ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡ଼ି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ , କଂଗ୍ରେସ ପକ୍ଷରୁ ବିଶ୍ୱନାଥପୁରଠାରେ ସାମ୍ବାଦିକ ସମ୍ମିଳନୀ  

ବିଜେଡ଼ି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ 

କଂଗ୍ରେସ ପକ୍ଷରୁ ବିଶ୍ୱନାଥପୁରଠାରେ ସାମ୍ବାଦିକ ସମ୍ମିଳନୀ  

ଲାଞ୍ଜିଗଡ, ୨୦/୦୩(ମନିସ)-ଓଡିଶାର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାର ରାଜ୍ୟ ତଥା ଦେଶକୁ ଲୁଟୁଛନ୍ତି । ଦୁର୍ନୀତିରେ ବୁଡ଼ି ରହିଛନ୍ତି ଉଭୟ ସରକାର । ରାଜ୍ୟରେ ୨୪ ବର୍ଷର ଶାସନକାଳରେ ନବୀନ ବାବୁ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ଧୋକା ପରେ ଧୋକା ଦେଇ ଚାଲିଛନ୍ତି । ଓଡ଼ିଶାର ଜନସାଧାରଣଙ୍କ ନବୀନବାବୁଙ୍କ କାରସାଦି ଓ ଜାଲିଆତି ବୁଝିଗଲେଣି । ଅବୈଧ ବଣ୍ଡ ଜରିଆରେ ବିଭିନ୍ନ କମ୍ପାନୀଠାରୁ ଆଂଚଳିକ ଦଳ ବିଜେଡ଼ି ସବୁଠୁ ଅଧିକ ଦଳୀୟ ପାଣ୍ଠି ଆଦାୟ କରିଛନ୍ତି । ଏହା ସୂଚିତ କରୁଛି ନବୀନ ବାବୁ ରାଜ୍ୟକୁ ଲୁଟିବାପାଇଁ ସଂପୃକ୍ତ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶାସକ ଦଳର ଅସଲ ଚିତ୍ର ଓ ଚରିତ୍ର ସାମନାକୁ ଆସିବ ବୋଲି କଳାହାଣ୍ଡି ଜିଲ୍ଲା କଂଗ୍ରେସ ମିଡିଆ ସେଲ ଅଧ୍ଯକ୍ଷ ମୁରଲୀଧର ନାଏକ କହିଛନ୍ତି । ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ ରାଜ୍ୟରେ ଚିଟ୍‌ଫଣ୍ଡ ମହାଦୁର୍ନୀତି ଓ ଖଣି ଦୁର୍ନୀତିରେ ସଂପୃକ୍ତ ରାଜ୍ୟସରକାରଙ୍କୁ ଘଣ୍ଟ ଘୋଡାଉଛନ୍ତି କେନ୍ଦ୍ର ସରକାର । ନିର୍ଦିଷ୍ଟ ରାଜନେତା ଓ ବ୍ୟକ୍ତିବିଶେଷଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ଚଢ଼ାଉ କରିଥିବାବେଳେ କୋଟିକୋଟି ଟଙ୍କାର ମହାଦୁର୍ନୀତିରେ ସଂପୃକ୍ତ ନବୀନ ସରକାରଙ୍କୁ ମୋଦୀ ସରକାର କାହିଁକି ଘଣ୍ଟ ଘୋଡାଉଛନ୍ତି ଓ ଏହା ପଛର ଅସଲି ଉଦ୍ଦେଶ୍ୟ କ’ଣ ତାହା ରାଜ୍ୟବାସୀଙ୍କୁ ଆଉ ଅଜଣା ଓ ଅଛପା ନାହିଁ । ବାସ୍ତବତା ହେଉଛି ରାଜ୍ୟର କୃଷକ, ମହିଳା, ଯୁବକ ଓ ଛାତ୍ର ଦିଶାହୀନ ହୋଇପଡ଼ିଛନ୍ତି । ତଥାପି ନବୀନ ବାବୁ କ୍ଷମତାରେ ରହିବାପାଇଁ ବିକଳ ହୋଇ ଚିଠିର ଆଶ୍ରା ନେଇଛନ୍ତି, ଯାହା ଦୁଃଖ ଓ ପରିତାପର ବିଷୟ । ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଜୀବନ ଯାଉଛି ବୋଲି ଶ୍ରୀ ନାଏକ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ତଥା କଂଗ୍ରେସର ବରିଷ୍ଠ ନେତା ଇଂ ଫକୀର ମୋହନ ମାଝୀ କହିଛନ୍ତି ଯେ, ଖଣିଜ ସମ୍ପଦରେ ସମୃଦ୍ଧ ଆମ କଳାହାଣ୍ଡି ତଥା ଓଡ଼ିଶାକୁ ଅଣଓଡ଼ିଆଙ୍କ ହାତରେ ଟେକିଦେବା ପାଇଁ ବିଜୁ ଜନତା ଦଳ ତରଫରୁ ଅହରହ ଉଦ୍ୟମ ଚାଲିଛି । ରାଜ୍ୟରେ ଖଣି, ପାଣି, ଜଙ୍ଗଲ ଜମିକୁ ଦିନ ଦ୍ବିପ୍ରହରରେ ଅଣଓଡ଼ିଆମାନେ ଲୁଟ କରିଚାଲିଥିବା ବେଳେ ନବୀନ ବାବୁ ସେମାନଙ୍କ ସାଥ ଦେଇ ଓଡ଼ିଶାର ଅସ୍ଥିତ୍ବକୁ ଭୁଲୁଣ୍ଠିତ କରି ଚାଲିଛନ୍ତି। କଳାହାଣ୍ଡିର ହଜାର ହଜାର ଯୁବକ ଯୁବତୀ କେରଳ, ତାମିଲନାଡୁ, ସୁରଟ, ଆନ୍ଧ୍ରପ୍ରଦେଶ ଆଦି ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। କୃଷକ ଏଠି ନ୍ୟାୟ ପାଇବାରୁ ବଂଚିତ, ମହିଳା ଏଠାରେ ଅସୁରକ୍ଷିତ, ନାରୀ ନିର୍ଯ୍ୟାତନା ଓ ମହିଳା ଚାଲାଣରେ ଓଡ଼ିଶା ଏକନମ୍ବର ସ୍ଥାନରେ ରହିଛି ବୋଲି ଇଂ ମାଝୀ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ନାଏକ କହିଛନ୍ତି ଯେ, ଖଣ୍ଡି ଓଡ଼ିଆ କହୁଥ‌ିବା ମୁଖ୍ୟମନ୍ତ୍ରୀ ୨୪ ବର୍ଷଧରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ବିଭାଗର ଅଧ୍ଯକ୍ଷ କୁମରମଣି ନାଏକ,ବ୍ଲକ ଯୁବ କଂଗ୍ରେସ ସଭାପତି ଭୀମସେନ ନାଏକ, ବ୍ଲକ ସଂପାଦକ ଗଣେଶ ବେହେରା, ପୁରୁଷୋତ୍ତମ ଦଣ୍ଡସେନା, ମକରନ୍ଦ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ ।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ସକ୍ରିୟ ସଦସ୍ୟ ସମ୍ମୀଳନୀ ଅନୁଷ୍ଠିତ 

masiha

ରାଇରଙ୍ଗପୁରରେ ବିଜେପି ତରଫରୁ ପ୍ରାକ୍ତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

masiha

କଣ୍ଟାବାଞ୍ଜି ରାଜନୀତିରେ ହଟଚମଟ , ଉଭୟ କଂଗ୍ରେସ ,ବିଜେପି ଓ ବିଜେଡି ମଧ୍ଯରେ ଛକାପଞ୍ଚା

masiha

Leave a Comment

error: Content is protected !!