ନୂଆପଡାରେ ଜିଲ୍ଲାସ୍ତରୀୟ “ଜନ ଭାଗିଦାରୀ : ସବସେ ଦୂର, ସବସେ ପହେଲେ” ଅଭିଯାନର ଶୁଭାରମ୍ଭ କଲେ ଜିଲ୍ଲାପାଳ
ନୂଆପଡା, ତା. ୧୮/୦୫ :(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସୋମବାର କୋମନା ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦ୍ର ସରକାରଙ୍କ “ଜନ ଭାଗିଦାରୀ : ସବସେ ଦୂର, ସବସେ ପହେଲେ” ଅଭିଯାନର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଜିଲ୍ଲାପାଳ ଆଦିବାସୀ ବହୁଳ ଗ୍ରାମଗୁଡ଼ିକରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ସହ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସୁବିଧା ବଣ୍ଟନ କରିଥିଲେ ।
ନିକଟ ଅତୀତରେ କେନ୍ଦ୍ର ସରକାର “ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (PM-JANMAN)” ଏବଂ “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DA-JGUA)” ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଥିବା। ଏହାର ସଫଳ କାର୍ଯ୍ୟକାରିତା ଓ ଜନସମ୍ପୃକ୍ତିକୁ ଆହୁରି ସୁଦୃଢ କରିବା ପାଇଁ “ଜନ ଭାଗିଦାରୀ : ସବସେ ଦୂର, ସବସେ ପହେଲେ” ଅଭିଯାନ ଆରମ୍ଭ କରାଯାଇଛି ।
ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି କ୍ଷେତ୍ରସ୍ତରରେ ସମ୍ପର୍କ ବଢ଼ାଇବା, ସରକାରୀ ସେବାର ସର୍ବାଧିକ ପହଞ୍ଚ ସୁନିଶ୍ଚିତ କରିବା, ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ଏବଂ ଆଦିବାସୀଙ୍କ ଜୀବନ ଓ ଜୀବିକାର ମାନ ଉନ୍ନତ କରିବା ।
ମେ’ ୧୮ ରୁ ମେ’ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ନୂଆପଡା ଜିଲ୍ଲାର ଆଦିବାସୀ ବହୁଳ ମୋଟ ୨୮୫ଟି ଗ୍ରାମକୁ ସାମିଲ କରାଯାଇଛି । ଏଥିରେ ନୂଆପଡା ବ୍ଲକର ୫୧ଟି, କୋମନା ବ୍ଲକର ୧୩୨ଟି, ଖଡ଼ିଆଳ ବ୍ଲକର ୧୮ଟି, ବୋଡେନ ବ୍ଲକର ୭୦ଟି ଏବଂ ସିନାପାଲି ବ୍ଲକର ୧୪ଟି ଗ୍ରାମ ଅନ୍ତର୍ଭୁକ୍ତ ରହିଛି ।
ଅଭିଯାନ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ ଓ ଶୁଣାଣି, ମାଗଣା ସ୍ୱାସ୍ଥ୍ୟ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ, ସରକାରୀ ସୁବିଧା ବଣ୍ଟନ ଏବଂ ଜୀବିକାଭିତ୍ତିକ ସହାୟତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ମାଧ୍ୟମରେ ଲୋକମାନଙ୍କ ପାଖରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବାକୁ ପ୍ରୟାସ କରାଯିବ ।
ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଏହି ଜନମୁଖୀ ଅଭିଯାନର ସୁଯୋଗ ନେଇ ସରକାରୀ ଯୋଜନାର ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ, ଅଜିଜ ଖାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଅ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ।

