ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଜୀବନ ସାଥୀ

ଜୀବନ ସାଥି

 

ସବୁ ସାଥି ଠାରୁ, ଜୀବନର ସାଥି

ସବୁଦିନ ପାଇଁ ରୁହେ, 

ଛାୟା ପଛେ କାୟା, ସ୍ଥିତି ତାର ଯାହା 

ସମ୍ପର୍କ ବନ୍ଧନ ଥୁଏ ll

ସଂସାର ଜଂଜାଳ, ନୁହଁ ପିଲା ଖେଳ 

କେତେଯେ ସମସ୍ୟା ଭରା, 

ଝଡ଼ଝଞ୍ଜା ଭରା , ଜୀବନ ଯାତରା,

ଯିବାକୁ ହେବଟି ପରା ll

ନିଜ ସ୍ଥିତିଗତି, ଅବସ୍ଥାଟି ପ୍ରତି 

ମନଧ୍ୟାନ ଦେବା କଥା, 

ତହିଁ ଅନୁରୂପି, ସଦା ମାପିଚୁପି 

ସମୟ ନକରି ବୃଥା ll

ମନ ସାଥେ ମନ, ବିବେକର ସ୍ଥାନ 

ବୁଝାବଣା ଭେଟାଭେଟ, 

ସମୟ ସ୍ରୋତରେ, ସଂସାର ନାବରେ 

ନାବିକ ଯୋଡ଼ିର କଷ୍ଟ ll

ଧନ, ଅଳଙ୍କାର, ଜାନି ଯଉତୁକ

ଗାଡି, ବାଡ଼ି ଚିର ନୁହଁ, 

ସାମୟିକ ପାଇଁ, ସୁଖ ଭୋଗ ଦେଇ 

ଲଗାଇବ ବୃଥା ମୋହ ll

ଜୀବନର ସାଙ୍ଗ, ସଙ୍ଗିନୀର ତ୍ୟାଗ  

ଦାନ ଅବଦାନ ବେଶି , 

ଅନ୍ଧାରରେ ବତୀ, ଆଲୋକରେ ଗତି 

ଭାବିଚିନ୍ତି,କରି କୃଷି ll

ମମତା ନିର୍ଝର, ଝରି ଝରଝର

ଦୁଃଖସୁଖ ପଥପରେ, 

ବହି ଅବିରତେ,ପ୍ରତିବଦ୍ଧ ଚିତେ 

ସବୁଜ ସୁଷମା ଭରେ ll

ସୁଖିଲା ଟାଙ୍ଗରା, ମରୁଭୂଇଁ ଟିରେ 

କରି ଅହରହ ଶ୍ରମ 

ସୁନାର ଫସଲ, କରିଲେ ଅମଳ

ସୁନାମ ସୁକ୍ଷତି ପ୍ରେମ ll

ତ୍ୟାଗ ଓ ତପସ୍ୟା, ମନର ପିପାସା 

ଏକ ଏକାକାର ହେଲେ 

ଜୀବନର ସାଥି, ଯେବେ ହେବ ବ୍ରତୀ 

କୋଳେ ସ୍ୱର୍ଗସୁଖ ମିଳେ ll

ରୂପଶୋଭା ଠାରୁ,

ଗୁଣଶୋଭା ଲୋଡ଼ା 

ଧରି ବିବେକ ମାଧୁରୀ , 

ଘେନି ପରିସ୍ଥିତି, ବୁଝାବଣା ପ୍ରୀତି 

ଦେବ ସେ ସୌଭାଗ୍ୟ ଶିରି ll

ଯୋଗ୍ୟତାର ଦଣ୍ଡ, ନହୋଇ ଉଦଣ୍ଡ

ଶାନ୍ତ ସୁଧୀରଟି ହୋଇ, 

ଦୁହେଁ ଦୁହିଁଙ୍କୁର, ମତାମତ ଗୀର 

ପରସ୍ପର ଦେଇନେଇ ll

ଭାବି ଆପଣାର, ରାଗରୋଷ ଦୂର 

ଧୀରମତି ସ୍ଥିରଚିତ୍ତ  

ଜୀବନର ସାଥି,ଏଡି ସ୍ୱାର୍ଥମତି 

ଦୁହେଁ ଦୁହିଁଙ୍କୁଟି ହୀତ ll

ନାହିଁ ବଡ଼ସାନ,ହୀନ ସନମାନ 

ଘୃଣାରେ ବାଛ ବିଚାର 

ଦୁହେଁ ଦୁହିଁଙ୍କୁର ଅତି ଆପଣାର 

ବିଦ୍ଧି ବିଧାନର ବର ll

କରୁଣା ସୁଦୟା, ଆତ୍ମୀୟତା ମାୟା 

ଚିରଞ୍ଜିବି ଚିରଦିନ, 

ଅବୁଝାବଣାରେ, ହିନସ୍ଥାଟି ଭରେ 

ନାରଖାର ଦୁଇ ପ୍ରାଣ ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକି-ଗୋରିବନ୍ଧା,ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି, ଓଡିଶା,

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

ଜଳବନ୍ଦୀ ତଲଙ୍ଗ: ସମସ୍ୟାରେ ଜର୍ଜରିତ “ନା ବ୍ଲକ ପ୍ରଶାସନ ନା ରାଜନେତା କାହାରି ଦୃଷ୍ଟି ପଡୁନି 

Sunil Chandra Nayak

ବ୍ଲକ ଆଇନ ପରାମର୍ଶ ଦାତାଙ୍କ ଯୋଗଦାନ

Leave a Comment

error: Content is protected !!