ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ସଂସ୍କୃତ ସପ୍ତାହ -୨୦୨୫ ଉଦ୍ ଯାପିତ
ଢେଙ୍କାନାଳ ତା.୧୪.୦୮.୨୦୨୫ ରିଖ : ସଂସ୍କୃତ ଭାରତୀ, ଉତ୍କଳ ସଂସ୍ଥା ଏବଂ ଓଡ଼ିଶା ସରକାରଙ୍କ ଆହ୍ବାନ କ୍ରମେ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ଓ ଦିପ୍ତିଶ କୁମାର ଶତପଥୀଙ୍କ ଯୁଗ୍ମ ଆବାହକତ୍ୱ ଓ ପରିଚାଳନାରେ ଶ୍ରାବଣ ପୂର୍ଣ୍ଣିମା ଦିନ ସଂସ୍କୃତ ଦିବସ ଓ ଏହାର ପୂର୍ବ ୩ ଦିନ ଏବଂ ପରବର୍ତ୍ତୀ ୩ ଦିନକୁ ନେଇ ସଂସ୍କୃତ ସପ୍ତାହ -୨୦୨୫ ପାଳିତ ହୋଇ ଉଦ୍ ଯାପିତ ହୋଇଯାଇଛି।ଉଭୟ ଉଦ୍ ଘାଟନୀ ଓ ଉଦ୍ ଯାପନୀ ଉତ୍ସବ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା
ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ମାର୍ଗଦର୍ଶନରେ ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ସୁଦୀର୍ଘ ୩୬ ବର୍ଷ ଶିକ୍ଷକତା ଓ ସାରସ୍ଵତ ସାଧନା କରି ଅତି ନିକଟରେ ଅବସର ଗ୍ରହଣ କରିଥିବା ଶିକ୍ଷାବିତ୍ ଛାତ୍ରୀ,ଛାତ୍ରମାନଙ୍କର ପ୍ରିୟ ଡ଼ା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଭୟ ଉଦ୍ଘାଟନ ଓ ଉଦ୍ ଯାପନ ସମାରୋହକୁ ସୁଶୋଭିତ କରିଥିଲେ ଓ ସ୍ଵକୀୟ ଅଭିଭାଷଣରେ ସଂସ୍କୃତ ଭାଷାକୁ ଜନସମାଜର ଭାଷାରେ ପରିଣତ କରିବା ପାଇଁ ସମସ୍ତେ ବଦ୍ଧପରିକର ହେବା ପାଇଁ ଦୃଢ଼ ଆହ୍ବାନ ଦେଇଥିଲେ। ସଂସ୍କୃତ ଭାଷା ବିଶ୍ଵର ଅଧିକାଂଶ ଭାଷାର ଜନନୀ ଓ ବିଶ୍ଵର ସମସ୍ତ ଜ୍ଞାନର ଗନ୍ତାଘର ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ। ମୁଖ୍ୟଅତିଥି ସ୍ଵୀୟ ବକ୍ତବ୍ୟରେ ଓଡ଼ିଆ ଭାଷାପ୍ରତି ଅନୁରାଗ, ସଂସ୍କୃତ ଭାଷାର ସୁରକ୍ଷା,ଏହାର ପ୍ରଚାର ପ୍ରସାର ଓ ନିଯୁକ୍ତି ଉପରେ ପ୍ରାଥମିକତା ହିଁ ଆଜିର ଆବଶ୍ୟକତା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସଂସ୍କୃତ ଓ ସଂସ୍କୃତିର ସୁରକ୍ଷା ମାଧ୍ୟମରେ ଜୀବନ,ଜ୍ଞାନ ଓ ବିଜ୍ଞାନର ଗବେଷଣା କରିବା ପାଇଁ ସଂସ୍କୃତ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ ସଂସ୍କୃତ ଭାଷା ଶିକ୍ଷା ସମସ୍ତ ଶାସ୍ତ୍ରର ସାର ଓ ମଣିଷ ଜୀବନଚର୍ଯ୍ୟାର ସୁପରିଚାଳନା ପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସୁବିସ୍ତୃତ ବର୍ଣ୍ଣନା କରି କହିଥିଲେ ଯେ ସଂସ୍କୃତ ଭାଷା ବିଶ୍ବର ସମୃଦ୍ଧ ଭାଷାସମୂହରେ ପ୍ରାଚୀନତମ ଭାଷା ଅଟେ।ପ୍ରାୟ ସମସ୍ତ ଭାରତୀୟ ଭାଷାମାନଙ୍କର ଜନନୀ ହେଉଛି ସଂସ୍କୃତ ଭାଷା।ଭାରତର ଶାସ୍ତ୍ର ଯଥା ବେଦ,ଦର୍ଶନ, ଉପନିଷଦ,ପୁରାଣ,ରାମାୟଣ,ମହାଭାରତ ଇତ୍ୟାଦି ସଂସ୍କୃତ ଭାଷାରେ ଲିପିବଦ୍ଧ।ସର୍ବେ ଭବନ୍ତୁ ସୁଖିନଃ,ବସୁଧୈବ କୁଟୁମ୍ୱକମ୍,ମାତୃଦେବୋ ଭବ,ପିତୃଦେବୋ ଭବ ଇତ୍ୟାଦି ଉଦାର ଭାବନା ଗୁଡ଼ିକ ସଂସ୍କୃତ ଭାଷାରେ ନିର୍ମିତ ଅଛି।ସଂସ୍କୃତ ଭାଷା ଦିନା ଭାରତୀୟ ସଂସ୍କୃତିର ଚିନ୍ତନ କରିବା ଅସମ୍ଭବ।ସଂସ୍କୃତ ଶାସ୍ତ୍ରମାନଙ୍କ ରକ୍ଷଣ ହେଲେ ଭାରତୀୟ ସଂସ୍କୃତିର ସୁରକ୍ଷା ସମ୍ଭବ। ସଂସ୍କୃତ ଦ୍ଵାରା ଭାରତ ବିଶ୍ୱଗୁରୁ ହେବାରେ ସମର୍ଥ ହେବ।ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ସଂସ୍କୃତର ଭବତି ପ୍ରଚାର ପ୍ରସାର ଦିଗରେ ବହୁବିଧ ପ୍ରୟାସ କରୁଛନ୍ତି।ଓଡ଼ିଶାରେ ଷଷ୍ଠ ଶ୍ରେଣୀରୁ ସଂସ୍କୃତ ପଢ଼ାଯାଉଛି।ତଥାପି ଲୋକମାନେ ସଂସ୍କୃତ ସମ୍ପର୍କରେ ଜାଗରୂକ ନୁହନ୍ତି।ସଂସ୍କୃତ ପ୍ରତି ଲୋକମାନଙ୍କ ସଚେତନତା ବୃଦ୍ଧି ପାଇଁ ୧୯୬୮ ମସିହାରେ କେନ୍ଦ୍ର ସରକାର ଶ୍ରାବଣ ପୂର୍ଣିମା ଦିନକୁ ସଂସ୍କୃତଦିବସ ଘୋଷଣା କଲେ।ସେବେଠାରୁ ଶ୍ରାବଣ ପୂର୍ଣ୍ଣିମା ଦିନ ସଂସ୍କୃତ ଦିବସ ଓ ଏହାର ପୂର୍ବ ୩ ଦିନ ଏବଂ ପରବର୍ତ୍ତୀ ୩ ଦିନକୁ ନେଇ ସଂସ୍କୃତ ସପ୍ତାହ ପାଳିତ ହୋଇ ଆସୁଅଛି।ଶିକ୍ଷାଦାନରତ ସଂସ୍କୃତ ଶିକ୍ଷୟିତ୍ରୀ ଓ ଶିକ୍ଷକ ଦ୍ବୟ ସ୍ଵୀୟ ବକ୍ତବ୍ୟ ମାଧ୍ୟମରେ ନିଜସ୍ଵ ସଫଳତାର ଅଭିଜ୍ଞତା ଜ୍ଞାପନ ପୂର୍ବକ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ସଂସ୍କୃତ ଅଧ୍ୟୟନ କରି ଆଗାମୀ ଜୀବିକା ପ୍ରାପ୍ତ ହେବାପାଇଁ ପ୍ରୋତ୍ସାହିତ କରିଥିଲେ।ସଂସ୍କୃତ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନେ ପ୍ରାର୍ଥନା ସଭାରେ ଅର୍ଥ ସହିତ ସଂସ୍କୃତ ଶ୍ଳୋକ ସୁଭାଷିତ ପାଠ,ସୁଭାଷିତ କଣ୍ଠ ପାଠ,ସଂସ୍କୃତ ଗୀତ,ସଂସ୍କୃତ ଗପ,ସରଳ ସଂସ୍କୃତ ସମ୍ଭାଷଣ, ସଂସ୍କୃତ ଭାଷାରେ ସଂସ୍କୃତ ନାଟକ ପରିବେଷଣ,ସଂସ୍କୃତରେ ଅନୁବାଦ,ସଂସ୍କୃତ ଭାଷଣ,ସଂସ୍କୃତ ପ୍ରଦର୍ଶନୀ,ସଂସ୍କୃତ ଶୋଭାଯାତ୍ରା,ସଂସ୍କୃତ ପ୍ରଶ୍ନତ୍ତୋରୀ,ସଂସ୍କୃତ ବକ୍ତୃତା,ସଂସ୍କୃତ ପ୍ରବନ୍ଧ ଲିଖନ ଓ ସଂସ୍କୃତ ଗୀତା ଆବୃତ୍ତି ପ୍ରତିଯୋଗିତାରେ ସମ୍ମିଳିତ ଭାବରେ ଅଂଶଗ୍ରହଣ କରିଥିଲେ।ଏଥିରେ ସୁଶ୍ରୀ ସାଗରିକା ସ୍ୱାଇଁ ଓ ଶୀତଳ ପରିଡ଼ା ଯୁଗ୍ମ ପ୍ରଥମ ସ୍ଥାନ,ଶୁଭସ୍ମିତା ଦାଶ ଓ ସାଇ ସ୍ନେହା ବେହେରା ଯୁଗ୍ମ ଦ୍ଵିତୀୟ ସ୍ଥାନ,ପ୍ରଜ୍ଞା ପ୍ରିୟଦର୍ଶିନୀ ରାଉତରାୟ ଓ ସାଇ ପ୍ରସାଦ ମହାପାତ୍ର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରି ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର ଓ ମେମେଣ୍ଟୋ ଗ୍ରହଣ କରି ପୁରସ୍କୃତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେଲିନା ମାଝୀ,ସାଇନା ସାହୁ,ଶ୍ରିୟାଶ୍ରୀ ସାମଲ ଓ ଅଂଶୁମାନ ରାଉତରାୟ ପ୍ରମୁଖ ଦଳଗତ ଭାବରେ ସାନ୍ତ୍ଵନାମୂଳକ ପୁରସ୍କାର ପାଇଥିଲେ।ସଭାପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ,ପ୍ରଦୀପ ପ୍ରଜ୍ବଳନ ଓ ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ସମବେତ ସ୍ବରରେ ମଙ୍ଗଳାଚରଣ ଗାନ କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ପରିବେଶରେ ରୂପାନ୍ତରିତ କରିଥିଲା।ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ।ଛାତ୍ରୀଛାତ୍ରମାନେ ସଂସ୍କୃତ ଭାଷାରେ ରମଣୀୟ “ନୈବ କ୍ଲିଷ୍ଟା ନ ଚ କଠିନା” ସଂଗୀତ ଗାନ କରି ସଭାକୁ ସଂସ୍କୃତମୟ ବାତାବରଣରେ ପରିଣତ କରିଥିଲେ। ଅନୁଷ୍ଠାନର ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ହାସ୍ୟରସାସ୍ପଦ ଏକ ସଂସ୍କୃତ ଗୀତକୁ ଛାତ୍ରୀଛାତ୍ରମାନଙ୍କଦ୍ୱାରା ସୁନ୍ଦର ନାଟକ ଶୈଳୀରେ ଉପସ୍ଥାପନ ଯାହାକି ସଭାର ବାତାବରଣକୁ ଆନନ୍ଦମୟ କରିଥିଲା। ପରିଶେଷରେ ସଂସ୍କୃତ ବିଭାଗର ଅନ୍ୟତମ ସଂସ୍କୃତ ଶିକ୍ଷକ ଦିପ୍ତିଶ କୁମାର ଶତପଥୀଙ୍କ ଦ୍ବାରା ଧନ୍ୟବାଦ ଜ୍ଞାପନ ପୂର୍ବକ ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ଶାନ୍ତି ମନ୍ତ୍ର ପାଠ କରି “ଜୟତୁ ସଂସ୍କୃତମ୍ ,ଜୟତୁ ଭାରତମ୍ ” ଶପଥ ପାଠ ଓ ସ୍ଲୋଗାନ୍ ଦେବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବରିଷ୍ଠ ସହକାରୀ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠା ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ, କଲ୍ୟାଣୀ ବଡ଼ଜେନା,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କାର୍ଯ୍ୟାଳୟ ସହକାରୀ ସୁଦର୍ଶନସାହୁ, ଭୋକେସନାଲ୍ ଟ୍ରେନର ଶୁଭଶ୍ରୀ ଶୁଭସ୍ମିତା ରାଉତ ଓ ଅଟୋମୋଟିଭ ଟ୍ରେନର ସୁଜିତ ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍

