ଆଜିର ଦିବସର ଅନୁଚିନ୍ତା: ମେ ୨୩ ତାରିଖ ଇତିହାସ,ସଂସ୍କୃତି,ବିଜ୍ଞାନ ଚେତନାର ସମାହାର
ଡ଼ା. ଦେବୀ ପ୍ରସାଦ ମିଶ୍ର,
ମେ ୨୩ ତାରିଖ କେବଳ କାଳର ଏକ ପୃଷ୍ଠା ନୁହେଁ, ଏକ ସାଧାରଣ ଦିନ ନୁହେଁ,ବରଂ ଏହା ମାନବର ସଭ୍ୟତାର ଇତିହାସ,ସଂସ୍କୃତି ଓ ବିଜ୍ଞାନମୟ ଚେତନାର ଚିନ୍ତାଧାରାର ଏକ ଅନନ୍ୟ ସାର୍ଥକ ସମାହାର।ସମୟର ଚକ୍ରରେ,ସମୟର ସ୍ରୋତରେ ପ୍ରତିଟି ଦିନ ନିଜ ସହ କିଛି ଅମର ସ୍ମୃତି,ପ୍ରେରଣା ଓ ସଂକଳ୍ପ ନେଇ ଆସିଥାଏ।ଆଜିର ଦିନଟି ବିଶ୍ୱବ୍ୟାପୀ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଏବଂ ମହନୀୟ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ବହନ କରେ,ଯାହା ଆମ ଜୀବନ ଦର୍ଶନକୁ ସମୃଦ୍ଧ କରିଥାଏ।ଆଜିର ଦିନଟି ସେହି ଅର୍ଥରେ ବିଶେଷ ମାହାତ୍ମ୍ୟ ବହନ କରେ।
ଆନ୍ତର୍ଜାତୀୟ ସ୍ତରରେ ଆଜି ‘ବିଶ୍ୱ କଇଁଛ ଦିବସ’ ଭାବେ ପାଳିତ ହେଉଛି,ଯାହା ପରିବେଶ ସନ୍ତୁଳନ ଏବଂ ବିଲୁପ୍ତପ୍ରାୟ ଜୀବଙ୍କ ସୁରକ୍ଷା ପାଇଁ ବିଶ୍ବର ସମଗ୍ର ମାନବଜାତିକୁ ସ୍ମରଣ ଓ ସଚେତନ କରାଏ।ଏହା ସହିତ ମାତୃ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ଦ୍ୱାରା ‘ଆନ୍ତର୍ଜାତୀୟ ପ୍ରସୂତି ଫିଷ୍ଟୁଲା ନିରାକରଣ ଦିବସ’ ମଧ୍ୟ ଆଜି ପାଳନ କରାଯାଉଛି ଯାହା ମାତୃ ସ୍ୱାସ୍ଥ୍ୟ ଓ ନାରୀ ସମ୍ମାନ ପ୍ରତି ବିଶ୍ୱ ସମାଜର ଦାୟିତ୍ୱ,କର୍ତ୍ତବ୍ୟକୁ ସ୍ମରଣ ଓ ସଚେତନ କରାଏ।ସେହିପରି ବିଜ୍ଞାନ ଓ ଗଣିତର ଐତିହାସିକ ଦିଗକୁ ଦେଖିଲେ,ଏହି ଦିନଟି ମହାନ୍ ଜ୍ୟୋତିର୍ବିଜ୍ଞାନୀ ନିକୋଲାସ୍ କୋପରନିକସ୍ ଏବଂ ଜୋହାନେସ୍ କେପଲର୍ ଙ୍କ ସ୍ମୃତି ସହ ଜଡ଼ିତ।ସେମାନଙ୍କ ଆବିଷ୍କାର ପୃଥିବୀ ଓ ବ୍ରହ୍ମାଣ୍ଡ ସମ୍ପର୍କରେ ମାନବଜାତିର ଧାରଣା ଓ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ କରିପାରିଥିଲା।
ଭାରତ କ୍ଷେତ୍ରରେ ଜାତିର ଜାଗ୍ରତ ପ୍ରହରୀ ଭାରତୀୟ ନବଜାଗରଣର ଜନକ ରାଜା ରାମମୋହନ ରାୟଙ୍କ ଜୟନ୍ତୀ ମଧ୍ୟ ଆଜିର ଦିନକୁ ଅଧିକ ଗୌରବମୟ କରିଛି।ସେ ଅନ୍ଧବିଶ୍ୱାସ,ସତୀଦାହ ପ୍ରଥା ଭଳି କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସମାଜ ସଂସ୍କାରର ଯେଉଁ ନୂତନ ଆଲୋକ ଦେଖାଇଥିଲେ, ତାହା ଆଜିର ଆଧୁନିକ ଭାରତ ନିର୍ମାଣର ଭିତ୍ତିଭୂମି ସଦୃଶ।ବିଜ୍ଞାନ ଓ ପ୍ରଗତିଶୀଳ ଚିନ୍ତାଧାରା ଦ୍ୱାରା ହିଁ ସମାଜକୁ ବଦଳାଯାଇପାରେ,ଏହା ଥିଲା ତାଙ୍କର ମୂଳମନ୍ତ୍ର।
ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଆଜି ରବୀନ୍ଦ୍ର ମଣ୍ଡପଠାରେ ଜାତୀୟ ନାଟ୍ୟ ମହୋତ୍ସବର ଶୁଭାରମ୍ଭ ହେଉଛି,ଯାହା କଳା ଓ ସଂସ୍କୃତିର ଏକ ମହାମିଳନ।
ଇତିହାସର ଏହି ଗୌରବମୟ ଘଟଣାବଳୀ ଓ ମହାନ୍ ମନୀଷୀମାନଙ୍କ ଶ୍ରାଦ୍ଧ ତଥା ସ୍ମୃତି ଦିବସରେ ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ସେତିକିବେଳେ ସାର୍ଥକ ହେବ,ଯେତେବେଳେ ଆମେ ସେମାନଙ୍କ ଆଦର୍ଶକୁ ନିଜ ଜୀବନରେ ସ୍ଥାନ ଦେବୁ।କୁସଂସ୍କାର ମୁକ୍ତ ସମାଜ ଗଠନ,ପରିବେଶ ସୁରକ୍ଷା ଏବଂ ମାନବ ସେବା ହିଁ ଆଜିର ଦିବସର ଶ୍ରେଷ୍ଠ ଅନୁଚିନ୍ତା।ତେଣୁ ଆଜିର ଦିନ ଆମକୁ ଏକ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ ପରିବେଶ ସୁରକ୍ଷା,ବୈଜ୍ଞାନିକ ଚେତନା,ମାନବ ସେବା ଓ ସାମାଜିକ ସମନ୍ୱୟ ହିଁ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନର ପ୍ରମୁଖ ଆଧାର।ତେବେ ଆସନ୍ତୁ, ଆମେ ସମସ୍ତେ ଆଜିର ଏହି ଶୁଭ ଦିନରେ ଏକ ସୁସ୍ଥ,କୁସଂସ୍କାର ମୁକ୍ତ,ଵୈଜ୍ଞାନିକ ଚେତନାରେ ଉଦ୍ ବୁଦ୍ଧ,ପ୍ରଗତିଶୀଳ,ଶାନ୍ତିପୂର୍ଣ୍ଣ ବିଶ୍ୱ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
ଡ଼ା.ଦେବୀ ପ୍ରସାଦ ମିଶ୍ର,
✉️ debisirscience@gmail.com
/ debiprasadmishra085@gmail.co

