ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା ଜନନୀ

ଜନନୀ

 

ଜନନୀ ମୋର ଅତି ନିଜର

       ହସ କାନ୍ଦରେ ସାହା

ଆଖିରେ ଯେବେ ଝରଇ ଲୁହ

      କାନିରେ ପୋଛେ ମାଆ |1|

 

ବସିଲେ ରୁଷି କୋଳେଇ ନିଏ

       କରଇ କେତେ ଗେଲ

ମୋ ଦେହ ଧୂଳି ଧୁଏ ଆଦରେ

       ଲଗାଇ ବାସ୍ନା ତେଲ |2|

 

ନଖାଇ କେବେ ତଳେ ଗଡ଼ିଲେ

     ବାପରେ ଧନ କହି

ଖୁଆଇ ଦିଏ ମିଳଇ ଯାହା  

     ଅଳି ଅଝଟ ସହି |3|

 

ସ୍କୁଲ ବେଳରେ ଖୁଆଇ ମୋତେ

       ନୂଆ ବସ୍ତ୍ର ପିନ୍ଧାଇ

ସ୍କୁଲ ପଠାଏ ହସି ହସିକା

       ଦୁଇ ହାତ ହଲାଇ |4|

 

ପରବ ହେଲେ ପିଠା ପଣାରେ

       ମୋତେ ଭସାଇ ଦିଏ

ସ୍ନେହ ଆଦରେ ଖୁଆଇ ଦିଏ

     ମା ପରି ନାହିଁ କିଏ |5|

 

ମୋ ମାଆ କୋଳେ ଥିଲେ ନଥାଏ

      ଜମା କାହାକୁ ଡର

ମାଆ ଆଶିଷେ ସବୁଠି ଜିତେ

     ସରଗ ମୋ ଘର |6|

 

ମାଆ ହାତର ଶାଗ ପଖାଳ

       ଲାଗେ ଅମୃତ ପରି

ତାହାଠୁ ବଳି ନାହିଁତ କିଛି

     ସୁଧା ନୁହେଁ ତା’ସରି |7|

 

ମୋ’ମାଆ ପରି ଜନନୀ ନାହିଁ

      ମରତ ସାରା ଜଣେ

ଦୁନିଆଁ ଯାକ ସବୁ ପିଲାଙ୍କୁ 

       ନିଜର ପରି ମଣେ |8|

 

ସୁନା ଦୋଳିରେ ଝୁଲାଇ ଦିଏ

      ଫୁଲ ବିଛଣା ପାରି

ନିଦ ନ ହେଲେ କହଇ ଗପ

      ମଧୁର ଶୁଆ ଶାରୀ |9|

 

ଜନମ ଦେଇ ପାଳନ କରେ

      ଜୀବନ ଥିବା ଯାଏ

ମାଆ ମମତା ସରଗ ମୋର

        କୋଳେ ଭୟ ନ ଥାଏ |10|

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା

ହରଚନ୍ଦନପୁର, କେନ୍ଦୁଝର

 

-:-:-:-:-:-:-:-:-:-:-:-:-:-:-:-:-

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କୃଷ୍ଣ ରୂପେ ଆସ ତୁମେ

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ ବ୍ୟଙ୍ଗ କବିତା ଇସ୍ତାହାର

Sunil Chandra Nayak

ମହିମା ଗାଦିରେ ନବାର୍ନ ଖାଇ ନୂଆଖାଇ ପାଳନ କଲେ ସାଧୁ ସନ୍ଥ

Sunil Chandra Nayak

Leave a Comment

error: Content is protected !!