ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଅବିଚଳ ସଂଗ୍ରାମୀ” ଲୋକାର୍ପିତ : କ୍ଷିତିଶ ବିଶ୍ୱାଳଙ୍କ ସଂଗ୍ରାମୀ ଜୀବନ ଆଜିର ପିଢି ପାଇଁ ପ୍ରେରଣା — ଦୀପଙ୍କର ଭଟ୍ଟାଚାର୍ଯ୍ୟ

“ଅବିଚଳ ସଂଗ୍ରାମୀ” ଲୋକାର୍ପିତ : କ୍ଷିତିଶ ବିଶ୍ୱାଳଙ୍କ ସଂଗ୍ରାମୀ ଜୀବନ ଆଜିର ପିଢି ପାଇଁ ପ୍ରେରଣା — ଦୀପଙ୍କର ଭଟ୍ଟାଚାର୍ଯ୍ୟ

ଭୁବନେଶ୍ୱର, ୨୬ ମେ : ବିପ୍ଲବୀ କମ୍ୟୁନିଷ୍ଟ ନେତା ଓ ସିପିଆଇ(ଏମଏଲ) ଲିବରେସନର ପ୍ରତିଷ୍ଠାତା ରାଜ୍ୟ ସଚିବ ସ୍ୱର୍ଗତ କମ୍ରେଡ କ୍ଷିତିଶ ବିଶ୍ୱାଳଙ୍କ ସଂଗ୍ରାମମୟ ଜୀବନକୁ ଆଧାର କରି ରଚିତ ପୁସ୍ତକ “ଅବିଚଳ ସଂଗ୍ରାମୀ” କୁ ଆଜି ସିପିଆଇ(ଏମଏଲ) ଲିବରେସନର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଲୋକାର୍ପଣ କରିଥିଲେ। ଏହି ଅବସରରେ ରାଜନୈତିକ, ସାମାଜିକ ଓ ସାହିତ୍ୟ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ପୁସ୍ତକ ଉନ୍ମୋଚନ କରି କମ୍ରେଡ ଦୀପଙ୍କର ଭଟ୍ଟାଚାର୍ଯ୍ୟ କହିଥିଲେ ଯେ, କ୍ଷିତିଶ ବିଶ୍ୱାଳ କେବଳ ଜଣେ ରାଜନୈତିକ ନେତା ନୁହେଁ, ସେ ଥିଲେ ଜନସଂଗ୍ରାମର ଏକ ଅଦମ୍ୟ ଯୋଦ୍ଧା। ଚିଲିକାର ମାଛଝିବୀ, ଦଳିତ, ଆଦିବାସୀ ଓ ଶୋଷିତ ଲୋକଙ୍କ ଅଧିକାର ପାଇଁ ସେ ଆଜୀବନ ଲଢ଼ିଥିଲେ। ବେସରକାରୀକରଣ ଓ ବିଶ୍ୱୀକରଣର ଆକ୍ରମଣ ବିରୋଧରେ ସେ ଅନବରତ ସଂଗ୍ରାମ କରିଥିଲେ। କୌଣସି ଦମନ, ଧମକ କିମ୍ବା ଅତ୍ୟାଚାର ତାଙ୍କୁ କେବେ ଦୁର୍ବଳ କରିପାରିନଥିଲା। ସେ କେବେ ଥକି ପଡ଼ିନଥିଲେ ଓ କେବେ ମୁଣ୍ଡ ନୁଆଁଇ ଥିଲେ ।

ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ଦେଶରେ “ବୁଲଡୋଜର ରାଜ” ଓ ରାଜ୍ୟ ପ୍ରୋତ୍ସାହିତ ଦମନ ଗୁରୁତର ଚିନ୍ତାର ବିଷୟ। ଭୋଟର, ଆଦିବାସୀ, ଦଳିତ ଓ ମୁସଲମାନମାନଙ୍କ ଉପରେ ଶାସକ ଶକ୍ତିଙ୍କ ଆକ୍ରମଣ ବଢ଼ୁଛି। ଏହା ବିରୋଧରେ ଏକ ଶକ୍ତିଶାଳୀ ବାମ-ଗଣତାନ୍ତ୍ରିକ ଐକ୍ୟ ଗଢ଼ି ତୋଳିବା ସମୟର ଆବଶ୍ୟକତା।

ପୂର୍ବତନ ସାଂସଦ ସୌମ୍ୟ ରଞ୍ଜନ ପଟନାୟକ କହିଥିଲେ ଯେ, କ୍ଷିତିଶ ବାବୁ ଜୀବନ ସାରା ଜଣେ ସଂଗ୍ରାମୀ କମ୍ୟୁନିଷ୍ଟ ଥିଲେ। “ଅବିଚଳ ସଂଗ୍ରାମୀ” କେବଳ ଏକ ପୁସ୍ତକ ନୁହେଁ, ଏହା ଇତିହାସର ଜୀବନ୍ତ ଦଲିଲ୍‌, ଯାହା ଆଗାମୀ ପିଢ଼ୀକୁ ଶିକ୍ଷିତ କରିବ। ସେ କହିଥିଲେ ଯେ, ଏପରି ଆତ୍ମଜୀବନୀ ଓ ସଂଗ୍ରାମୀ ଜୀବନ କାହାଣୀ ସମସ୍ତଙ୍କ ଲେଖିବା ଉଚିତ। ସରକାର ଅଳ୍ପ କିଛି ସହାୟତା ଦେଇ ନାରୀ ସଶକ୍ତିକରଣର କଥା କହୁଛନ୍ତି, କିନ୍ତୁ ପ୍ରକୃତ ସଶକ୍ତିକରଣ ପାଇଁ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ଆବଶ୍ୟକ। ଯୁବପିଢ଼ୀଙ୍କୁ ଅନ୍ୟାୟ ବିରୋଧରେ ଏକତ୍ରିତ ହେବାକୁ ସେ ଆହ୍ୱାନ ଦେଇଥିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କ୍ଷିତିଶ ବିଶ୍ୱାଳଙ୍କୁ ଜନଆନ୍ଦୋଳନର ମସିହା ଭାବେ ବର୍ଣ୍ଣନା କରି ଓଡ଼ିଶାରେ ସାମାଜିକ ନ୍ୟାୟ ଆନ୍ଦୋଳନକୁ ଶକ୍ତିଶାଳୀ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ସିପିଆଇ ର ସମ୍ପାଦକ ଡ଼କ୍ଟର ପ୍ରଶାନ୍ତ ମିଶ୍ର କହିଥିଲେ ଯେ, କ୍ଷିତିଶ ବାବୁ ସଦା ସଂଯୁକ୍ତ ଆନ୍ଦୋଳନକୁ ଗୁରୁତ୍ୱ ଦେଉଥିଲେ। ଆଜି ସମୟ ଆସିଛି ସମସ୍ତ ବାମ ଓ ଗଣତାନ୍ତ୍ରିକ ଶକ୍ତି ଏକତ୍ରିତ ହୋଇ ବିଜେପି ବିରୋଧରେ ଲଢ଼ିବାର।

ସିପିଆଇ ଏମ ର ବରିଷ୍ଠ ନେତା ଦୁଷ୍ମନ୍ତ ଦାସ କହିଥିଲେ ଯେ, କ୍ଷିତିଶ ବାବୁଙ୍କ ସମଗ୍ର ଜୀବନ କମ୍ୟୁନିଷ୍ଟ ଆଦର୍ଶ ପାଇଁ ଉତ୍ସର୍ଗିତ ଥିଲା। ସେ ଭାଗଚାଷୀଙ୍କ ଅଧିକାର ପାଇଁ ଜମିଦାରମାନଙ୍କ ବିରୋଧରେ ମଧ୍ୟ ଆନ୍ଦୋଳନ କରିଥିଲେ।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଥିଲେ ଯେ, କ୍ଷିତିଶ ବାବୁ ଅତ୍ୟନ୍ତ ସ୍ନେହଶୀଳ ଓ ସହଯୋଗୀ ସ୍ୱଭାବର ଥିଲେ। ଓଡ଼ିଶାରେ ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ବାମ-ଗଣତାନ୍ତ୍ରିକ ମୋର୍ଚ୍ଚା ଗଠନ ଅତ୍ୟାବଶ୍ୟକ ବୋଲି ସେ କହିଥିଲେ।

ପୁସ୍ତକର ଲେଖକ ଯୁଧିଷ୍ଟିର ମହାପାତ୍ର ପୁସ୍ତକର ରଚନା ପ୍ରକ୍ରିୟା ଓ କ୍ଷିତିଶ ବିଶ୍ୱାଳଙ୍କ ସଂଗ୍ରାମୀ ଜୀବନର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ।ଏହି ସଭାରେ ବିଶିଷ୍ଟ ଲୋକସାମ୍ବାଦିକ ସୁରେନ୍ଦ୍ର ପାତ୍ର, ଆଜୀବନ କମୁନିଷ୍ଟ ନେତା ଦିବାକର ବେହୁରିଆ, ମୃତ୍ୟୁଞ୍ଜୟ ବଡ଼ଜେନା, କରୁଣାକର ରାଉତରାୟ, ବେଲେଶ୍ୱର ମଙ୍ଗରାଜ, ମୁରଲୀଧର ବେହେରା, ଯୁଧିଷ୍ଠିର ବେହେରା ଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା 

ସଭାକୁ ରାଧାକାନ୍ତ ସେଠି ଅଧ୍ୟକ୍ଷତା କରିଥିବାବେଳେ ଅଶୋକ ପ୍ରଧାନ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିରଞ୍ଜନ ମହାପାତ୍ର,ବିସ୍ୱାବସୁ ମୋହାନ୍ତି , ପ୍ରମିଳାବେହେରା, ସବିତା ବରଜ ଓତିରୁପତି ଗମାଙ୍ଗ ପ୍ରମୁଖ କ୍ଷିତିଶ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।ମହେନ୍ଦ୍ର ପରିଡା ଧନ୍ୟବାଦ ଦେଥିବାବେଳେ ଶ୍ରୀନିବାସ ନାୟକ, ସର୍ବସ୍ୱର ବେହେରା, ସତ୍ୟମନୁ ପ୍ରଧାନ ଉପସ୍ଥିତ ରହି ସଭା ପରିଚଚାଳନା କରିଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ବାଣପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Rayagada Forest Fire: 1000 Hectares of Forest Land Affected in First 5 Months

masiha

ବଂଶୀଧର ଓ ଇଲପଣ୍ଡା ଫାଉଣ୍ଡେସନ ଦ୍ବାରା ରକ୍ତଦାନ ଶିବିର

masiha

Leave a Comment

error: Content is protected !!