ମୋଟରସାଇକେଲ ଦୁର୍ଘଟଣା ୧ ମୃତ
ଡାବୁଗାଁ, ୮/୪ (ମ.ନି.ସ.)- ରବିବାର ବିଳମ୍ବିତ ରାତ୍ରିରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୧ ଜଣଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ରବିବାର ବିଳମ୍ବିତ ରାତ୍ରିରେ ଧୋଡ୍ରା ମାଝିଗୁଡା ଗ୍ରାମର ପଦ୍ମନାଭ ଦାଶ (୨୪) ନିଜ ମୋଟରସାଇକେଲ ନଂ ସିଜି ୦୫ ଏଏଲ ୯୦୫୩ ଯୋଗେ ଚାଟିଗୁଡା ଗ୍ରାମକୁ ଆସୁଥିଲେ ସେହି ସମୟରେ ବିପରୀତ ଦିଗରୁ ମୋଟରସାଇକେଲ ନଂ ଓଡି ୧୦ ଇ ୫୩୭୫ ସହ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ୨ ମୋଟରସାଇକେଲ ଆରୋହି ରାସ୍ତା କଡକୁ ପଡିଯାଇ ଆହତ ହୋଇଥିଲେ | ବିପରୀତ ଦିଗରୁ ମୋଟରସାଇକେଲ ନଂ ଓଡି ୧୦ ଇ ୫୩୭୫ ଗାଡିର ଚାଳକ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ଆହତ ପଦ୍ମନାଭ ଦାଶ ଘଟଣା ସ୍ଥଳରେ ପଡି ରହିଥିଲେ | ପରେ ସେ ପଟେ ଯାଉଥିବା ଲୋକ ମାନେ ଦୁର୍ଘଟଣା ଘଟିଥିବା ଦେଖି ଉକ୍ତ ସ୍ଥାନରେ ରହି ଆମ୍ବୁଲାନ୍ସ ଯୋଗେ ଆହତ ପଦ୍ମନାଭକୁ ଉମରକୋଟ ଡାକ୍ତରଖାନା କୁ ପଠାଇଥିଲେ | ଖବର ପାଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଟି ମୋଟରସାଇକେଲ କୁ ଜବତ କରିଥିଲେ | ଆହତ ପଦ୍ମନାଭ ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ପରିବାର ପକ୍ଷରୁ ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହଲୱା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୯୧/୨୪ ରେ ଏକ ମାମଲା ରୁଜୁ କରାଯାଇଛି |