ଜନନୀ
ଜନନୀ ମୋର ଅତି ନିଜର
ହସ କାନ୍ଦରେ ସାହା
ଆଖିରେ ଯେବେ ଝରଇ ଲୁହ
କାନିରେ ପୋଛେ ମାଆ |1|
ବସିଲେ ରୁଷି କୋଳେଇ ନିଏ
କରଇ କେତେ ଗେଲ
ମୋ ଦେହ ଧୂଳି ଧୁଏ ଆଦରେ
ଲଗାଇ ବାସ୍ନା ତେଲ |2|
ନଖାଇ କେବେ ତଳେ ଗଡ଼ିଲେ
ବାପରେ ଧନ କହି
ଖୁଆଇ ଦିଏ ମିଳଇ ଯାହା
ଅଳି ଅଝଟ ସହି |3|
ସ୍କୁଲ ବେଳରେ ଖୁଆଇ ମୋତେ
ନୂଆ ବସ୍ତ୍ର ପିନ୍ଧାଇ
ସ୍କୁଲ ପଠାଏ ହସି ହସିକା
ଦୁଇ ହାତ ହଲାଇ |4|
ପରବ ହେଲେ ପିଠା ପଣାରେ
ମୋତେ ଭସାଇ ଦିଏ
ସ୍ନେହ ଆଦରେ ଖୁଆଇ ଦିଏ
ମା ପରି ନାହିଁ କିଏ |5|
ମୋ ମାଆ କୋଳେ ଥିଲେ ନଥାଏ
ଜମା କାହାକୁ ଡର
ମାଆ ଆଶିଷେ ସବୁଠି ଜିତେ
ସରଗ ମୋ ଘର |6|
ମାଆ ହାତର ଶାଗ ପଖାଳ
ଲାଗେ ଅମୃତ ପରି
ତାହାଠୁ ବଳି ନାହିଁତ କିଛି
ସୁଧା ନୁହେଁ ତା’ସରି |7|
ମୋ’ମାଆ ପରି ଜନନୀ ନାହିଁ
ମରତ ସାରା ଜଣେ
ଦୁନିଆଁ ଯାକ ସବୁ ପିଲାଙ୍କୁ
ନିଜର ପରି ମଣେ |8|
ସୁନା ଦୋଳିରେ ଝୁଲାଇ ଦିଏ
ଫୁଲ ବିଛଣା ପାରି
ନିଦ ନ ହେଲେ କହଇ ଗପ
ମଧୁର ଶୁଆ ଶାରୀ |9|
ଜନମ ଦେଇ ପାଳନ କରେ
ଜୀବନ ଥିବା ଯାଏ
ମାଆ ମମତା ସରଗ ମୋର
କୋଳେ ଭୟ ନ ଥାଏ |10|
ଶ୍ରୀ ବିଦ୍ୟାଧର ମହାନ୍ତ
ତମ୍ବାହରା
ହରଚନ୍ଦନପୁର, କେନ୍ଦୁଝର
-:-:-:-:-:-:-:-:-:-:-:-:-:-:-:-:-