ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳିତ

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳିତ

ମୟୂରଭଂଜ – ୧୦/୧୦ — ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମୟୂରଭଞ୍ଜ ପକ୍ଷରୁ ଶହୀଦ ସ୍ମୃତି ଭବନ ଠାରେ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳିତ ହୋଇଯାଇଅଛି। ଏଥିରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବରିଷ୍ଠ ନାଗରିକ ସଂଘରୁ ୨୮୦ ଜଣ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ। ଏହି ଅବସରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ଯୋଗ ଶିବିର, ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବା ସହ, ଏକ ନାଟକ ପରିବେଷଣ ହୋଇଥିଲା। ଯୋଗ ଶିବିରରେ ଜିଲ୍ଲା ପତଞ୍ଜଳୀ ଯୋଗ ପ୍ରଭାରୀ ଶ୍ରୀ ବ୍ରହ୍ମାନନ୍ଦ ନାୟକ ବିଭିନ୍ନ ଯୋଗ ପ୍ରଣାଳୀ ଶିଖାଇବା ସହ ଏହାର ଉପଦେୟତା ବିଷୟରେ ଆଲୋକପାତ କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ୭ ଟି ବିଭାଗ ଯଥା ଭେଷଜ, ଶଲ୍ୟ, ଅସ୍ଥିଶଲ୍ୟ, ଚକ୍ଷୁ, ଚର୍ମ, କର୍ଣ, ନାସା ଓ ଗଳା ଏବଂ ଦନ୍ତର ବିଶେଷଜ୍ଞ ମାନେ ବରିଷ୍ଠ ନାଗରିକମାନଙ୍କ ପରୀକ୍ଷା କରିଥିଲେ। ଏହି ଉପଲକ୍ଷେ ଶହୀଦ ସ୍ମୃତି ଭବନ ଠାରେ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଏହି ସଭାରେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, (ରାଜ୍ୟସଭା) ଶ୍ରୀମତୀ ମମତା ମହାନ୍ତ, ସମ୍ମାନିତ ଅତିଥି ଭାବେ ମାନ୍ୟବର ଅଧ୍ୟକ୍ଷ, ବାରିପଦା ପୌରପାଳିକା ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ, ମୁଖ୍ୟବକ୍ତା ଭାବେ ଉପ-ଜିଲ୍ଲାପାଳ, ବାରିପଦା ଡ଼. ଦୟାସିନ୍ଧୁ ପରିଡା ଏବଂ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଗୌତମ କିଶାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ଦାଶ ଯୋଗଦେଇ ବରିଷ୍ଠ ନାଗରିକ ଦିବସ ପାଳନର ମହତ୍ଵ ବିଷୟରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ମୟୂରଭଞ୍ଜ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଦାଶ ଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ନାଗରିକ ସଂଘର ସମ୍ପାଦକମାନେ ନିଜର ଅଭିଭାଷଣ ରଖିବା ସହ ବରିଷ୍ଠ ନାଗରିକଙ୍କ ନିମନ୍ତେ ଥିବା ଯୋଜନାଗୁଡିକ କେମିତି ସହଜରେ ବରିଷ୍ଠ ନାଗରିକଙ୍କ ପାଖରେ ପହଞ୍ଚିବ ତଥା ବ୍ୟାଙ୍କ, ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ପୃଥକ ଧାଡ଼ି ଓ ବସଷ୍ଟାଣ୍ଡରେ ବସିବାନିମନ୍ତେ ସ୍ଥାନ କରାଯିବା ପାଇଁ ସରକାରଙ୍କ ପାଖେ ନିଜର ମନ୍ତବ୍ୟ ରଖିଥିଲେ। ଉକ୍ତ ସମାରୋହରେ ଉଦଳାର ପୂର୍ବତନ ସେନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଣ୍ଡଳ ଏବଂ ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପଶୁଦା ଗ୍ରାମର ବରିଷ୍ଠ ଆଇନଜୀବୀ ତଥା ସମାଜସେବି ଶ୍ରୀଯୁକ୍ତ ରସାନନ୍ଦ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହା ସହ ବାରିପଦା ଠାରେ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ରଚନାଲିଖନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାସ୍ତବ ପରିବାର ବାରିପଦା ଦ୍ୱାରା ଅଶୁଭ ଲଗ୍ନା ନାମକ ଏକ ହୃଦୟସ୍ପର୍ଶି ନାଟକ ପରିବେଷଣ କରାଯାଇଥିଲା।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଣଜିତ ସୋରେନଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିବା ଏହି ସଭାକୁ ବାସ୍ତବ ପରିବାରର କଳାକାର ଶ୍ରୀଯୁକ୍ତ ରାଜେଶ ଦାଶ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସାମାଜିକ ସୁରକ୍ଷା ବିଭାଗର କର୍ମକର୍ତ୍ତା, ଆର.ଡି.ଏ.ସି, ରୋଜ, ମନୋବିକାଶ, ତଥା ଅନ୍ଧ, ମୂକ ଓ ବଧିର ସ୍ୱତନ୍ତ୍ର ବିଦ୍ୟାଳୟ, ଲକ୍ଷ୍ମୀପୋଷୀର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବଣକାଟି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜାବ ଏଣ୍ଡ ସିନ୍ଦ୍ ବ୍ୟାଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

masiha

ଚେନାଇରାଧା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ରାଇରଙ୍ଗପୁରରେ “ବୀର ବିର୍ସା ମୁଣ୍ଡା ଵୃଦ୍ଧାଶ୍ରମ’ ରେ ୭୮ ତମ ସ୍ବାଧିନତା ଦିବସ ପାଳିତ 

masiha

Leave a Comment

error: Content is protected !!