ଖରିଫ୍ ବର୍ଷ ୨୦୨୫-୨୬(ଖରିଫ) ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
ମୟୂରଭଂଜ: ତା ୨୫.୧୧.୨୦୨୪ ରିଖ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମୟୂରଭଞ୍ଜ ଜିଲ୍ଲାରେ ଖରିଫ ବର୍ଷ ୨୦୨୫-୨୬ (ଖରିଫ) ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଉଦଳା, ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କିଭଳି କରାଯିବ ସେବିଷୟରେ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଓ ଡେପୁଟି ରେଜିଷ୍ଟ୍ରାର୍, ସମବାୟ ସମିତି ଶ୍ରୀ ଅଶୋକ କୁମାର ପାଣି ଉପସ୍ଥିତ ରହି ବିବରଣୀ ପାଠ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଆଲୋଚନାରେ ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ଆଗାମୀ ଡିସେମ୍ବର ୨୬ ତାରିଖରୁ ପର୍ଯ୍ୟାୟକ୍ରମେ ଜିଲ୍ଲାର ୮୩୮୨୦ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ୧୦୩ ଗୋଟି ମଣ୍ଡି ଓ ୫୨ଟି ଲ୍ୟାମ୍ପସ ମାଧ୍ୟମରେ ଆନୁମାନିକ ୧୩,୮୨,୦୦୦.୦0 କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୮ ଜଣ ମିଲର ଏଥିରେ ଅଂଶ ଗ୍ରହଣ କରିବେ।
ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ସହ ଗତଥର ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାର ପୁନରାବୃତ୍ତି ନଘଟିବା ,ଚାଷୀମାନେ ଯେପରି କଟଣି ଛଟଣୀର ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବିଶେଷତଃ, ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟାରେ ହସ୍ତକ୍ଷେପ ନକରନ୍ତି, ମଣ୍ଡିରେ ସଂଗ୍ରହ ହେବାକୁ ଥିବା ଧାନକୁ ସୁରକ୍ଷିତ ଭାବେ ରଖିବାକୁ ଆବଶ୍ୟକୀୟ ପଲିଥିନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ, ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସିର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବା ସହ ଧାନର ଏଫଏକ୍ୟୁ ମାନ ବିଷୟରେ ଚାଷୀଙ୍କୁ ପୂର୍ବରୁ ସଚେତନ କରିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ମହାପାତ୍ର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମଣ୍ଡିକୁ ଏଫ ଏ କ୍ଯୁ ଧାନ ଆଣିବାଳୁ ଚାଷୀ ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେବା ସହ ଚାଷୀ ମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ କଟଣି ଛଟଣି କୁ ପୁରା ବନ୍ଦ କରିବାକୁ ମିଲର ମାନଙ୍କୁ ଅନୁରୋଧ କରିଥିଲେ। ତତ ସହିତ ପ୍ରକୃତ ଚାଷୀ ପାଖରୁ ହିଁ ଧାନ ସଂଗ୍ରହ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ କୌଣସି ପ୍ରକାର ଦଲାଲି କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଥିଲେ।
ମାନ୍ୟଵର ବିଧାୟକ ବୃନ୍ଦ ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ,ମଣ୍ଡିରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ,ପାନୀୟ ଓ ଶୌଚାଳୟ ବ୍ୟବସ୍ଥା,ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ରେ ଯେପରି କୌଣସି ପ୍ରକାର ଅସୁବିଧା ସୃଷ୍ଟି ନହୁଏ, ଏବଂ ସହଜରେ ସଂଗ୍ରହ ସମ୍ପନ୍ନ କରିବାକୁ ଆହ୍ୱାନ ଦେଇଥିଲେ ।
ଜିଲ୍ଲା ସ୍ତରରେ ନୋଡାଲ ଅଫିସର ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ)ଙ୍କୁ ଦାୟିତ୍ୱ ମିଳିଥିବା ବେଳେ, ସମସ୍ତ ମଣ୍ଡି ମାନଙ୍କରେ ଜଣେ ଲେଖାଏଁ ନୋଡ଼ାଲ ଅଧିକାରୀ ଏବଂ ୪-୫ ଟି ମଣ୍ଡି ରେ ଜଣେ ଲେଖାଏ ସୁପରଭାଇଜିଙ୍ଗ ଅଧିକାରୀ ଙ୍କୁ ଦାୟୀତ୍ବ ଦିଆଯାଇଛି । ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ,ମଣ୍ଡିରେ ବିଜୁଳି, ଭିତ୍ତିଭୂମି,ଆଶ୍ରୟ ସ୍ଥଳ,ଟୋକନ୍ ସମୟ ସୀମା, ଓଜନ ମେସିନର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ସହଜରେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ । ବାହାର ଜିଲାରୁ କିମ୍ବା ଆନ୍ତରାଜ୍ୟ ଧାନ ବିକ୍ରି ରୋକିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ବିଭିନ୍ନ ସିମାଞ୍ଚଳ ସ୍ଥାନରେ ନାକା ବନ୍ଦୀ ବ୍ୟବସ୍ଥା କରିବା ତଥା ସିସିଟିଭି ଦ୍ବାରା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଗିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଏଫ୍.ଏ.କ୍ୟୁ (Fair Average Quality) ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ଧାନର କ୍ଵିଣ୍ଟାଲ ପ୍ରତି ମୂଲ୍ୟ ୨୩୨୦/- ଟଙ୍କା ରଖାଯାଇଛି। ଏହାଛଡା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ ।
ପ୍ରତ୍ୟେକ ଧାନ ମଣ୍ଡିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ । ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ସଂଗୃହୀତ ଧାନର ମାନ ନିରୀକ୍ଷଣ କରିବା ପାଇଁ ଆର୍ଟିଫସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ଶସ୍ୟ ବିଶ୍ଳେଷଣକାରୀ (GRAIN Analyser) ଯନ୍ତ୍ରର ବ୍ୟବହାର କରାଯିବ ଏବଂ ସମସ୍ତ ମଣ୍ଡି ମାନଙ୍କରେ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ସହ ସି ସି ଟି ଭି କ୍ୟାମେରା ଲଗାଯିବ ଓ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେବାର ୪୮ ଘଣ୍ଟା ମଧ୍ୟରେ ଚାଷୀ ତା’ଙ୍କର ବିକ୍ରୟ ଧାନର ମୂଲ୍ୟ ପାଇବେ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଶ୍ରୀ ଆଶିଷ କୁମାର ମହାନ୍ତ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, କପ୍ତିପଦା ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକ, ପାଞ୍ଚପୀଢ଼ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲୋକନାଥ ମିଶ୍ର, କୃଷକ ପ୍ରତିନିଧି,ଜିଲ୍ଲା ଯୋଗାଣ ବିଭାଗର ସମସ୍ତ ଅଧିକାରୀ ଓ ବିଭିନ୍ନ ମିଲର ମାନେ ଉପସ୍ଥିତ ଥିଲେ ।
ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

