ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ବନଲକ୍ଷ୍ମୀ ମହାନ୍ତି ଙ୍କ ପ୍ରବନ୍ଧ = ରକ୍ତତୀର୍ଥ ଇରମ

       ରକ୍ତତୀର୍ଥ ଇରମ

ଭାରତ ଭୂଇଁର ଧନ ବୈଭବକୁ ଦେଖି ଆକର୍ଷିତ ହୋଇ ବହୁ ବିଦେଶୀ ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ। ସେହିପରି ବାଣିଜ୍ୟ ଉଦ୍ଦେଶ୍ୟରେ ଆସି ଇଂରେଜମାନେ ଆମ ଦେଶରେ ଆଧିପତ୍ୟ ବିସ୍ତାର କରିଥିଲେ। ଆମ ଦେଶର କରଜ ରାଜା ଓ ଜମିଦାରମାନଙ୍କୁ ପ୍ରଲୋଭନ ଦେଖାଇ ନିଜ ହାତମୁଠାକୁ ନେଇଯାଇଥିଲେ। ଫଳରେ ସେମାନଙ୍କୁ ଭାରତବାସୀଙ୍କ ଉପରେ ଅତ୍ୟାଚାର କରିବାକୁ ସୁବିଧା ହୋଇଥିଲା। ଆମରି ଦେଶର ଦେଶଦ୍ରୋହୀମାନେ ଇଂରେଜଙ୍କ ପାଖରେ ତୋଷାମଦକାରୀ ରୂପେ କାର୍ଯ୍ୟକରୁଥିଲେ। 

ଇଂରେଜମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ କେତେକ ମହାମନୀଷୀ ଗଣ ଇଂରେଜ ସରକାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଆନ୍ଦୋଳନ ଚଳାଇଲେ। ସେହି ସ୍ବାଧୀନତା ସଂଗ୍ରାମୀମାନେ ଦେଶମାତୃକା ପାଇଁ ନିଜର ଜୀବନ ବଳି ଦେବାକୁ ପଛାଇ ନଥିଲେ।। 

ଆମ ଓଡିଶାରେ ସେହିଭଳି ଜୀବନ ବଳି ଦେବାରେ ରକ୍ତତୀର୍ଥ ଇରମ ଅନ୍ୟତମ। 

ଭଦ୍ରକ ଜିଲ୍ଲାର ବାସୁଦେବପୁର, ଗୋଟିଏ ପାଖରେ ବଙ୍ଗୋପସାଗର ଓ ଅନ୍ୟ ପଟେ ଗମେଇ ଓ କାଂଶ ବାଂଶ ନଦୀ ମଧ୍ୟରେ ଏଇ ପୂଣ୍ୟ ତୀର୍ଥ ଇରମ ଅବସ୍ଥିତ।

ଇଂରେଜ ବିରୁଦ୍ଧରେ ଏଇ ଇରମର ମେଲଣ ପଡିଆରେ ସଭା ସମିତି ବସୁଥିଲା।ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଓଜସ୍ବିନୀ କବିତା ସମସ୍ତଙ୍କ ନିରାଶା ମନରେ ଆଶା ସଞ୍ଚାର କରିଥିଲା। 

ଉତ୍କଳର ସୁଭ ହୁଅହେ ଜାଗ୍ରତ
ଜନନୀର ଘୁଞ୍ଚୁ ହୁଅହେ ମୁକତ
କରମ କରିବ ମୁକତି ପାଇବ
ସ୍ବାଧୀନତା ଧ୍ବଜା ନିଶ୍ଚୟ ଉଡିବ ।।

ସେମାନେ ଦେଶପ୍ରେମରେ ଉଦବୁଦ୍ଧ ହୋଇ ଭାରତ ଛାଡ଼ ଆନ୍ଦୋଳନରେ  ଯୋଗ ଦେଇଥିଲେ।। 

ସେମାନେ ଜମିଦାରଙ୍କ ବେଠି ଖଟିବେ ନାହିଁ ବୋଲି ସିଧା ସିଧା ମନା କରିଥିଲେ। ଦିନେ ଅପରାହ୍ନରେ ଚୌକିଦାର ଓ ପୋଲିସ ଗୋଇନ୍ଦା ଆସି ଜମିଦାରଙ୍କୁ କହିଲେ ସଂଗ୍ରାମୀମାନେ ତାଙ୍କୁ ମାରିବାର ଧମକ ଦେଇଛନ୍ତି। ତେଣୁ ଜମିଦାର ରାଧାକାନ୍ତ ପାଢୀ କ୍ଷୁବ୍ଧ ହୋଇ ପୋଲିସ ଡି ଏସ୍ ପି କୁଞ୍ଜ ବିହାରୀ ମହାନ୍ତିଙ୍କୁ ତାଙ୍କ ଦମନ ପାଇଁ ୨୬ ତାରିଖରେ ଚିଠି ପଠାଇଥିଲେ। କୁଞ୍ଜବିହାରୀ କଥାର ସତ୍ୟା ସତ୍ୟ ନଜାଣି ପ୍ରଜାମାନଙ୍କ ସଭାସ୍ଥଳରେ ଆସି ପହଞ୍ଚି ଯାଇଥିଲେ। ଅତର୍କିତ ଭାବେ ସ୍ବାଧୀନତା ସଂଗ୍ରାମୀଙ୍କ ଉପରକୁ ଫିରିଙ୍ଗି ପୋଲିସ୍ ଗୁଳି ଚଳାଇଥିଲେ। 

ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ,ସୋମବାର। ଏକକାଳୀନ ୨୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମୁଖରୁ ଗୁଳି କରି ହତ୍ୟା କରାଯାଇଥିଲା।ଥରି ଉଠିଥିଲା ସେଦିନ ମେଲଣ ପଡିଆ ପୋଲିସ୍ ଗୁଳିଶବ୍ଦରେ। ପ୍ରଥମ ନାରୀ ପରୀବେୱା ଯିଏକି ସ୍ବାଧୀନତା ସଂଗ୍ରାମରେ ରକ୍ତତୀର୍ଥ ଇରମରେ ଶହୀଦ୍ ହୋଇଥିଲେ।। 

୨୮ ଜଣ ସେଇଠି ଟଳି ପଡିଲେ ଓ ଜଣେ ସଂଗ୍ରାମୀ ଜେଲ୍ ରେ ମୃତ୍ୟୁ ବରଣ କଲେ। ଗୋବିନ୍ଦ ରାଉତ, ଦିବାକର ପାଣିଗ୍ରାହୀ, ରତ୍ନାକର ପାଣିଗ୍ରାହୀ, ମହାପ୍ରଭୁଙ୍କ, ହରି ଚନ୍ଦ୍ର ବେହେରା,ନିଜାମଙ୍କ ପ୍ରଭୃତି ଇରମର ସୁଯୋଗ୍ୟ ସନ୍ତାନ ଶହୀଦ୍ ହେଲେ।। 

ଏହା ବ୍ୟତୀତ ୫୭ ଜଣ ଗୁରୁତର ଆହତ ହୋଇଥିଲେ।ପଞ୍ଜାବର ଜାଲିୱାନାବାଗ୍ ର ହତ୍ୟାକାଣ୍ଡ ଭଳି ଇରମ ମାଟି ସେଦିନ ଶହୀଦ୍ ସଂଗ୍ରାମୀଙ୍କ ରକ୍ତରେ ରଞ୍ଜିତ ହୋଇଥିଲା। ନେଓତା ପୋଖରୀ ରକ୍ତରେ ଲାଲ୍ ହୋଇଯାଇଥିଲା। 

ସେଇ ବୀର ସଂଗ୍ର୍ରାମୀଙ୍କ ତ୍ୟାଗ ଓ ବଳିଦାନ ସନ୍ତାନ ଫଳ ସ୍ବରୂପ ଆମେ ଆଜି ସ୍ବାଧୀନତାର ସ୍ବାଦ ଚାଖିବାକୁ ସକ୍ଷମ ହୋଇଛୁ।ସେହି ବୀର ମହାନ୍ ଆତ୍ମାଙ୍କୁ ଭକ୍ତିର ସହ ଶତକୋଟି ପ୍ରଣାମ।

                                  ବନଲକ୍ଷ୍ମୀ ମହାନ୍ତି 

                                ନଡିଆବରାଇ  ,  କେନ୍ଦ୍ରାପଡ଼ା 

Related posts

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୧୪ ତାରିଖ :”ମାନବୀୟ ସମ୍ବେଦନଶୀଳତା ଓ ପ୍ରକୃତି-ନାରୀତ୍ୱର ଗଣପର୍ବ ରଜର ଅପୂର୍ବ ସମନ୍ଵୟ ମହାମିଳନର “

Sunil Chandra Nayak

କାଳର କପାଳ ଲିଖନ: ମାର୍ଚ୍ଚ ୩୧ ତାରିଖ : ଅନ୍ତିମ ଅଧ୍ୟାୟରୁ ନୂତନ ସଙ୍କଳ୍ପର ଆହ୍ୱାନ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ ୨୦ ତାରିଖ : ସାଧନା,ସେବା ଓ ସମର୍ପଣର ନୂତନ ସନ୍ଦେଶ 

Sunil Chandra Nayak

Leave a Comment

error: Content is protected !!