ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସକିତ ରତେଙ୍କୁ ଦେବଗିରି ସମ୍ମାନ ରଜତ ବଂଶଲଙ୍କୁ ଯୁବ, ଧ୍ୟାନ ପଣ୍ଡାଙ୍କୁ ଲୋକନୃତ୍ୟ ସମ୍ମାନ

ସକିତ ରତେଙ୍କୁ ଦେବଗିରି ସମ୍ମାନ

ରଜତ ବଂଶଲଙ୍କୁ ଯୁବ, ଧ୍ୟାନ ପଣ୍ଡାଙ୍କୁ ଲୋକନୃତ୍ୟ ସମ୍ମାନ

ନର୍ଲା,୨୯|୧୧: ବରିଷ୍ଠ ସାହିତ୍ୟିକ, ସମ୍ପାଦକ, ସମାଜସେବୀ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ସକିତ ରତେଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସମ୍ମାନ’ ପ୍ରଦାନ କରାଯିବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଭବାନୀପାଟଣା ନିବାସୀ ଶ୍ରୀ ରତେଙ୍କୁ ଅନୁଷ୍ଠାନର ଏହି ସର୍ବୋଚ୍ଚ ସମ୍ମାନ ଦିଆଯିବ। ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ରହିଛି ହିନ୍ଦୀ କବିତା ସଂକଳନ ‘କୁସୁମାଞ୍ଜଳି’, ଓଡ଼ିଆ କବିତା ସଂକଳନ ‘ମଶାଣୀରୁ ମୁକ୍ତିପଥ’, ‘ବାରବାର ଗଢୁଥିବି ଘର’; ରହସ୍ୟ ଉପନ୍ୟାସ ‘ହତ୍ୟା’; ଗଳ୍ପ ସଂକଳନ ‘ପଲ୍‌ଟନ ଆସିଛି’, ‘ଡାହାଣୀ’, ‘ଶବ ଫେରିଛି’, ‘ଆମ କଳାହାଣ୍ଡି ଲୋକକଥା’ ଏବଂ ଅନୁବାଦ ସଂକଳନ ‘ଜୀବନ ଜୀବନ’, ‘ଋତୁରାଜ ଜେମା’, ‘ଭାରତୀୟ କଥା’। ଓଡ଼ିଶାର ଏକମାତ୍ର ସାହିତ୍ୟ-ସମ୍ବାଦ ଭିତ୍ତିକ ପତ୍ରିକା ‘ସାହିତ୍ୟ କଥା’ର ସମ୍ପାଦକ ଭାବେ ତାଙ୍କର ଉଦ୍ୟମ ପ୍ରଶଂସନୀୟ। ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ରହିସାରିଛନ୍ତି। ସଂପ୍ରତି ସେ ଉତ୍କଳ ଯାଦବ ମହାସଭାର ଉପ-ସଭାପତି ଭାବେ କାର୍ଯ୍ୟରତ।

ସେହିପରି ଯୁବ ଲେଖକ, ସାମ୍ବାଦିକ, ସଂଗଠକ ତଥା ସମାଜସେବୀ ରଜତ ବଂଶଲଙ୍କୁ ପ୍ରଦାନ କରାଯିବ ‘ଦେବଗିରି ଯୁବ ସମ୍ମାନ’। ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ଶ୍ରୀ ବଂଶଲ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ସାରା ରାଜ୍ୟରେ ଜଣେ ଚର୍ଚ୍ଚିତ ଚେହେରା। ତାଙ୍କ ଦ୍ଵାରା ଗଠିତ ଦଣ୍ଡପାଟ ଯୁବ ସେବା ସଂଗଠନ ତରଫରୁ କଳାହାଣ୍ଡିର କୋଣ ଅନୁକୋଣରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପାଠ୍ୟ ପୁସ୍ତକ ବଣ୍ଟନ, ଗରିବ ଅସହାୟଙ୍କୁ ନୂଆଖାଇ ସମୟରେ ବସ୍ତ୍ର ବଣ୍ଟନ, ସାମାଜିକ ସମରସତା କାର୍ଯ୍ୟକ୍ରମ ମାଧ୍ଯମରେ ଦିବ୍ୟାଙ୍ଗମାନଙ୍କୁ କମ୍ବଳ ବଣ୍ଟନ ଇତ୍ୟାଦି ସେବା କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ରଚିତ କବିତା ସଂକଳନ ‘ଅବ୍ୟକ୍ତ ଶବ୍ଦ’ ସାରା ଓଡ଼ିଶାର ପାଠକମାନଙ୍କ ପ୍ରିୟ ହେଇପାରିଛି। ଅଞ୍ଚଳର ଉନ୍ନତି ପାଇଁ ସେ ଅନେକ ସ୍ବପ୍ନ ଦେଖିଛନ୍ତି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ଯରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ସହ ୪୦ଜଣ ମହିଳାଙ୍କୁ ନେଇ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଗଠନ ପୂର୍ବକ ରୋଜଗାର ବ୍ଯବସ୍ଥା କରାଇଛନ୍ତି। ସେହିପରି ସେ ଜଣେ ଗଣମାଧ୍ୟମ ପ୍ରତିନିଧି ହିସାବରେ ଅଞ୍ଚଳର ସମସ୍ୟା ଓ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାର ପ୍ରୟାସ ଜାରି ରଖିଛନ୍ତି। 

ଏବର୍ଷର ‘ଦେବଗିରି ଲୋକନୃତ୍ୟ ସମ୍ମାନ’ ପାଇବେ ଲୋକକଳାକାର, ନୃତ୍ୟଶିଳ୍ପୀ, ନୃତ୍ୟ ଓ ସଙ୍ଗୀତ ନିର୍ଦ୍ଦେଶକ, ବାଦ୍ୟକାର, ସଂଗଠକ ତଥା ଗବେଷକ ଧ୍ୟାନାନନ୍ଦ ପଣ୍ଡା। ଭବାନୀପାଟଣା ନିବାସୀ ଶ୍ରୀ ପଣ୍ଡା କଳାହାଣ୍ଡିର ଲୁପ୍ତପ୍ରାୟ ଲୋକନୃତ୍ୟର ପ୍ରଚାର ପ୍ରସାର ଓ ପୁନରୁତ୍ଥାନ ଦିଗରେ ପ୍ରୟାସରତ। ଏଥିପାଇଁ ସେ ‘ପ୍ରତିଭା’ ଅନୁଷ୍ଠାନ ମାଧ୍ୟମରେ ଘୁମୁରା, ଶିଙ୍ଗବଜା, ଢାପ୍, ବନାବାଡ଼ି, ମାଦଳି, ଘୁଡ଼କା ନାଚ ଆଦି ଶିକ୍ଷା ଦେବାସହ ଦେଶ ବିଦେଶରେ ପ୍ରଦର୍ଶନ ଜାରି ରଖିଛନ୍ତି। ଏଥିପାଇଁ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଯୁବ ପୁରସ୍କାର, ସ୍କଲାରସିପ ଓ ଫେଲୋସିପ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଉସ୍ତାଦ ବିସମିଲ୍ଲା ଖାଁ ପୁରସ୍କାର, କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସମାଜସେବାରେ ରାଜ୍ୟ ପୁରସ୍କାର ସମେତ ଅନେକ ସମ୍ମାନ ଓ ପୁରସ୍କାର ଗ୍ରହଣ କରିଛନ୍ତି। ମାଦଳୀ ଓ ବନାବାଡ଼ି ଉପରେ ତାଙ୍କର ଦୁଇଟି ଇଂରାଜୀ ପୁସ୍ତକ ପ୍ରକାଶିତ। 

ଉକ୍ତ ପ୍ରତିଭାମାନଙ୍କୁ ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ ଆୟୋଜନ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଗୋସିଙ୍ଗ ଦୈତ୍ୟ ଦରବାରରେ ସମ୍ମାନିତ କରାଯିବ ଏବଂ ଅନ୍ୟାନ୍ୟ ସମ୍ମାନ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଫୁପଗାଁ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

masiha

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

masiha

Leave a Comment

error: Content is protected !!