ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ’ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପାଠଚକ୍ର 

ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ’ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପାଠଚକ୍ର 

ଭୁବନେଶ୍ୱର : ମାଟି, ମାଆ, ମଣିଷର ଉତ୍ଥାନ ପାଇଁ ଦିନେ ଓଡ଼ିଆ ଜାତିର ଲଢ଼େଇ ଥିଲା ଏକାନ୍ତ ଭାବରେ ନିର୍ଣ୍ଣାୟକ ଓ ଦୁନିର୍ବାର l ମଧୁବାବୁ ଏ ଜାତିକୁ ଦିନେ ଆହ୍ୱାନ ଦେଇଥିଲେ, ହେ ଓଡ଼ିଆମାନେ ତୁମ୍ଭେମାନେ କ’ଣ ସେଇ ପୂର୍ବପୁରୁଷଙ୍କ ଦାୟାଦ ? ପୂର୍ବ ଐତିହ୍ୟ ଓ ପୂର୍ବ ଗୌରବକୁ କେବେ ତୁମ୍ଭେମାନେ ଫେରେଇ ଆଣିବ ? ତେବେ ସବୁ କଥାକୁ ରାଜନୀତି ଭିତରକୁ ଟାଣିବା ଅନାବଶ୍ୟକ l ରାଜନୀତି ରାଜନୀତି ବାଟରେ ଯିବ ; ମାତ୍ର ସାହିତ୍ୟ ଓ ଗଣମାଧ୍ୟମ ଜାତି ଗଠନରେ ମାର୍ଗ-ପ୍ରଦର୍ଶକର ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପ୍ରାକ୍ତନ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି l

    ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ସହଯୋଗିତାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ‘ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପାଠଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଶ୍ରୀ ବିଶ୍ୱଭୂଷଣ ଅତୀତ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସର ସ୍ମୃତିଚାରଣ କରିଥିଲେ l ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁଶାନ୍ତ କୁମାର ସାବତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଅଧିବେଶନରେ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇ ଆମ ସମସ୍ତଙ୍କ ଆଚରଣ, ଉଚ୍ଚାରଣ ଓ ଚାଲିଚଳଣରେ ଓଡ଼ିଆତ୍ୱ ପ୍ରକାଶ ପାଇଲେ ହିଁ ୨0୩୬ ବେଳକୁ ଓଡ଼ିଶା ସମୃଦ୍ଧ, ବିକଶିତ ଓଡ଼ିଶାରେ ରୂପାନ୍ତରିତ ହୋଇପାରିବ ବୋଲି କହିଥିଲେ l

   ଏହି ଅଧିବେଶନରେ ଭୁବନେଶ୍ୱର ମହାନଗର ନିଗମ ମେୟର୍ ସୁଲୋଚନା ଦାସ, ଓଡ଼ିଶା ଆରକ୍ଷୀ ନିଯୁକ୍ତି ପରିଷଦର ଅଧ୍ୟକ୍ଷ ସନ୍ତୋଷ କୁମାର ଉପାଧ୍ୟାୟ, ଲୋକ ସେବକ ମଣ୍ଡଳର ଜାତୀୟ ସଂପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଓ ଛତିଶଗଡ଼ ସ୍ଥିତ କଳିଙ୍ଗ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧିପତି ଡ. ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ‘ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପ୍ରସଙ୍ଗ ଉପରେ ଭିନ୍ନ ଭିନ୍ନ ଦୃଷ୍ଟିରୁ ଆଲୋଚନା କରିଥିଲେ l ଡ. କୁଳମଣି ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନ ଆରମ୍ଭରେ ସୁଶାନ୍ତ କୁମାର ସାବତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଏହି ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ପଚାଶ ଜଣ ବ୍ୟକ୍ତିଙ୍କୁ ‘ଇଣ୍ଡିଆନ୍ ଆଇକନ୍ ସମ୍ମାନ’ରେ ସମ୍ମାନିତ କରା ଯାଇଥିଲା l ଶେଷରେ ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ମହାସଚିବ ରାମେଶ୍ୱରୀ ନନ୍ଦ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

     ଦ୍ଵିତୀୟ ଅଧିବେଶନରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ସଭାପତି ସୁଶାନ୍ତ କୁମାର ସାବତ୍ ଅଧ୍ୟକ୍ଷତା କରିଥିଲେ l ‘ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପ୍ରସଙ୍ଗ ଉପରେ ଆମନ୍ତ୍ରିତ ଅତିଥିମାନେ ଆଲୋଚନା କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ତଥା ସମୃଦ୍ଧି ଦିଗରେ ଓଡ଼ିଆମାନେ ସମ୍ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଜଣାଇଥିଲେ l ଏହି ଅଧିବେଶନରେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଖ୍ୟାତି ସଂପନ୍ନ ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି, ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଲଲାଟେନ୍ଦୁ ସାହୁ, ସମାଜସେବୀ ଜୟନ୍ତୀ ପଢ଼ିଆରୀ, ମୁମ୍ବାଇ ଓଡ଼ିଆ ସଂଘ ସଭାପତି ଡ. ବିପିନ ମିଶ୍ର ଓ ସାଂସ୍କୃତିକ ସଂଗଠକ ସନ୍ନ୍ୟାସୀ ମହାରଣା ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ସମୃଦ୍ଧ ଓଡ଼ିଶା ଗଠନର ସ୍ବପ୍ନ, ସଂକଳ୍ପ ଓ ସମ୍ଭାବନା ସଂପର୍କରେ ଆଲୋକପାତ କରିଥିଲେ l ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ମହାସଚିବ ରାମେଶ୍ଵରୀ ନନ୍ଦ, ଜୟନ୍ତୀ ପଢ଼ିଆରୀ, ରାକେଶ ସିଂହଦେଓ ଦେବୀପ୍ରଭା ରଥ, ଅଭିଷିକ୍ତା ଦାଶ, ହରିପ୍ରିୟା ଆଚାରୀ, ନମିତାରାଣୀ ରାଉତ, ଶ୍ରୀକାନ୍ତ ସାବତ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ସତିଶ କୁମାର ଦାଶ ଙ୍କ ରିପୋର୍ଟ୍ 

Related posts

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବେ ରାଜ୍ୟ ସରକାର, ସାଇକେଲ୍‌ ପାଇଁ ମିଳିବ ୩୫୦୦ ଟଙ୍କା

Sunil Chandra Nayak

ହୋମଗାର୍ଡଙ୍କ ପାଇଁ ଖୁସିର ଖବର, ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି ନିର୍ଦ୍ଦେଶ

Sunil Chandra Nayak

୧୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର, ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ

Sunil Chandra Nayak

Leave a Comment

error: Content is protected !!