ଶୁଣିବା ହେଉ ମଣିମା
ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ
କ୍ଷୟ ନାହିଁ ତଵ
ଗାରିମା ଠାକୁରେ !
କ୍ଷୟ ନାହିଁ ତଵ ମହିମା ।
କ୍ଷୟ ହୁଏ ତଵ
ସବୁଜ ବିଭବ
ଶୁଣିବା ହେଉ ମଣିମା ।।
ପୂର୍ବ ବର୍ଷ ବନ
କେଦାର କାନନ
ଯାହାଥିଲା ପରିମାଣେ ।
ଆଜି ବି ସେତିକି
ନଥି ପତ୍ରେ ଅଛି
ଖୋଜିଲେ ମିଳୁନି ସ୍ଥାନେ ।।
କ୍ଷୟ ହୁଏ ଆମ
ଉତ୍ପାଦନ କ୍ଷେତ
କି ଲାଭ ଲଙ୍ଗଳ ଯୋଡି ।
ବିକି ଭାଙ୍ଗିଦେଲି
ଅଭାବ କଷଣେ
ମୋ ସୁଖ ଦେଲା ଅଜାଡି ।।
ଷାଠିଏ ପଉଟୀ
କେବେ କମେ ନାହିଁ
ତୁମ ଭୋଗ ହୁଏ ସ୍ଥିର ।
ପଉଟୀଏ ଧାନ
ବିକଳେ ଅର୍ଜନ
ମନକୁ କରେ ଅସ୍ଥିର ।।
କିଏ ମାଗେ ଜମି
ପ୍ଲଅଟ ପାଇଁ କି
ରାସ୍ତା ପାଇଁ କିଏ ମାଗେ ।
ମନା କଲେ ମୁହିଁ
ଛଡାଇ ନିଅନ୍ତି
ଅଛି ଯା ସମ୍ମୁଖ ଭାଗେ ।।
ତୁମରି ଉପାୟ
ସାମ୍ ଦାମ୍ ଦଣ୍ଡ
ଭେଦ ମାର୍ଗକୁ ଆବୋରି ।
ପ୍ରଗତି ନାଁ ରେ
ଉଜାଡି ଚାଲନ୍ତି
ବ୍ୟକ୍ତିଗତ ସ୍ୱାର୍ଥ ଧରି ।।
ଗାଁ ପରିବେଶ
ସବୁଜ ସୁନ୍ଦର
ଶୋଭୁଥିଲା ବିଲ ମାଳ ।
ତୋଟାମାଳ ଵନ
ପ୍ରଦେଶ ଭିତରୁ
(ଛବି) ଚକାଡୋଳା ଅବିକଳ ।।
ଦେଖୁଥିଲେ ମନ
ପୁରି ଉଠୁଥିଲା
ପ୍ରିୟ ପରିଜନ ମେଳେ ।
ଫେରିବକି ପ୍ରଭୁ
ସେହି ଖୁସି ପୁଣି
ରହିଛି ଚାହିଁ ବିକଳେ ।।
ଦେଉଥିବି ମୁହିଁ
ନେଉଥିବ ତୁମେ
ଗାଆଁ ଫୁଲ ଫଳ ଶାଗ ।
ରଥପାଇଁ କାଠ
ଦୋଳପାଇଁ ନେତ
ପଠାଇ ଗାଇବି ଗୀତ ।।
ଶରଣ ଠାକୁରେ !
ଭରଣା କରନ୍ତୁ
ମନୋରଥ ଆପେ ଜାଣି ।
ଶିରିକ୍ଷେତ ତୁମ
ରାଇଜଟା ସାରା
ଓଡ଼ିଆ ମଉଡ଼ ମଣି ।।
ଚିକିଟୀଗଡ଼, ଗଞ୍ଜାମ