଷ୍ଠାନ, ସକ୍ଷମ ଅନୁଷ୍ଠାନର ଓଡିଶୀ, ବିକାଶ, ସୁହାଗପୁରର ମା ଡୋକରୀ ଅନୁଷ୍ଠାନର ବଜାଶାଲ, ଭୁବନେଶ୍ୱର ନଟରାଜ ଅନୁଷ୍ଠାନର ମୟୁରୀ ନୃତ୍ୟ, ବରଗଡ ଜିଲ୍ଲା ସଂସ୍କୃତି ପରିଷଦ, ବଲାଙ୍ଗୀର ଢୋଲ ମହୁରି କଳା ପରିଷଦ ଅନୁଷ୍ଠାନ, ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟର ଢେମସା, ଖୋର୍ଦ୍ଧାର ପାଇକ ଆଖଡା, ଭଦ୍ରକର ଲୋକକଳା ସମେତ ରାଜ୍ୟ ବାହାରର ଲୋକକଳା ମଧ୍ୟରେ ଆସାମର ବିହୁ, ଝାଡଖଣ୍ଡର ପାଇକିଆ ନୃତ୍ୟ ଆଦି ପ୍ରଦର୍ଶିତ ହୋଇଥିଲା । ସେହିପରି ପାରବା ମଞ୍ଚରେ ସ୍ଥାନୀୟ କଳାକାର, ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଶୁଭେନ୍ଦୁ ମହାପାତ୍ର, ନମିତା ମିଶ୍ର, ସତ୍ୟ ନାରାୟଣ ମୁଣ୍ଡଛିନା, ନିହାରୀକା ନାୟକ ଏବଂ ପାରବା ମଞ୍ଚରେ ହେମନ୍ତ ସାହୁ, ସୌରଭ ମହାପାତ୍ର, ସ୍ନିଗ୍ଧାରାଣୀ ସିଂହ, ଲିପ୍ସା ମହାରଣା ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ବିଖ୍ୟାତ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ ଓ ସାଥୀଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିଳମ୍ବିତ ରାତିଯାଏଁ ଲକ୍ଷାଧିକ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କଳାହାଣ୍ଡି ପୁଲିସ, ଜିଲ୍ଲା ଅଗ୍ନିଶମ ବିଭାଗ, ଏନ୍‌ସିସି କ୍ୟାଡେଟ୍‌, ସ୍ୱେଚ୍ଛାସେବୀମାନେ ଉତ୍ସବରେ ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ ଥିଲେ । ଉତ୍ସବ ପଡିଆରେ ୩୫୫ ପଞ୍ଜୀକୃତ ଷ୍ଟଲ ଓ ଶତାଧିକ ରାସ୍ତାକଡ ବିପ୍ପଣୀରେ ଲୋକଙ୍କ ବେଶ୍ ଭିଡ ପରିଲକ୍ଷିତ ହୋଇଥିଲା ।

ମସିହା ନିଉଜ ସର୍ଭିସ୍ 

Related posts

ବଗେଇପଦରରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ  

masiha

ବସ ସହ ଅଟୋ ମୁହାଁମୁହିଁ ଧକ୍କା ୬ ମୃତ, ୫ ଗୁରୁତର

ବିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ! ୮ ବର୍ଷ ଧରି କଙ୍କଡାବେଡା ଗ୍ରାମର ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ ନୟାନ୍ତ ! ଶୁଣ ସରକାର ଶୁଣ୍

Sunil Chandra Nayak

Leave a Comment

error: Content is protected !!