ଆଜିର ଦିବସର ଅନୁଚିନ୍ତା:ଅକ୍ଟୋବର ୨୨ ତାରିଖ: ଇତିହାସ,ବିଜ୍ଞାନମନସ୍କତା,ଦେଶପ୍ରେମ,ଆଧ୍ୟାତ୍ମିକତା ଓ ସାରସ୍ୱତ ସାହିତ୍ୟ ସାଧନାର ସ୍ମରଣୀୟ ଦିବସ
କାଳର ଅବିରତ ପ୍ରବାହରେ ଅକ୍ଟୋବର ୨୨ ତାରିଖ ଇତିହାସ,ବିଜ୍ଞାନମନସ୍କତା,ଭିତ୍ତିଭୂମି ବିକାଶ,ଦେଶପ୍ରେମ ,ଆଧ୍ୟାତ୍ମିକତା ଓ ସାରସ୍ୱତ ସାହିତ୍ୟ ସାଧନାର ଏକ ସ୍ମରଣୀୟ ଦିବସ।
ବିଶ୍ୱ କ୍ଷେତ୍ରରେ ୧୮୮୪ ମସିହା ଅକ୍ଟୋବର ୨୨ ତାରିଖରେ ୱାଶିଂଟନ୍ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମେରିଡିଆନ୍ ସମ୍ମିଳନୀରେ ଗ୍ରୀନୱିଚ୍ ମଧ୍ୟଦେଇ ଯାଇଥିବା ଦ୍ରାଘିମାରେଖାକୁ ବିଶ୍ୱର ପ୍ରାମାଣିକ ପ୍ରାଇମ୍ ମେରିଡିଆନ୍ ବା ଶୂନ ଡିଗ୍ରୀ ଦ୍ରାଘିମା ଭାବେ ଗ୍ରହଣ କରିବା ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଥିଲା।ଏହା ଆଧୁନିକ ଦ୍ରାଘିମା ନିର୍ଣ୍ଣୟ ଓ ବିଶ୍ୱ ସମୟ ଗଣନାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ଭାରତ କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସମ୍ପର୍କରେ ମଧ୍ୟ ଏହି ଦିନର ଗୁରୁତ୍ୱ ଅତୁଳନୀୟ। ଚନ୍ଦ୍ରଯାନ-୧: ଭାରତର ମହାକାଶ ଗବେଷଣାର ଐତିହାସିକ ସଫଳତା
ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଇଥିଲା।ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ପରିଚାଳିତ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ପୃଷ୍ଠଭାଗ, ଖଣିଜ ସମ୍ପଦ ଓ ରାସାୟନିକ ଗଠନ ଅଧ୍ୟୟନ କରିବା।ଏହାର ଏକ ପ୍ରମୁଖ ସଫଳତା ଥିଲା ଚନ୍ଦ୍ରପୃଷ୍ଠରେ ହାଇଡ୍ରକ୍ସିଲ୍ ଆୟନ୍ ଓ ଜଳ ଅଣୁର ଉପସ୍ଥିତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଆବିଷ୍କାର।ଏହି ଅଭିଯାନ ଭାରତର ବୈଜ୍ଞାନିକ ଦକ୍ଷତାକୁ ବିଶ୍ୱଦରବାରରେ ପ୍ରତିଷ୍ଠିତ କରିବା ସହ ପରବର୍ତ୍ତୀ ଚନ୍ଦ୍ର ଅଭିଯାନ ପାଇଁ ନୂତନ ଦିଗ ଉନ୍ମୋଚନ କରିଥିଲା।
ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୧୯୬୩ ମସିହା ଅକ୍ଟୋବର ୨୨ ତାରିଖ ମଧ୍ୟ ସ୍ମରଣୀୟ।ସେହିଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭାକ୍ରା-ନାଙ୍ଗଲ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ।ଏହି ପ୍ରକଳ୍ପ ଜଳସେଚନ,ଜଳବିଦ୍ୟୁତ୍ ଉତ୍ପାଦନ ଓ କୃଷି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।
ଏହି ଦିନ ଭାରତର ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମଦିବସ ମଧ୍ୟ।୧୯୦୦ ମସିହା ଅକ୍ଟୋବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିବା ଅଶ୍ଫାକୁଲ୍ଲା ଖାଁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଦମ୍ୟ ବିପ୍ଳବୀ ଓ ଶହୀଦ ଥିଲେ।ତାଙ୍କର ଦେଶପ୍ରେମ, ସାହସ ଓ ଆତ୍ମବଳିଦାନ ଚିରକାଳ ଯୁବପିଢ଼ିକୁ ପ୍ରେରଣା ଯୋଗାଇଥାଏ।୧୮୭୩ ମସିହା ଅକ୍ଟୋବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱାମୀ ରାମତୀର୍ଥ ବେଦାନ୍ତ ଦର୍ଶନର ପ୍ରଚାରକ ଓ ଆଧ୍ୟାତ୍ମିକ ଚିନ୍ତକ ଭାବେ ପରିଚିତ।
ଓଡ଼ିଶା କ୍ଷେତ୍ରରେ ଏହାର ସାରସ୍ୱତ ଜଗତ ପାଇଁ ଅକ୍ଟୋବର ୨୨ ତାରିଖ ଏକ ଗୌରବମୟ ଦିନ। ୧୯୨୮ ମସିହା ଏହି ଦିନ କଟକଠାରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ଇଂରାଜୀ କବି ଓ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଜୟନ୍ତ ମହାପାତ୍ର।ତାଙ୍କର କବିତା ଆନ୍ତର୍ଜାତୀୟ ସାହିତ୍ୟ ଜଗତରେ ଓଡ଼ିଶାର ପରିଚୟକୁ ଉଜ୍ଜ୍ୱଳ କରିଥିଲା।ସେ ଇଂରାଜୀ କବିତା ପାଇଁ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ କବି।
ବାସ୍ତବିକ୍ କହିବାକୁ ଗଲେ ଏହି ସ୍ମରଣୀୟ ଦିବସ ଆମକୁ ବିଜ୍ଞାନମନସ୍କତା,ଦେଶପ୍ରେମ,ଆଧ୍ୟାତ୍ମିକ ଚେତନା ଓ ସାହିତ୍ୟସାଧନାର ମହତ୍ତ୍ୱ ସ୍ମରଣ କରାଏ।ତେବେ ଆସନ୍ତୁ,ଆମେ ସମସ୍ତେ ଏହି ମହାନ ବ୍ୟକ୍ତିତ୍ୱମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶିକ୍ଷିତ,ବୈଜ୍ଞାନିକ ମନୋଭାବସମ୍ପନ୍ନ,ସମୃଦ୍ଧ,ସୁସ୍ଥ, ସ୍ୱାଭିମାନୀ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଭିତ୍ତିକ ବିଶ୍ୱ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।ଏହା ହିଁ ହେବ ଆଜିର ଦିବସର ଶ୍ରେଷ୍ଠ ଅନୁଚିନ୍ତା।
ଡା.ଦେବୀ ପ୍ରସାଦ ମିଶ୍ର,

