ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାସ ମାସ ଧରି ତାଲା ପଡ଼ିଛି ଫରେଷ୍ଟ ଗାର୍ଡ କ୍ୱାର୍ଟର କାମ କଲେ ମିଳୁନି : ଭୂତ ଶ୍ରମିକଙ୍କ ଏକାଉଣ୍ଟରେ ପଡୁଛି ଲକ୍ଷଲକ୍ଷ ଟଙ୍କା

ମାସ ମାସ ଧରି ତାଲା ପଡ଼ିଛି ଫରେଷ୍ଟ ଗାର୍ଡ କ୍ୱାର୍ଟର

କାମ କଲେ ମିଳୁନି : ଭୂତ ଶ୍ରମିକଙ୍କ ଏକାଉଣ୍ଟରେ ପଡୁଛି ଲକ୍ଷଲକ୍ଷ ଟଙ୍କା

ଲାଞ୍ଜିଗଡ଼,୦୨/୦୩(ମନିସ)-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳକୁ ଆସୁଥିବା ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟ ଅଭିଯୋଗ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବାବେଳେ ଗୋଟିକ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଏହି ବନାଞ୍ଚଳର ସିକେରକୁପା ସେକ୍ସନରେ ଚାରାରୋପଣରୁ ଆରମ୍ଭ କରି ମନରେଗା ଯୋଜନାରେ ଅନେକ ଦୁର୍ନୀତି ହେଉଥିବାବେଳେ ପାଣିମୁଣ୍ଡା ବିଟରେ ମାସ ମାସ ଧରି ଫରେଷ୍ଟ ଗାର୍ଡଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ କ୍ୱାର୍ଟରରେ ତାଲା ଝୁଲୁଛି। ଏଠାରେ ନିଯୁକ୍ତ ମହିଳା ଫରେଷ୍ଟଗାର୍ଡ କାର୍ଯ୍ୟକ୍ଷେତ୍ରରେ ମାସ ମାସ ଧରି ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଥିବାବେଳେ କିଛି ଅସ୍ଥାୟୀ କର୍ମଚାରୀଙ୍କ କାନ୍ଧରେ ବନ୍ଧୁକ ରଖି ସେ ନିଜ କାରବାର ଚଳାଇଥିବା ଅଭିଯୋଗ ହେଉଛି। ଏପରିକି ପାଣିମୁଣ୍ଡା ବିଟର ବିଭିନ୍ନ ଗାଁରେ ବନବିଭାଗ ତରଫରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ବିନା ଶ୍ରମିକ ନିଯୁକ୍ତିରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ନେଇ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଅଭିଯୋଗ କରୁଛନ୍ତି। କିଛି ମାସ ତଳେ ହଜାର ହଜାର ମୂଲ୍ୟବାନ ଚାରାଗଛ ଗୋପାଳପୁର, ଟେକରତୋଳା ଓ ମଧୁପୁର-ଲକଟାଖମନ ରାସ୍ତା କଡ଼ରେ ଫିଙ୍ଗି ଦେଇଥିବାବେଳେ ସେନେଇ ଖବର ପ୍ରସାରଣ ପରେ ରାତିଅଧିଆ ସେସବୁକୁ ଗାୟବ କରିଦିଆଗଲା। ଏହି ଘଟଣା ନେଇ ବନାଞ୍ଚଳ ଅଧିକାରୀ ସେତେବେଳେ ସଫେଇ ଦେଇ କହିଥିଲେ ଯେ, ପାଣ୍ଠି ନଥିବାରୁ ସେସବୁ ରଖାଯାଇଛି ବୋଲି। ଯଦି ପାଣ୍ଠି ନଥିଲା, ତେବେ କେନ୍ଦ୍ରୀୟ ନର୍ସରୀରୁ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଚାରାଗଛ ଆଣି ଜଙ୍ଗଲ ମଧ୍ୟରେ କାହିଁକି ଲୁଚାଇ ରଖାଗଲା ? ଅଭିଯୋଗ ପରେ ସେସବୁକୁ ନର୍ସରୀକୁ ଫେରାଇ ନେବା କିମ୍ବା ଅନ୍ୟ କୌଣସି ଯୋଜନାରେ ଲଗାନଯାଇ ରାତାରାତି କିଛି କର୍ମଚାରୀଙ୍କୁ ଲଗାଇ କାହିଁକି ନଷ୍ଟ କରିଦିଆଗଲା ? ଏପରିକି ଚାରାଗଛ ନଷ୍ଟ ପରେ ପ୍ରମାଣ ନଷ୍ଟ କରିବାକୁ ହଜାର ହଜାର ପଲିଥିନ ପୋଡ଼ି ନଷ୍ଟ କରିଦିଆଗଲା। ଏହି ଚାରା ନଷ୍ଟ କରିବାରେ ସମ୍ପୃକ୍ତ ଫରେଷ୍ଟ ଗାର୍ଡ ଓ ସିକେରକୁପା ଫରେଷ୍ଟ ସେକ୍ସନର ଫରେଷ୍ଟର ସାମିଲ ଥିବା ଓ ସେମାନଙ୍କ ନିର୍ଦ୍ଦେଶରେ କେଉଁମାନେ ଏହା ନଷ୍ଟ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ବିଭିନ୍ନ ଯୋଜନାରେ ନୂତନ ଜଙ୍ଗଲ ସୃଷ୍ଟି ଓ ବନୀକରଣ ଉପରେ ଗୁରୁତ୍ୱ ଦେଉଥିବା ବିଭାଗୀୟ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଜ ଦାୟିତ୍ୱ ଭୁଲି ଏପରି ବେଆଇନ କାମ କଲେ କେମିତି ? ବନୀକରଣ ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଆସିଥିବା ଚାରାଗଛ ନଷ୍ଟ କରାଯାଇଥିବାବେଳେ ସେଇ ଚାରାରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ ହୋଇଥିବା ସନ୍ଦେହ ଏବେ ଘନୀଭୂତ ହେଉଛି। ତେବେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ରେଞ୍ଜ ଅଧିକାରୀ ଦାୟିତ୍ୱରେ ଥିବା କରିତକର୍ମା ଅତିରିକ୍ତ ବନ ସଂରକ୍ଷକ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। ସେହିପରି କାମ କଲା ଶ୍ରମିକମାନଙ୍କୁ ମାସ ମାସ ଧରି ପାରିଶ୍ରମିକ ମିଳିନଥିବାବେଳେ ଓ ଆଉ କାମ ନାହିଁ, ଫଣ୍ଡ ନାହିଁ ବୋଲି ଶ୍ରମିକମାନଙ୍କୁ କାମ କରିବାକୁ ବାରଣ କରାଯାଉଥିବାବେଳେ ପାଣିମୁଣ୍ଡା ବିଟରେ ବିନା ଶ୍ରମିକ ନିଯୁକ୍ତିରେ ମାସ ନପୂରୁଣୁ ଭୂତ ଶ୍ରମିକଙ୍କ ମ୍ୟୁଲ ଏକାଉଣ୍ଟରେ ପଡୁଛି ଲକ୍ଷାଧିକ ଟଙ୍କା। ଗାଁସାଥୀଙ୍କ ଅଜାଣତରେ କେବଳ କାଗଜପତ୍ରରେ ଚାଲିଥିବା ମନରେଗା କାର୍ଯ୍ୟକୁ ଗାଁ ସାଥୀ ସଂଘ ମଧ୍ୟ ନିନ୍ଦା କରିଛି। ଏପରି ଭାବେ ଦୁର୍ନୀତିର ସୀମା ଲଙ୍ଘିଥିବା ସିକେରକୁପା ସେକ୍ସନ ତଥା ପାଣିମୁଣ୍ଡା ବିଟର ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ବିରୁଦ୍ଧରେ ନା ହେଉଛି ତଦନ୍ତ ନା ହେଉଛି କୌଣସି କାର୍ଯ୍ୟାନୁଷ୍ଠାନ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ପାଣିମୁଣ୍ଡା ବିଟ ଦାୟିତ୍ୱରେ ଥିବା ଫରେଷ୍ଟ ଗାର୍ଡ ଓ ସିକେରକୁପା ଫରେଷ୍ଟରଙ୍କ ସମସ୍ତ କାର୍ଯ୍ୟକଳାପ ଉପରେ ଭିଜିଲାନ୍ସ ସ୍ତରୀୟ ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଅଞ୍ଚଳର ବନସୁରକ୍ଷା ସମିତି, ଶ୍ରମିକ ଓ ଜନସାଧାରଣ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ମତାମତ ନେବାକୁ ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବର୍ଷା ସାଜିଲା କାଳ, ଗାଁକୁ ରାସ୍ତା ନଥିବାରୁ ତିନି କିମି ଭାରରେ ବୁହା ହେଲେ ଆଦିବାସୀ ଗର୍ଭବତୀ 

masiha

କଳାହାଣ୍ଡି:ପୋଷ୍ୟ ସନ୍ତାନ ପାଳନ ମାସ ଓ ଶିଶୁ ଦିବସ ପାଳନ

masiha

TRIBAL RIGHTS FIRST: MP Niranjan Bishi Demands Full ST Reservation in Odisha Panchayat Polls 2027

Sunil Chandra Nayak

Leave a Comment

error: Content is protected !!