ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନଙ୍କୁ ନିର୍ଯ୍ୟାତନା ! ବେଙ୍ଗାଳୁରୁ ରୁ ୧୧୦୦ କିମି ଚାଲି ଚାଲି ଘରକୁ ଫେରିଲେ ତିନି ଦାଦନ ଶ୍ରମିକ, ପ୍ରଶାସନିକ ତଦନ୍ତ ଆରମ୍ଭ

ଭବାନୀପାଟଣା – – ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ଥଇଥାନ ପାଇଁ ବ୍ୟାପକ ଯୋଜନାମାନ ପ୍ରଣୟନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କୃଷି କ୍ଷେତ୍ରରେ ମଧ୍ଯ ଶ୍ରମିକ ମାନଙ୍କ ନିମନ୍ତେ ବ୍ୟାପକ କର୍ମସଂସ୍ଥାନ ବ୍ୟବସ୍ଥା ରହିଛି। କିନ୍ତୁ ଦଲାଲ ମାନଙ୍କ ମାୟାରେ ବାୟା ଶ୍ରମିକ ମାନେ ଲୋଭର ବଶବର୍ତ୍ତୀ ହୋଇ ବିଭିନ୍ନ ରାଜ୍ଯ କୁ ଦାଦନ ଖଟିବାକୁ ଯାଇ ନିଜର ଜୀବନ ହରେଇବା ନିତିଦିନିଆ ଘଟଣା ହୋଇଥିବା ବେଳେ ଭିନ୍ନକ୍ଷମ ଓ ନିର୍ଯ୍ୟାତନା ର ଶିକାର ହେଉଛନ୍ତି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ। ଦାଦନ ଖଟିବାକୁ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ଜାମଚୁଆଁ ଗାଁର ଦୁଇ ଜଣ ଓ ଟିଙ୍ଗୋପଖାନ୍ ଗାଁ ର ଜଣେ ଦାଦନ ଶ୍ରମିକ ୧୧୦୦ କିମି ପାଦରେ ଚାଲି ଚାଲି ଘରକୁ ଫେରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର କାରଣ ସାଜିଛି ।ମଜୁରୀ ବାବଦକୁ ଟଙ୍କା ମାଗିବାରୁ ଠିକାଦାର ମାଡ଼ ମାରିବା ପରେ ଭୟରେ ତିନିଜଣ ଶ୍ରମିକ ଘରକୁ ଚାଲି ଆସିଥିବା ଜଣାପଡିଛି।ଜାମଚୁଆଁ ଗାଁର କାତାରୁ ମାଝୀ , ଭିକାରୀ ମାଝୀ ଓ ଟିଙ୍ଗୋପଖାନ ଗାଁର ବୁଦୁ ମାଝୀ ଦୁଇ ମାସ ତଳେ କିଛି ଲୋକଙ୍କ ସହ ମିଶି ବେଙ୍ଗାଳୁରୁ କୁ କାମ କରିବାକୁ ଯାଇଥିଲେ।

ସେଠାରେ କାଉଗୁଡ଼ି ରେ ଏକ ବିଲ୍ଡିଂ ନିର୍ମାଣ କମ୍ପାନୀ ରେ ରାମକୃଷ୍ଣ ପ୍ରଧାନ ନାମକ ବାଲୁଗାଁର ଠିକାଦାର ଙ୍କ ପାଖରେ କାମ କରୁଥଲେ।କିନ୍ତୁ ଦୁଇ ମାସ କାମ କରିବା ପରେ ମଧ୍ୟ ଠିକାଦାର ତାଙ୍କୁ ଟଙ୍କା ଦେଉନଥିଲା।ଯେତେବେଳେ ସେମାନେ ଟଙ୍କା ପାଇଁ କହିଥିଲେ ଠିକାଦାର ଏ ନେଇ ପାଟି ତୁଣ୍ଡ କରିବା ସହ ଏ ତିନି ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।ପରେ ସେମାନେ କୌଣସି ଉପାୟ ନପାଇ ଲୁଚି ସେଠାରୁ ଖସି ଆସିଥିଲେ କିନ୍ତୁ ଟଙ୍କା ଅଭାବରୁ ପାଦରେ ଚାଲି ଚାଲି ନିଜ ଗାଁ ଅଭିମୁଖେ ବାହାରିଥିଲେ। ବେଙ୍ଗାଳୁରୁ ରୁ ପଟାଙ୍ଗି ପର୍ଯ୍ୟନ୍ତ ଚାଲି ଚାଲି ଆସିବା ପରେ ସେଠାରୁ ଏକ ଟ୍ରକ ଯୋଗେ ନବରଙ୍ଗପୁର ଜିଲ୍ଲା ମଇଦଲପୁର ଆସି ପୁଣି ଘୁମେରେଶ୍ୱର ଘାଟି ଦେଇ ନିଜ ଗାଁ ଜାମଚୁଆଁ ରେ ପହଞ୍ଚି ଥିଲେ।ତେବେ ଖବର ପାଇ ଆଜି ଜାମଚୁଆଁ ଗାଁକୁ ଜୟପାଟଣା ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ, ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସହ ଟିମ ଜାମଚୁଆଁ ରେ ପହଂଚି ତାଙ୍କ ସହ ଆଲୋଚନା କରିଛନ୍ତି।କେଉଁ କାରଣରୁ ବେଙ୍ଗାଳୁରୁ ରୁ ଘରକୁ ଫେରିବା ପାଇଁ ସେମାନେ ବାଧ୍ୟ ହୋଇଥିଲେ ତାହାର ତଦନ୍ତ ଆରମ୍ଭ ହୋଇଛି।ତଦନ୍ତ ପରେ ପ୍ରକୃତ ଘଟଣା ଉନ୍ମୋଚିତ ହେବା ଆଶଙ୍କା ରହିଛି।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

୪୨ ମୌଜାରେ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନେଇ ଶପଥ ଗ୍ରହଣ 

masiha

ଇଛାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର ,  ମହିଳା ସ୍ୱାସ୍ଥ୍ୟ କର୍ମୀ ଅଭାବ ଯୋଗୁଁ ୫ ମାସ ହେଲା ପ୍ରସବ କେନ୍ଦ୍ର ବନ୍ଦ |ସମସ୍ୟାରେ ୬ଟି ପଞ୍ଚାୟତର ଗର୍ଭବତୀ ମହିଳା 

masiha

ସି ଏମ୍ ଟ୍ରଫି ଜୋନ୍ ସ୍ତରୀୟ କବାଡିରେ ମୟୂରଭଞ୍ଜ ଦଳରେ କିସ୍ ବାରିପଦାର ସାତ ଜଣ ଛାତ୍ରୀ ସାମିଲ୍

Leave a Comment

error: Content is protected !!