ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଓଡ଼ିଶା ଆସିଲେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ

ଓଡ଼ିଶା ଆସିଲେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ

ନିର୍ବାଚନୀ ବିପର୍ଯ୍ୟୟ ପରେ ଆଜି ଓଡ଼ିଶା ଆସିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ବିଜେଡିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରାଯାଉଥିବାବେଳେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ସୂଚନା ଅନୁସାରେ, ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିଛନ୍ତି । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସହ ସେ ଦିଲ୍ଲୀରୁ ଆସି ସିଧାସଳଖ ନବୀନ ନିବାସ ଯାଇଥିଲେ । ବିମାନ ବନ୍ଦରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି) ଉଭୟ ଅରୁଣ ଓ ପାଣ୍ଡିଆନଙ୍କୁ ରିସିଭ୍ କରିଥିଲେ । ସମସ୍ତେ ନବୀନ ନିବାସରେ କିଛି ସମୟ ବିତାଇବା ପରେ ପାଣ୍ଡିଆନ ଓ ବବି ନିଜ ନିଜ ଘରକୁ ଫେରିଛନ୍ତି । ନବୀନ ନିବାସରେ ନବୀନଙ୍କ ସହ ଅରୁଣ ରହିଥିବା ଜଣାପଡ଼ିଛି ।

ତେବେ ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗକୁ ଧୂଳିସାତ କରି ବିପୁଳ ବିଜୟ ହାସଲ କରି ରାଜ୍ୟରେ ବିଜେପି ଆସନ୍ତା ୧୦ତାରିଖରେ ନିଜର ସରକାର ଗଢ଼ିବାକୁ ଯାଉଥିବାବେଳେ ବିଜେଡିର ଏହି ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ସବୁ ମହଲରେ ଦାୟୀ କରାଯାଉଛି । ବିଜେଡିରେ ପାଣ୍ଡିଆନବିରୋଧୀ ସ୍ୱର ଅଧିକ ଶାଣିତ ହେବାରେ ଲାଗିଛି । ଦଳର ଏଭଳି ଦୁର୍ବଳ ପ୍ରଦର୍ଶନ ପରେ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗକୁ ଆସି ସିଧାସଳଖ ଦଳର ବିଧାୟକ ଓ ପରାଜିତ ପ୍ରାର୍ଥୀ ଓ ଅନ୍ୟମାନଙ୍କୁ ସିଧାସଳଖ ଭେଟୁଛନ୍ତି । କିନ୍ତୁ ଏହି ସାକ୍ଷାତ ସମୟରେ ପାଣ୍ଡିଆନଙ୍କୁ ଦୂରେଇ ରଖାଯାଇଛି ।ତେବେ ଗତ ସପ୍ତାହରେ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହେଁ ବୋଲି ନବୀନ କହିସାରିଥିବାରୁ ଏବେ ଅରୁଣଙ୍କୁ ଆଣି ବିଜେଡି ପକ୍ଷରୁ ଦଳକୁ ବଂଚାଇବାର ପ୍ରୟାସ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା । ବିଜେଡିର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଲାଗି ରହିଥିବାରୁ ବୋଧହୁଏ ନବୀନ ସକ୍ରିୟ ଥିବା ଅବସ୍ଥାରେ ଅରୁଣଙ୍କୁ ଦଳର ନେତୃତ୍ୱ ଭାର ଦେବାକୁ ଯୋଜନା ହୋଇଥାଇପାରେ ବୋଲି ବିଜେଡିର ଗୋଟିଏ ଗୋଷ୍ଠୀ କହୁଛି ।

ତେବେ ଦୀର୍ଘ ୨୭ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ଏବେ ମୁଖ୍ୟମନ୍ତ୍ରୀ ପଦ ଯିବାପରେ କାଳେ ମାନସିକସ୍ତରରେ ଭାଙ୍ଗି ପଡ଼ିବେ ସେଥିପାଇଁ ସାନ୍ତ୍ୱନା ଦେବାକୁ ତାଙ୍କ ପରିବାର ସଦସ୍ୟ(ଅରୁଣ) ଭୁବନେଶ୍ୱର ଆସିଛନ୍ତି ବୋଲି ଅନ୍ୟ ଏକ ଗୋଷ୍ଠୀ କହୁଛି । ଅରୁଣ ୨-୩ଦିନ ରହି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଅରୁଣଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ରାଜନୀତିରେ ସାମିଲ ହେବେ ନାହିଁ ବୋଲି ରୋକଠୋକ୍ ଜଣାଇଥିଲେ । ଏବେ ପରିବର୍ତ୍ତିତ ପରିସ୍ଥିତିରେ ଅରୁଣଙ୍କ ଭୂମିକା କ’ଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ।ସୂଚନାଯୋଗ୍ୟ, ବିଜେଡିର ବିପର୍ଯ୍ୟୟ ପରେ ଗଣମାଧ୍ୟମଠୁ ଦୂରେଇ ରହୁଥିବା ଭିକେ ପାଣ୍ଡିଆନ ଗତ ବୁଧବାର ରାତିରେ ଦିଲ୍ଲୀ ପଳାଇଥିଲେ ଓ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଛନ୍ତି ।

ବିଷ୍ଣୁ ଚରଣ ସ୍ୱାଇଁ 

Related posts

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଙ୍କ ବଳାତ୍କାର ଘଟଣା  ନେଇ ରାଇରଙ୍ଗପୁରରେ ଯୁବ ବିଜେପି ମୋର୍ଚା ତରଫରୁ ରାହୁଲ ଗାନ୍ଧୀ ଏବଂ ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ

Sunil Chandra Nayak

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ରଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

masiha

ରାଇରଙ୍ଗପୁରରେ ବିଜେପି ତରଫରୁ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!