ନିଶାମୁକ୍ତ ସମାଜ ଗଠନ ପାଇଁ ଗୋଲାମୁଣ୍ଡାରେ ସଚେତନତା ସଭା
ଜୁନାଗଡ଼,( ମ ନି ସ): ନିଶାମୁକ୍ତ ସମାଜ ଗଠନ ଓ ନିଶା ସେବନର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଗୋଲାମୁଣ୍ଡା ଥାନା ପରିସରରେ ‘ନିଶାମୁକ୍ତ ଅଭିଯାନ’ ଓ ‘ଆମ ପୋଲିସ’ ସମିତି ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମାଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ପୋଲିସ କର୍ମଚାରୀ, ବରିଷ୍ଠ ନାଗରିକ, ପିଆରଆଇ ସଦସ୍ୟ, ସମାଜସେବୀ ଓ ସ୍ଥାନୀୟ ଲୋକେ ଯୋଗଦେଇଥିଲେ। ସଭାରେ ନିଶା ସେବନ ଯୋଗୁଁ ପରିବାର, ସମାଜ ଓ ଯୁବପିଢ଼ି ଉପରେ ପଡୁଥିବା ବିଭିନ୍ନ କୁପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ନିଶା କାରବାରକୁ ରୋକିବା ସହ ନିଶାସକ୍ତ ବ୍ୟକ୍ତିମାନଙ୍କୁ ନିଶା ଛାଡ଼ିବା ପାଇଁ ପ୍ରୋତ୍ସାହିତ କରିବା, ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଏବଂ ଏଥିପାଇଁ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ‘ଆମ ପୋଲିସ’ ସଭା ଅବସରରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ମଧ୍ୟ ଶୁଣାଯାଇଥିଲା। ଜନସାଧାରଣଙ୍କ ସହ ପୋଲିସର ଉତ୍ତମ ଜନସମ୍ପର୍କ ସ୍ଥାପନ କରିବା ସହ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ସମ୍ଭବ ସହଯୋଗ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ସଭାରେ ପୂର୍ବତନ ଗୋଲାମୁଣ୍ଡା ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ବୃଷଭ ନାଏକ, ଗଙ୍ଗାଧର ମୁଣ୍ଡ, ଜନ୍ମେଜୟ ମାଝୀ, ଚତୁର୍ଭୁଜ ନାଏକ, ବରିଷ୍ଠ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲାଙ୍କ ସମେତ ଏସ୍ଆଇ ଚଞ୍ଚଳା ତାଣ୍ଡି,ଏସ୍ଆଇ ଅରୁଣ ଭତ୍ରିଆ,ରାଇଟର ରଞ୍ଜନ କୁମାର ରାଉତ, ପୋଲିସ କର୍ମଚାରୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ନିଶାମୁକ୍ତ ସମାଜ ଗଠନ ପାଇଁ ପୋଲିସ ସହ ଜନସାଧାରଣ ମିଳିମିଶି କାର୍ଯ୍ୟ କଲେ ଅଭିଯାନ ଅଧିକ ସଫଳ ହୋଇପାରିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।
ଜଗଜ୍ଜିବନ ସାଙ୍କ ରିପୋର୍ଟ

