ରବିଧାନ ପଞ୍ଜିକରଣ ବାଦ ଯୋଗୁଁ ରାଜରାସ୍ତାକୁ ଓଲ୍ହାଇଲେ ଚାଷୀ,ଆନ୍ଦୋଳନରେ ସାମିଲ ହେଲେ ୩ ବ୍ଲକର ଚାଷୀ,ଅନିର୍ଦ୍ଧିଷ୍ଟ କାଳଯାଏଁ ଧର୍ମଘଟ
କୋକସରା, ୯।୫/( ମନିସ ): ପ୍ରସାଦ ଗଜିନ୍ଦ୍ର/ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେଗାଲିଫ୍ଟ ଚାଷୀ ରବିଧାନ ବିକ୍ରୟ ପାଇଁ ପ୍ରଶାସନ ଆଗରେ ବାରମ୍ବାର ନେହୁରା ହେବା ସହିତ ମଧ୍ୟ ସରକାର ଚାଷୀଙ୍କ ପ୍ରତି କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରିବାରୁ ଚାଷୀ ମାନେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ ଚଳିତ ରବିଧାନ ଚାଷ ପାଇଁ ଜୟପାଟଣା, କୋକସରା, ଧର୍ମଗଡ଼ ବ୍ଲକର ପ୍ରାୟ ୧୮୮୮୫ ହେକ୍ଟର ଜମିରେ ଚାଷକାର୍ଯ୍ୟ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପରୁ ଚାଷୀଙ୍କୁ ପାଣି ଯୋଗାଇ ଦିଆଯାଇଥିଲା। ଚାଷୀ ମାନେ ଚାଷପାଇଁ ପାଣି ମିଳିବାରୁ ଋଣ କରଜ କରି ଚାଷ କାର୍ଯ୍ୟ ଆଗେଇ ନେଇଥିଲେ।ବର୍ତ୍ତମାନ ଅଧିକାଂଶ ଚାଷ ଜମିରୁ ଧାନ ଅମଳ ସରିଲାଣି। ତେବେ ବର୍ତ୍ତମାନ ଚାଷୀ ମାନେ ରବିଧାନ ବିକ୍ରି ପାଇଁ ସଜବାଜ ହେଉଥିବା ବେଳେ ବିଭାଗ ପକ୍ଷରୁ ଚାଷୀଙ୍କ ଧାନ କିଣିବା ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି । ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ବିରକ୍ତି ଭାବ ସୃଷ୍ଟି ହେଉଛି । ଯେହେତୁ ଦୀର୍ଘ ଦେଢ଼ ମାସ ଧରି ଚାଷୀମାନେ ରବି ଧାନ ବିକ୍ରି ପାଇଁ ଜିଲ୍ଲାପାଳ ଠାରୁ ଆରମ୍ବ କରି ବିଭାଗୀୟ ସଚିବ, କର୍ମକର୍ତ୍ତା ତଥା ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ସମସ୍ୟା ଉପରେ ଆଲୋଚନା କରି ଲିଖିତ ଅଭିଯୋଗ କରିଥିଲେ ।ହେଲେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇନଥିବା ଚାଷୀ ଅଭିଯୋଗ କରିଛନ୍ତି। ତେବେ ପ୍ରଶାସନ ଚାଷୀଙ୍କ ଅଭିଯୋଗ ନଶୁଣିବାରୁ ୪ ବ୍ଲକର ହଜାର ହଜାର ଚାଷୀ ଶୁକ୍ରବାର ରାଜରାସ୍ତାକୁ ଓଲ୍ହାଇ ୨୬ ରାଜପଥକୁ ଅବରୋଧ କରି ଆନ୍ଦୋଳନ କରୁଥିବା ଦେଖାଯାଇଛି।ଅନ୍ୟପଟେ ଇନ୍ଦ୍ରାବତୀ ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ ଧାରଣା ସ୍ଥଳରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।କୋକସରା ବ୍ଲକ ଉପାଦକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ପୁରୁଷୋତ୍ତମ ଦାସ ଗୁପ୍ତା ସଭାପତିତ୍ୱ କରିଥିଲେ। ଅନୁଷ୍ଠିତ ସଭାରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦୁ ସିଂଦେଓ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ବିଧାୟକ ମୌସୁଧି ବାଗ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ ,ଓଡିଶା ଜନତା କଂଗ୍ରେସ ନେତା ମଧୁ ମହାନ୍ତି , ସନ୍ତୋଷ ପାଢ଼ୀ, ବଦ୍ରିନାରାୟଣ ପଟ୍ଟନାୟକ,ପ୍ରଶାନ୍ତ ତିୱାରୀ ଡାକେଶ୍ୱର ଲହଜଲ ଏବଂ ଚାଷୀ ନେତା ମାନେ ଉପସ୍ଥିତ ରହିଥିଲେ। ସଭାରେ ବକ୍ତା ମାନେ ମେଗାଲିଫ୍ଟ ଚାଷୀଙ୍କୁ ରବିଧାନ ବିକ୍ରୟରୁ ବଞ୍ଚିତ ରହୁଥିବା ଯୋଗୁଁ ସରକାରଙ୍କୁ ନିନ୍ଦା କରିବା ସହିତ କଟୁ ସମାଲୋଚନା କରିଥିଲେ।ସଭାକାର୍ଯ୍ୟକୁ ଆଇନଜୀବୀ ଦିଗାମ୍ବର ଦୁରିଆ ପରିଚାଳନା କରିଥିଲେ।ପ୍ରକାଶ ଥାଉକି ପୂର୍ବ ବିଜେଡି ସରକାର ସମୟରେ ଚାଷୀ ମାନେ ସୁରୁଖୁରୁରେ ଧାନ ବିକ୍ରୟ କରିବା ସହିତ ସଠିକ ସମୟରେ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପରୁ ପାଣି ପାଇପାରୁ ଥିବା ପ୍ରକାଶ ପାଇଛି । ତେବେ ଗତବର୍ଷ ଚାଷୀ ମାନେ ଚାଷକାର୍ଯ୍ୟ ପାଇଁ ପାଣି ଲାଗି ପ୍ରଶାସନର ଅନେକ ଥର ଦ୍ୱାରସ୍ଥ ହେଲାପରେ ମଧ୍ୟ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ପାଣି ଦିଆଯାଇନଥିଲା। ଯାହା ଫଳରେ ମେଗାଲିଫ୍ଟ ଅଞ୍ଚଳର ହଜାର ହଜାର ଚାଷୀ ଚାଷକାର୍ଯ୍ୟରୁ ବଞ୍ଚିତ ହୋଇ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଚଳିତ ରବିଚାଷ ସମୟରେ ଚାଷୀଙ୍କୁ ଚାଷକାର୍ଯ୍ୟ ପାଇଁ ପାଣି ଦେଇ ଚାଷ ଅମଳ ହେଲାପରେ ଚାଷୀଙ୍କ ରବିଧାନ କ୍ରୟ କରାଯାଉନଥିବା ଅଭିଯୋଗ କରିଛନ୍ତି। ଯାହା ଫଳରେ ୪ ବ୍ଲକର ପାଖାପାଖି ୧୫ ହଜାର ଚାଷୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ବୁଡ଼ି ରହିଛି। ଏନେଇ ଅଞ୍ଚଳରେ ଚାଷୀ ମାନେ ଗାଁ ଗାଁରେ ସଭା ସମିତି ଆୟୋଜନ କଲେ ସୁଦ୍ଧା ପ୍ରଶାସନ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ତେବେ ସରକାର ଚାଷୀଙ୍କ ସମସ୍ୟା ନବୁଝିବାରୁ ଚାଷୀ ମାନେ ଶେଷରେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରୁଥିବା ପ୍ରକାଶ ପାଇଛି।ଚାଷୀଙ୍କ ଆନ୍ଦୋଳନ ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ କରୁଥିବା ବହୁ ସଂଖ୍ୟାରେ ଗାଡ଼ି ମୋଟର ବ୍ୟାହତ ହୋଇଥିଲା। ଯାହା ଫଳରେ ଭବାନୀପାଟଣା – ଜୟପୁର ଦେଇ ଯିବା ଆସିବା ଗାଡ଼ି ମୋଟର ଚଳାଚଳ ସବୁ ଠପ ହୋଇ ଯାଇଥିଲା।ପୁଣି କୋକସରା ସଦର ମହକୁମାରେ ଚାଷୀ ଆନ୍ଦୋଳନ କରାଯାଉଥିବା ଯୋଗୁଁ ଅନେକ ସରକାରୀ,ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବିର୍ସା ଫୁଲେ ଆମ୍ବେଦକର ସଂଗଠନ କଳାହାଣ୍ଡି,ରାଜମିସ୍ତ୍ରୀ ସଙ୍ଘ କଳାହାଣ୍ଡି,ଡ୍ରାଇଭର ସଙ୍ଘ କଳାହାଣ୍ଡି, ସେଡୁଲ କାଷ୍ଟ ଫେଡେରେସନ, ଆଦିବାସୀ ସଙ୍ଘ, ଯୁବ ଛାତ୍ର ଗୋଷ୍ଠୀ, ବିଭିନ୍ନ ମହିଳା ସଂଗଠନ ତଥା ଧର୍ମଗଡ଼, ଜୟପାଟଣା, କୋକସରା ବ୍ଲକ ତଥା ଜିଲ୍ଲାର ହଜାର ହଜାର ଚାଷୀ ଓ ଅନେକ ସଂଗଠନର କର୍ମକର୍ତା ମାନେ ଆନ୍ଦୋଳନରେ ସାମିଲ ହୋଇ ଶାନ୍ତିପୂର୍ଣ ଭାବେ ସହଯୋଗ କରିଥିଲେ। ତେବେ ଚାଷୀ ମାନେ ୧୦ ଘଣ୍ଟା ସମୟ ଧରି ଧର୍ମଘଟ କଲାପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।ଫଳରେ ଇନ୍ଦ୍ରାବତୀ ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ ୪ ବ୍ଲକର ଚାଷୀ ଆନ୍ଦୋଳନକୁ ବଳବତର ରଖିବା ପାଇଁ ପ୍ରତ୍ୟକ ଦିନ ଦୁଇଗୋଟି ପଞ୍ଚଯାତ ଲେଖାଏଁ ରାଜରାସ୍ତାକୁ ଓଲ୍ହାଇ ଅନିର୍ଦ୍ଧିଷ୍ଟ କାଳଯାଏଁ ଚାଷୀ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି।କାର୍ଯ୍ୟକ୍ରମ ପରିଚାଳନାରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଧବଳେଶ୍ୱର ନାଗ, ତ୍ରିଭୁବନ ନାଏକ, ସୁଶାନ୍ତ ବେହେରା, ଶ୍ରୀନିବାସ ପ୍ରଧାନୀ, ଗୋବର୍ଦ୍ଧନ ବାଗ, ଜୟଲାଲ ନାଏକ, ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ପଙ୍କଜମୁଖ ଚୌଧୁରୀ, ରବିନାରାୟଣ ଦାସ, ଦୁର୍ଗା ନାଏକ,ରତନ ନାଏକ, ରାଜେନ୍ଦ୍ର ନାଏକ,ଭୁବନେଶ୍ୱର ମାଝୀ, ପ୍ରଧାନୀ ବାଗ, ଦିଶାନ୍ତ ବେସ୍ରା, ହରି ରାଉତ ଏବଂ ଶତାଧିକ ଚାଷୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

