ତେନ୍ତୁଳିଖୁଣ୍ଟି ନିକଟରେ ବେଆଇନ କାଠ ପରିବହନ ଗାଡ଼ି ଜବତ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଞ୍ଜର ବନ ଅଧିକାରୀମାନେ ଶୁକ୍ରବାର ଭୋର ପାଟ୍ରୋଲିଂ ସମୟରେ ବେଆଇନ ଭାବରେ ପରିବହନ ହେଉଥିବା ଖଇର କାଠ ବୋଝେଇ ଏକ ଛଅ ଚକିଆ ଟ୍ରକ୍ ଜବତ କରିଥିଲେ।
ସୂଚନା ଅନୁଯାୟୀ,ପାଟ୍ରୋଲିଂ ଦଳ ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଢୋଲମଣ୍ଡଳ ସେକ୍ସନ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ନିକଟରେ CG-07 CK-8954 ନମ୍ବର ବିଶିଷ୍ଟ ଏକ ଅଶୋକ ଲେଲ୍ୟାଣ୍ଡ ୬ ଚକିଆ ଟ୍ରକ୍ ଅଟକାଇଥିଲେ। ଗାଡ଼ିଟି ବେଆଇନ ପରିବହନ ପାଇଁ ଖଇର କାଠ ବୋଝେଇ କରୁଥିବାର ଜଣାପଡ଼ିଥିଲା।
ଜଙ୍ଗଲ ଆଇନ ଅନୁଯାୟୀ ଘଟଣାସ୍ଥଳରେ ଗାଡ଼ି ସହିତ ଜଙ୍ଗଲଜାତ ଦ୍ରବ୍ୟ ଜବତ କରାଯାଇଥିଲା। ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି।
ପାଟ୍ରୋଲିଂ ଦଳରେ ଫରେଷ୍ଟର ଶୁସିଲ ପୁଟା,ଘନଶ୍ୟାମ ପସାୟତ,ସୁନୀଲ ମହାନ୍ତି,ବନରକ୍ଷୀ ଆଦିତ୍ୟ ସାମଲ, ମିଥୁନ ଗୌଡ଼,ସୁମନ୍ତ ଦୀପ ଏବଂ କଣ୍ଟାବାଞ୍ଜି ରେଞ୍ଜର ପାରା ପ୍ରୋଟେକ୍ସନ ଫୋର୍ସର ସଦସ୍ୟ ଥିଲେ।
ମୀନକେତନ ନିଆଲ୍ ଙ୍କ ରିପୋର୍ଟ୍

