ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ 

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ 

କେନ୍ଦ୍ରାପଡ଼ା, ତା ୦୬/୦୩: ମହିଳାମାନଙ୍କ ସାମ୍ବିଧାନିକ ଅଧିକାର, ସାମାଜିକ ସୁରକ୍ଷା ଓ ସର୍ବବିଧ ବିକାଶ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥାଏ । ଏ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ପୂର୍ବାହ୍ଣ ୧୧ ଘଟିକା ସମୟରେ ପାଳିତ ହୋଇଯାଇଛି । ଚଳିତ ବର୍ଷର ଥିମ୍ ରହିଛି “ଇନ୍‌ସ୍ପାୟାର୍ ଇନ୍‌କ୍ଲୁଜନ୍ ।” ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ । ସାମାଜିକ, ସାଂସ୍କୃତିକ, ରାଜନୈତିକ, ଆର୍ଥିକ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ସ୍ତରରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିଲେ ମଧ୍ୟ ସହଭାଗିତାର ଅଭାବ ଯୋଗୁଁ ଏହାର ସୁଫଳ ମହିଳାମାନଙ୍କ ନିକଟରେ ପହଂଚି ପାରୁନାହିଁ । ଆମେରିକା ଭଳି ଉନ୍ନତ ଦେଶରେ ରାଷ୍ଟ୍ରପତି ପଦ ଏ ପର୍ଯ୍ୟନ୍ତ ମହିଳାଙ୍କୁ ମିଳି ପାରିନଥିବା ବେଳେ ଭାରତ ଭଳି ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଷ୍ଟ୍ରପତି ପଦବୀ ଦୁଇ ଦୁଇଜଣ ମହିଳା ଅଳଙ୍କୃତ କରିବାର ସୌଭାଗ୍ୟ ମହିଳାମାନଙ୍କୁ ଆଗକୁ ଅଗ୍ରସର ହେବାର ପ୍ରେରଣା ଯୋଗାଉଛି ବୋଲି ସେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ବ୍ୟଙ୍ଗ ଚିତ୍ରକାର ଆର୍‌.କେ ଲକ୍ଷ୍ମଣଙ୍କ ବ୍ୟଙ୍ଗଚିତ୍ରରେ ସ୍ଥାନିତ ‘କମନ୍ ମ୍ୟାନ୍‌’ର ଉଦାହରଣ ଦେଇ ନାରୀଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ନାରୀ କେବେ ସାଧାରଣ ନୁହେଁ । ଅନ୍ୟତମ ଅତିଥି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର କହିଥିଲେ ଯେ, ମହିଳାମାନେ ସମାଜର ପ୍ରଗତିର ଉତ୍ସ । ସେ ହିଁ ସୃଷ୍ଟି କର୍ତା ଓ ଶକ୍ତିସ୍ୱରୂପା । ଆମ ଭାରତୀୟ ସମାଜର ପିତୃ ସତାତ୍ମକ ମାନସିକତା, ଲିଙ୍ଗଗତ ତାରତମ୍ୟ ଓ ସଂକୀର୍ଣ୍ଣ ମନୋଭାବ ମହିଳାଙ୍କୁ ବହୁ ସୁଯୋଗରୁ ବଂଚିତ କରିଥାଏ । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଉପଖଣ୍ଡ ସୂଚନା ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଡିପିସି (ମମତା) ମନୋରଞ୍ଜନ ଦାସ, ବିଜ୍ଞାନ ପରିଦର୍ଶକ ନିଶିଥ ବାରିକ, ନେଚରର୍ସ କ୍ଲବ୍‌ର ସମ୍ପାଦକ ବିରଜା ପ୍ରସନ୍ନ ପତି ପ୍ରମୂଖ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ଇତିହାସରେ ବିଦୂଷୀ ଓ ବୀରାଙ୍ଗନା ମହିଳାମାନଙ୍କ ଗରିମାମୟ ତ୍ୟାଗ ଓ ଆତ୍ମ ବିଶ୍ୱାସର ସ୍ମୃତିଚାରଣ କରିବା ସହ ମହିଳା ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ । ନାରୀ ସଶକ୍ତିିକରଣ ଓ ରାଜ୍ୟ ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ମୋଟ୍ ୨୧ଜଣ ସିଡିପିଓ, ସୁପରଭାଇଜର୍‌, ଅଙ୍ଗନୱାଡ଼ି କର୍ମୀ, ସହାୟିକା, ଆଶାକର୍ମୀଙ୍କୁ ଜିଲ୍ଲାପାଳ ଉତରୀୟ, ଉପଢୌକନ, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ପୁରସ୍କୃତ କରିଥିଲେ । ପ୍ରଦୀପ ପ୍ରଜ୍ଜେ୍ୱାଳନପୂର୍ବକ ସମାରୋହ ଜିଲ୍ଲାପାଳଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ ପରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରାରମ୍ଭରେ ଦିବସ ପାଳନର ଆଭିମୁଖ୍ୟ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଶେଷରେ ପୋଗ୍ରାମ୍ ଅଫିସର ସଂଯୁକ୍ତା ମିଶ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ବାରା ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି

ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!