ଚୋରକୁ ଧରିବାକୁ ଯାଇ ଟ୍ରାକ୍ଟର ଚାପ ରେ ଦୁଇ ଭାଇଙ୍କ ମୃତ୍ୟୁ !
ଦୁଇ ମୃତଦେହ ରାସ୍ତା ଅବରୋଧ, ଉଚିତ୍ ତଦନ୍ତ ଓ କ୍ଷତି ପୂରଣ ଦାବିରେ ଆନ୍ଦୋଳନ କଲେ ପରିବାର
ଟ୍ରାକ୍ଟର ଟ୍ରଲି ଚୋରକୁ ଧରିବାକୁ ଯାଇ ଦୁଇ ଭାଇଙ୍କ ଟ୍ରାକ୍ଟର ଚାପ ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ମର୍ମନ୍ତୁଦ ମୃତ୍ୟୁ ଘଟଣା କୁ ନେଇ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ମେରଘରା ଗ୍ରାମରେ।ଉଚିତ୍ ତଦନ୍ତ ଓ କ୍ଷତି ପୂରଣ ଦାବିରେ ଆଜି ଦୁଇ ମୃତଦେହ ରଖି ପରିବାର ଓ ସ୍ଥାନୀୟ ଲୋକେ ଧର୍ମଗଡ଼ ମୁଖ୍ୟ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିବାରୁ ସଡ଼କ ଯାତାୟାତ ବାଧାପ୍ରାପ୍ତ ହୋଇଥଲା। ଘଟଣା ସ୍ଥଳରେ ଧର୍ମଗଡ ଥାନା ପୋଲିସ ପହଞ୍ଚି ବୁଝାଇବା ସତ୍ତ୍ଵେ ପରିବାର ଲୋକେ ଦୋଷୀକୁ ଧରିବା ଓ ଉପଯୁକ୍ତ କ୍ଷତିପୂରଣ ଦାବୀରେ ଅଡି ବସିଥିଲେ। ସ୍ଥାନୀୟ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ ରାସ୍ତାରୋକ ସ୍ଥାନକୁ ଯାଇ ଦୁଇ ମୃତକ ଙ୍କ ପରିବାର କୁ ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ଅନ୍ୟାନ୍ୟ ସରକାରୀ କ୍ଷତିପୂରଣ ଦେବାର ଆଶ୍ଵାସନା ପରେ ଆନ୍ଦୋଳନ ବନ୍ଦ ହୋଇଥିଲା।
ଘଟଣା ର ବିବରଣୀ ରୁ ପ୍ରକାଶ ଯେ ନୀତିଦିନ ପରି ଟ୍ରାକ୍ଟର ମାଲିକ ଲାଲୁ ଭଇସାଲ ନିଜର ଟ୍ରାକ୍ଟର ର କାମ ସରିବା ପରେ, ନିଜ ଘରର ରାସ୍ତା ନିକଟ ରେ ଟ୍ରାକ୍ଟର ର ଟ୍ରଲି କୁ ରଖିଥିଲେ। ତେବେ ଗତ କାଲି ସୋମବାର ମଧ୍ୟ ରାତ୍ରି ରେ ଚୋର ଆସି ଟ୍ରଲି କୁ ନେଇଯିବା ବେଳେ ପରିସ୍ରା କରିବାକୁ ବାହାର କୁ ବାହାରିଥିଲା ହରିଶଙ୍କର ଭଇସାଲ, ନିଜ କକା ଘର ଟ୍ରାକ୍ଟର ର ଟ୍ରାଲି କୁ ଅନ୍ୟ ଏକ ଟ୍ରାକ୍ଟର ନେଇକି ଯିବାର ଦେଖି ଟ୍ରାକ୍ଟର ମାଲିକ ଙ୍କ ସାନ ପୁଅ ସତ୍ୟମ ଭଇସାଲ କୁ ଡାକିଥିଲେ । ପରେ ନିଜର ବାଇକ ଯୋଗେ ଦୁଇଭାଇ ଚୋରି ନେଉଥିବା ଟ୍ରାକ୍ଟର କୁ ପିଛା କରି ତେନ୍ତୁଲି ପଡା ଛକ ନିକଟ ବ୍ରାହ୍ମଣଛେଣ୍ଡିଆ ପଟ ରାସ୍ତାରେ ଟ୍ରାକ୍ଟର ପିଛା କରିଥିଲେ । ଅଳ୍ପ କିଛି ରାସ୍ତା ଅତିକ୍ରମ କରିବା ପରେ ଟ୍ରାକ୍ଟର ର ଆଗକୁ ବାଇକ ନେଇକି ଚୋରି କରିଥିବା ଟ୍ରାକ୍ଟର କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଚୋର ମାନେ ଦୁହି ଙ୍କ ଉପରକୁ ଟ୍ରାକ୍ଟର ଚଢାଇ ଦେଇ ଫେରାର ହୋଇ ଯାଇଥିଲେ । ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରୁ ଦୁଇ ଭାଇ ଙ୍କୁ ମୂର୍ମୁଶୁ ଅବସ୍ଥା ରେ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନା କୁ ଆଣିଥିଲେ । ତେବେ ଦୁର୍ଘଟଣା ଗ୍ରସ୍ତ ଦୁଇ ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବରୁ ଦୁହିଁ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହରିଶଙ୍କର ଭଏସାଲ କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ସତ୍ୟମ କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରୁ ଥିବା ବେଳେ ଅଧା ବାଟ ରେ ସତ୍ୟମ ର ମଧ୍ୟ ମୃତୁ ହୋଇଥିଲା । ଖବର ପାଇ ଧର୍ମଗଡ ପୋଲିସ ଏସ ଆଇ ସନ୍ତୋଷ ସିର୍କା ପୁଲିସ ଦଳବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଥିବା ବେଳେ ଧର୍ମଗଡ ପୋଲିସ ଏସ ଆଇ ଲୋରିସ ପ୍ରଧାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଦୁଇ ଭାଇଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରି ଥିଲେ।ଅନ୍ୟପକ୍ଷରେ ଧର୍ମଗଡ ପୁଲିସ ଏହି କେଶ ର ତଦନ୍ତ ଜାରି ରଖିଥିବା ଜଣାପଡିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

