ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା ମୋ ବୋଉ

ମୋ ବୋଉ

ବୋଉ ଡାକ ହେଲା ଆଜିଠାରୁ ଶେଷ

           କାହାକୁ ଡାକିବି ଆଉ

ରହିଗଲୁ ମନ ମଧ୍ୟରେ ସାଇତା

       ଯୁଗଯୁଗ ରହିଥାଉ ।୧।

 

କେତେ ଦୁଃଖକଷ୍ଟ ସହି ତୋ ଜୀବନେ

           ମଣିଷ କରିଣ ଥିଲୁ

କିପରି ଶୁଝିବି ଋଣ ମୁଁ ତୋହର

     କେଉଁଆଡେ ଚାଲିଗଲୁ ।୨।

 

ଛାଡିଦେଇ ଗଲୁ ତିନିଗୋଟି ପୁତ୍ର

   ତା ସଙ୍ଗେ ନାତିନାତୁଣୀ

ପୁତ୍ରବଧୂ ଆଉ ଆତ୍ମୀୟ ସ୍ବଜନ

      ନେତ୍ରରୁ ବହୁଛି ପାଣି ।୩।

 

ପୁତ୍ରକୁ ମଣିଷ କରିବା ପାଇଁ କି

     ମାଜିଲୁ ପର ବାସନ

ନିଜେ ଉପବାସ ରହି ଯୋଗାଇଲୁ

     ପୁତ୍ରକୁ ନୂଆ ବସନ ।୪।

 

ଶାଶୁ ଶ୍ବଶୁରଙ୍କ ଅତ୍ଯାଚାର କେତେ

      ସହିଅଛୁ ଧୈର୍ଯ୍ୟଧରି

ଖୁଦ ଆମ୍ବିଳରେ ଦିନ ତୁ କାଟିଛୁ

      ପୁତ୍ରଙ୍କୁ ସାଥିରେ ଧରି ।୫।

 

ତଥାପି ପୁତ୍ରକୁ କରାଇ ଶିକ୍ଷିତ

     ସମାଜେ ଠିଆ କରିଲୁ

ଯୁଗଯୁଗ ପାଇଁ ରଖିଗଲୁ ନାମ

     ମୋ ପାଇଁ ମୃତ୍ୟୁ ନୋହିଲୁ ।୬।

 

ସାହିତ୍ୟରେ ମନ ବଳିଲା ଯେବେଠୁ

         କଲମ ହାତେ ଧରିଲି

ସମ୍ବାଦ ସାହିତ୍ୟ ସମାଜ ସେବାରେ

         ନିଜକୁ ହଜାଇ ଦେଲି ।୭।

 

ଯେଉଁଆଡେ ଗଲେ ବୋଉ ବୋଲି ଡାକି

          ଆନନ୍ଦରେ ଯାଉଥିଲି

ଫେରିଆସି ବୋଉ ଡାକିଦେଇ ଥରେ

         ଆନନ୍ଦିତ ହେଉ ଥିଲି ।୮।

 

ଆର୍ଥିକ ଅବସ୍ଥା ନୁହଁଇ ସ୍ବଚ୍ଛଳ

    ଭାଙ୍ଗିଗଲା ମନୋବଳ

କେମିତି ଚଳିବି ଏସମାଜେ ମୁହିଁ

      ପାଉନାହିଁ ଥଳକୂଳ ।୯।

 

ଦୁଇ ହଜାର ବାଇଶି ମସିହାର 

    ମେ ମାସ ସାତ ତାରିଖ 

ହଠାତ୍ ଦୁଃଖରେ ଆଳଦା ଗାଆଁର

       ବଦଳିଲା ରୂପରେଖ ।୧୦।

 

ସାରା ଜୀବନଟା କଟିଲା ଦୁଃଖରେ

     ପାଇଲୁନି ଟିକେ ଶାନ୍ତି

ଅସମୟେ ତୁମେ ସ୍ବର୍ଗଗାମୀ ହୋଇ

    ଦେଇଣଗଲୁ ଅଶାନ୍ତି ।୧୧।

 

ତୁମ ମହାନତା ସହନ ଶୀଳତା

    ଅଛି ଯେତେ ସବୁ ଗୁଣ

ବର୍ଣ୍ଣନା କରିଲେ କେଜାଣି କେତେ ଯେ

       କାଗଜ ଲାଗିବ ଜାଣ ।୧୨।

 

ଘରୁ ଗଲାବେଳେ ନେଇ ଆଶୀର୍ବାଦ

           ବୋଉ ଡାକି ଯାଉଥିଲି

କାହାକୁ ଡାକି ମୁଁ ବାହାରକୁ ଯିବି

      କହିଦେ ବୋଉ ତୁ ଖୋଲି ।୧୩।

 

ଯେଉଁଠି ଥିଲେ ତୁ ଶାନ୍ତିରେ ରହିବୁ

          କରିବୁନି ମନ ଦୁଃଖ

ତୋ ପୁଅ ନରେନ୍ଦ୍ର ଭୁଲିବନି କେବେ

     ଦେଇଅଛୁ ଯେତେ ସୁଖ ।୧୪।

 

ପିତା ବଂଶୀଧର ମାତା ମୋ ଯମୁନା

       ସ୍ବର୍ଗରେ କରିଲ ଘର

ସାହା ଓ ଭରସା ଦେବାପାଇଁ କେହି

     ରହିଲ ନାହିଁ ମର୍ତ୍ତ୍ୟର ।୧୫।

 

ପିତା ମାତାଙ୍କର ଅମର ଆତ୍ମାକୁ

    ରଖିବ ସୁଖଶାନ୍ତିରେ

ଏତିକି ଗୁହାରୀ ଶୁଣ ଜଗନ୍ନାଥ

      ନିବେଦନ ଅଶ୍ରୁ ନୀରେ ।।୧୬।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା,

ଖଇରା, ବାଲେଶ୍ବର, 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏତ ବିପରୀତ ବାଣୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହେରା ପଞ୍ଚମୀର ମାହାତ୍ମ୍ୟ

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ

Sunil Chandra Nayak

Leave a Comment

error: Content is protected !!