ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ ପେଡ୍ ମା କେ ନାମ୍-୨.୦ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

ଏକ୍ ପେଡ୍ ମା କେ ନାମ୍-୨.୦

ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ
ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଉପହାର- ମୁଖ୍ୟମନ୍ତ୍ରୀ
ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଏ ବର୍ଷ ଲାଗିବ ୭.୫ କୋଟି ଗଛ
ବୃକ୍ଷ ରୋପଣ ପରେ ଏହାର ସୁରକ୍ଷା ଓ ଯତ୍ନ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ପଞ୍ଚାୟତ ସ୍ତରରେ ଅଧିକରୁ ଅଧିକ ବୃକ୍ଷରୋପଣ ପାଇଁ ପିଇଓ ମାନଙ୍କୁ ଦାୟିତ୍ୱ ଦିଆଯିବ
ଜିଲ୍ଲା ମାନଙ୍କରେ ଜଳବାୟୁ ଉପଯୋଗୀ ବୃକ୍ଷ ରୋପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର ୩୧ ଜୁଲାଇ ୨୦୨୫ — ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି। ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ସେପ୍ଟେମ୍ବର ୧୭ ତାରିଖରେ ଓଡିଶାରେ ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ। ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଉପହାର। 

 ଆଜି ଲୋକସେବା ଭବନରେ ଏକ୍ ପେଡ୍ ମା କେ ନାମ୍ ଅଭିଯାନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।  ସୂଚନା ଯୋଗ୍ୟ ଯେ, ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ୍ ପେଡ ମା କେ ନାମ୍ ଅଭିଯାନ ଆରମ୍ଭ ହୋଇଥିଲା। ଚଳିତବର୍ଷ ଜୁନ୍ ୫ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହାର ଦ୍ୱିତୀୟ ସଂସ୍କରଣ ଏକ ପେଡ୍ ମା କେ ନାମ୍ ୨.୦ ଚାଲିବ। ଦ୍ୱିତୀୟ ସଂସ୍କରଣର ଏହି କାର୍ଯ୍ୟକ୍ରମରେ ସର୍ବନିମ୍ନ ୭.୫ କୋଟି ଚାରା ରୋପଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।  

 ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ଗତବର୍ଷ ଏହି କାର୍ଯ୍ୟକ୍ରମରେ ଓଡିଶା ତା’ର ଲକ୍ଷ୍ୟ ଅତିକ୍ରମ କରି ୬.୭୨ କୋଟି ଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏ ବର୍ଷ ୭.୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି ଏବଂ ତା ସହିତ କେବଳ ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଏକ ରେକର୍ଡ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଙ୍ଗଲ ବିଭାଗ ଏବଂ କୃଷି ଓ କୃଷକସଶକ୍ତି କରଣ ବିଭାଗର ଏଥିରେ ପ୍ରମୁଖ ଦାୟିତ୍ୱ ରହିଥିଲେ ମଧ୍ୟ ଏହି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବା ପାଇଁ ଏହି ଅଭିଯାନରେ ବିଭିନ୍ନ ସରକାରୀ ବିଭାଗ ସହିତ ପିଏସୟୁ, ଏନ୍.ଜି.ଓ ସଂସ୍ଥା, ବିଭିନ୍ନ ଯୁବସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଧିକରୁ ଅଧିକ ସାମିଲ କରାଯିବାର ଆବଶ୍ୟକତା ରହିଛି । ପଞ୍ଚାୟତ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ହେବା ଉଚିତ। ପ୍ରଚାର ପ୍ରସାର କେବଳ ଏକ କାର୍ଯ୍ୟକ୍ରମର ନୁହେଁ, ଏହା ପରିବେଶ ସୁରକ୍ଷା ପାଇଁ ଏକ ଜନ ଆନ୍ଦୋଳନ ହେବା ଉଚିତ ବୋଲି ସେ ମତ ଦେଇଥିଲେ।

କେବଳ ଗଛ ଲଗାଇଦେଲେ ହେବ ନାହିଁ, ଏହି ଗଛକୁ କିଭଳି ଉତ୍ତମ ଭବିଷ୍ୟତ ମିଳିବ ତା’ର ମଧ୍ୟ ଦାୟିତ୍ୱ ନେବା ଆବଶ୍ୟକ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୃକ୍ଷ ରୋପଣ ପରେ ଏହାର ରକ୍ଷଣା ବେକ୍ଷଣ ଓ ଯତ୍ନ ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀ ଏବଂ ଜନସାଧାରଣ ଦାୟିତ୍ୱବାନ ହେବା ଆବଶ୍ୟକ। ଗୋଷ୍ଠୀ-ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ପଥପାର୍ଶ୍ଵ ଚାରା ରୋପଣ ଏବଂ ବ୍ୟକ୍ତିଗତ ବୃକ୍ଷ ରୋପଣ ପାଇଁ ନିମ୍ବ, କରଞ୍ଜ, ତେନ୍ତୁଳି, ଫାସୀ, ଅର୍ଜୁନ, ହରିଡା, ବାହାଡା, ପଣସ, ତାଳ, ପିଜୁଳୀ, କୃଷ୍ଣଚୁଡା, ପିପଳ, ବରବଛା, ଅଶୋକ, ଜାମୁ, କଦମ୍ବ, ଅଁଳା, ଦେବଦାରୁ, ସୁନାରୀ, କରଞ୍ଜ, ଚାକୁଣ୍ଡା ଇତ୍ୟାଦି ଗଛ ଚୟନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ବୃକ୍ଷ ରୋପଣର ଫଟୋ ଓ ଡାଟା ମେରି ଲାଇଫ ପୋର୍ଟାଲରେ ଅପଲୋଡ କରାଯିବା ପାଇଁ ସେ କହିଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପଞ୍ଚାୟତ ଅଧିକାରୀ ମାନେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ତଦାରଖ କରିବେ। ଭଲପ୍ରଦର୍ଶନ କ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ତରରେ ପୁରସ୍କାର ବ୍ୟବସ୍ଥା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହିତ ଯେଉଁ ଅଞ୍ଚଳରେ ଯେଉଁ ଫଳ ଭଲ ଉତ୍ପାଦନ ହେଉଛି ସେହିଭଳି ଚାରା ଲୋକମାନଙ୍କୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। 

 ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପ୍ରଧାନମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ଥ, ପ୍ରଧାନମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପି.କେ ଝା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏସ.ଏନ ଗିରିଶ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲା ଟପର ହେଲେ ଅନିକେତ

masiha

ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା 

masiha

ଥୁଆମୂଳ ରାମପୁର ବିଡିଓଙ୍କ ଦୁର୍ଗମ ତିଜମାଳି ଗସ୍ତ

Sunil Chandra Nayak

Leave a Comment

error: Content is protected !!