୭ରେ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକୋତ୍ସବ
କବି ସୁଶାନ୍ତ ରଣା ପାଇବେ ଅ’ ପ୍ରତିଭା ସମ୍ମାନ
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେବାକୁ ଥିବା ରାଜ୍ୟସ୍ତରୀୟ ୪ର୍ଥ ବାର୍ଷିକ ମହୋତ୍ସବ ୨୦୨୩-୨୪ ଅ’ ପ୍ରତିଭା ସମ୍ମାନ ପାଇଁ ଯୁବକବି ସୁଶାନ୍ତ ରଣାଙ୍କ ନାମ ଘୋଷଣା ହୋଇଛି l କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ମାଟି ତେରେସିଂହା ଗ୍ରାମର ପିତା ଭରତ ରଣା ଓ ମାତା ପାଟବତୀ ରଣାଙ୍କ ସୁପୁତ୍ର ସୁଶାନ୍ତ ରଣା ଜଣେ କବି ତଥା ଗାଳ୍ପିକ l ଛାତ୍ର ଜୀବନରୁ ହିଁ ସାହିତ୍ୟ ପ୍ରତି ଆଗ୍ରହ ରଖିଥିବା ଶ୍ରୀ ରଣା ଶତାଧିକ କବିତା ଓ ଗଳ୍ପ ଲେଖିବା ସହ ଲେଖା ଜାରି ରଖିଛନ୍ତି l ଓଡ଼ିଶାର ବିଭିନ୍ନ ଖବର କାଗଜ ଓ ସାମାଜିକ ଗଣମାଧ୍ୟମରେ ତାଙ୍କ ରଚିତ ଅନେକ କବିତା/ଗଳ୍ପ ପ୍ରକାଶିତ ଓ ପ୍ରସାରିତ ହୋଇ ବେଶ ପାଠକୀୟ ଆଦୃତ ଲାଭ କରିପାରିଛି l ତାଙ୍କ ରଚିତ ସମ୍ବଲପୁରୀ କ୍ଷୁଦ୍ରଗଳ୍ପ- ମେଁମର୍, ଭେଲକା, ମକାର, ଗହକି, ରାମ୍ ଆଏ କି ରାବଣ, ଛାଡ଼ଖାଇ ଆଦି ଗଳ୍ପ ରେଡ଼ିଓ ଚକଲେଟ୍ ଏଫ୍.ଏମ୍ ୧୦୪ରେ ପ୍ରସାରିତ ହୋଇ ଶ୍ରୋତାଙ୍କର ସେ ପ୍ରିୟ ହୋଇ ପାରିଛନ୍ତି l କବିତା ଲେଖାଲେଖି ପାଇଁ ସେ ବିଭିନ୍ନ ଅନୁଷ୍ଠାନ ଓ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଆସନ୍ତା ୭ତାରିଖ ଜାନୁଆରୀ ୨୦୨୪ରେ ଭବାନୀପାଟଣା ସ୍ଥିତ ବ୍ଲକ କନଫରେନ୍ସ ହଲରେ ହେବାକୁ ଥିବା ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ରାଜ୍ୟସ୍ତରୀୟ ୪ର୍ଥ ବାର୍ଷିକୋତ୍ସବ ୨୦୨୩-୨୪ ପାଇଁ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ନରେଶ କୁମାର ସାହୁ ଓ ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ସୂଚନା ଦେଇଛନ୍ତି l