ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାନୀୟ ହାଇୱା ଲଗାଇବା ଦାବି ,ରାଜରାସ୍ତାକୁ ଓହ୍ଲାଇଲା ହାଇୱା ମାଲିକ ସଂଘ 

ସ୍ଥାନୀୟ ହାଇୱା ଲଗାଇବା ଦାବି ,ରାଜରାସ୍ତାକୁ ଓହ୍ଲାଇଲା ହାଇୱା ମାଲିକ ସଂଘ 

ସିଓଓ ପ୍ରଣବ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ଜୋରଦାର ନାରାବାଜି 

ଲାଞ୍ଜିଗଡ଼,୨୫/୦୫(ମ ନି ସ)-ଜମିବାଡ଼ି, ଜାଗା ସବୁ ଗଲା। କ୍ଷତିପୂରଣ ତ ମିଳିଲା ନାମକୁ ମାତ୍ର। ଭିଟାମାଟି ବଦଳରେ ମିଳିଥିବା ଟଙ୍କାରେ କିଛି ଲୋକ ହାଇୱା ଗାଡ଼ି କିଣି କମ୍ପାନୀର ପରିବହନରେ ସାମିଲ ହୋଇଥିଲେ। ଦୀର୍ଘ କୋଡିଏ ବର୍ଷ ଧରି କଞ୍ଚାମାଲ, ବକ୍ସାଇଟ, ଫ୍ଲାଏ ଆସ ପରିବହନରେ ସେମାନଙ୍କ ଗାଡ଼ି ସବୁ ନିଯୁକ୍ତ ଥିଲା। ଏପରିକି କରୋନାର ଭୟାବହତା ସମୟରେ ଏଗ୍ରିମେଣ୍ଟରୁ ଅଧା ଦାମରେ ମଧ୍ୟ ପରିବହନ ଭାର ମୁଣ୍ଡକୁ ନିଆଯାଇଥିଲା। କିନ୍ତୁ ଏବେ କନଭେୟର ବେଲ୍ଟ ଲଗାଯିବା ସହିତ ସ୍ଥାନୀୟ ହାଇୱା ଗାଡିଗୁଡିକୁ ପରିବହନ ଦାୟିତ୍ୱରୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କମ୍ପାନୀ। ବେଦାନ୍ତ କମ୍ପାନୀ ସ୍ଥାପନର କୋଡ଼ିଏ ବର୍ଷର ଇତିହାସ ମଧ୍ୟରେ ସ୍ଥାନୀୟ ଲୋକଙ୍କ ରକ୍ତ, ସ୍ବେଦ ଆଦି ମିଶିକି ରହିଛି। କିନ୍ତୁ ଆଜି ସୁବିଧା ହେବା ପରେ କମ୍ପାନୀ ସେମାନଙ୍କୁ ପାଦରେ ଏଡାଇ ଦେଇ ବାହାର ଜିଲ୍ଲାରୁ ହାଇୱା ଆଣି ବକ୍ସାଇଟ କିମ୍ବା ଅନ୍ୟାନ୍ୟ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ସୂଚନା ମିଳିବା ପରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ହାଇୱା ମାଲିକ ସଂଘ। ସଂଘର ତିନିଶହରୁ ଉର୍ଦ୍ଧ୍ୱ ହାଇୱା ମାଲିକ ଆଜି ସକାଳୁ ବେଦାନ୍ତ ମେନଗେଟ ସାମ୍ନାରେ ତାଲା ଲଗାଇ ଧାରଣାରେ ବସିଥିବାବେଳେ ଆଜି ଦିନ ତମାମ କମ୍ପାନୀ ପରିସରରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ଆଜି ବଡ଼ି ଭୋରରୁ ହାଇୱା ମାଲିକ ସଂଘର ତିନିଶହରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼ ମୁଖ୍ୟ ଫାଟକ ସାମ୍ନାରେ ରୁଣ୍ଡ ହୋଇ କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ହାଇୱା ମାଲିକ ସଂଘର ଯୁଦ୍ଧଂଦେହୀ ମନୋଭାବ ଦେଖି ଘଟଣାସ୍ଥଳରେ ବେଦାନ୍ତ ଲିମିଟେଡ଼ ସିଓଓ ପ୍ରଣବ ଭଟାଚାର୍ଯ୍ୟ ପହଞ୍ଚି ହାଇୱା ମାଲିକ ସଂଘ ସହିତ ଆଲୋଚନା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୀର୍ଘ ସମୟ ଯାଏଁ ଆଲୋଚନାର କୌଣସି ନିଷ୍କର୍ଷ ବାହାରି ନଥିଲା। ଉତ୍ୟକ୍ତ ଲୋକେ ଦୀର୍ଘ ସମୟ ଧରି ଶ୍ରୀ ଭଟାଚାର୍ଯ୍ୟଙ୍କୁ ଘେରାଉ କରି ରଖିବା ସହିତ ଆମ ଅଞ୍ଚଳ ଓ ଆମ ପ୍ରତି ସାମାନ୍ୟ ଧ୍ୟାନ ନଥିବା ସିଓଓ ଶ୍ରୀ ଭଟାଚାର୍ଯ୍ୟ ଆମକୁ ଦରକାର ନାହିଁ ବୋଲି ନାରାବାଜି କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲ, ଏସଆଇ ବଲଭଦ୍ର ଗଉଡ଼ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ। ସେହିପରି ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର ଉପସ୍ଥିତ ଥିବାବେଳେ ବେଦାନ୍ତ ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଶା ଶିଳ୍ପ ସୁରକ୍ଷା ବଳ ନିୟୋଜିତ ଥିଲେ। ହାଇୱା ମାଲିକ ସଂଘ ପକ୍ଷରୁ ସଭାପତି ଚନ୍ଦ୍ରଶେଖର ବେହେରା, ଉପସଭାପତି ବଟକୃଷ୍ଣ ପୁଷ୍ଟି, ସଂପାଦକ ଏମ.ଡି ଆୟୁବ, ମୀନକେତନ ଷଡ଼ଙ୍ଗୀ, ସୁରେଶ ଅଗ୍ରୱାଲ, ସୁବ୍ରତ ସାମଲ, ନବୀନ ପାତ୍ର, ରଞ୍ଜିତ ପାଢ଼ୀ, ଟୁକୁଲାଲ ସାହୁ, ଟଙ୍କଧର ମେହେର, ସବୀର ରତନ, ସୁନୀଲ ଜୈନ, ଖିଲୁ ସାହୁ, ବିଷ୍ଣୁ ସାହୁଙ୍କ ସହିତ ହାଇୱା ମାଲିକ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଶେଷରେ କମ୍ପାନୀ ପକ୍ଷରୁ ପଚାଶ ପ୍ରତିଶତ ବକ୍ସାଇଟ ପରିବହନ ପାଇଁ ରାଜି ହୋଇଥିବାବେଳେ ଫ୍ଲାଏ ଆସ ପରିବହନରେ ମଧ୍ୟ ସ୍ଥାନୀୟ ହାଇୱାଗୁଡ଼ିକୁ ସାମିଲ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Related posts

ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

Sunil Chandra Nayak

ମୁକ ବଧିର ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ 

masiha

ଝରିଗାଁ ବିଧାୟକ ବିଧାନସଭାରେ ଧୋଡ୍ରାକୁ ନୂତନ ବ୍ଳକ କରାଯିବା ନେଇ ରଖିଥିଲେ ଦାବୀ

masiha

Leave a Comment

error: Content is protected !!