ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ (ଏମ୍.ଭି.ଆଇ) ଇଂ. ରାଜ କୁମାର ବେହେରା ଅବସର ଗ୍ରହଣ ସମ୍ବର୍ଦ୍ଧନା 

ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ (ଏମ୍.ଭି.ଆଇ) ଇଂ. ରାଜ କୁମାର ବେହେରା ଅବସର ଗ୍ରହଣ ସମ୍ବର୍ଦ୍ଧନା 

ବ୍ରହ୍ମପୁର; ୦୧/୦୭ : ଦୀର୍ଘ ଚାରି ଦଶନ୍ଧିର ଗୌରବମୟ ସରକାରୀ ସେବା ପରେ ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ (ଏମ୍.ଭି.ଆଇ) ଇଂ. ରାଜ କୁମାର ବେହେରା ଅବସର ଗ୍ରହଣ କରିବା ସହ ସେବା, ସତ୍ୟନିଷ୍ଠ ଓ ସୌଜନ୍ୟର ଏକ ଉଜ୍ଜ୍ୱଳ ଅଧ୍ୟାୟ ମଉଳି ଯାଇଛି। ଇଂ. ରାଜଙ୍କ ସରକାରୀ ସେବା ନିବୃତ ଅବସରରେ ଆୟୋଜିତ ବିଦାୟକାଳିନ ସମ୍ବର୍ଦ୍ଧନା ସଭା ଏକ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଥିଲା। ତାଙ୍କ ସହ ଦୀର୍ଘଦିନ କାର୍ଯ୍ୟ କରିଥିବା ସହକର୍ମୀ, ବରିଷ୍ଠ ଅଧିକାରୀ ଓ ଶୁଭେଚ୍ଛୁମାନେ ତାଙ୍କର କର୍ତ୍ତବ୍ୟନିଷ୍ଠା, ସରଳତା, ସତ୍ୟନିଷ୍ଟ ଓ ମାନବିକ ବ୍ୟବହାରକୁ ସ୍ମରଣ କରି ଭାବବିହ୍ୱଳ ହୋଇପଡ଼ିଥିଲେ।

            ବିଦାୟ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ଶ୍ରୀ ବେହେରା କେବଳ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ନୁହଁନ୍ତି, ବରଂ ଜଣେ ମିଷ୍ଟଭାଷୀ, ସହୃଦୟ ଓ ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ବ୍ୟକ୍ତିତ୍ୱର ଅଧିକାରୀ। ନିଜ କାର୍ଯ୍ୟ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସେ ନିଷ୍ଠା, ସ୍ୱଚ୍ଛତା ଓ ଦାୟିତ୍ୱବୋଧର ସହ କର୍ତ୍ତବ୍ୟ ସମ୍ପାଦନ କରି ବିଭାଗ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

             ପ୍ରକାଶଯୋଗ୍ୟ ଯେ, ଶ୍ରୀ ବେହେରା ୧୯୮୭ ମସିହାରେ କଳାହାଣ୍ଡି ଜିଲ୍ଲାର ମୁଖିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରେ ଜୁନିଅର ମେକାନିକାଲ ଇଞ୍ଜିନିୟର ଭାବେ ସରକାରୀ ସେବାରେ ଯୋଗଦେଇଥିଲେ। ପରେ ୨୦୦୩ ମସିହାରେ ସେ ପରିବହନ ବିଭାଗକୁ କନିଷ୍ଟ ମୋଟର ଯାନ ନିରୀକ୍ଷକ ଭାବେ ନିୟୋଜିତ ହୋଇଥିଲେ। ଦୀର୍ଘ ୩୯ ବର୍ଷ ୪ ମାସର ସରକାରୀ ସେବା ମଧ୍ୟରୁ ପ୍ରାୟ ୨୩ ବର୍ଷ ସେ କେବଳ ପରିବହନ ବିଭାଗରେ ଅତ୍ୟନ୍ତ ଦକ୍ଷତା ଓ ନିଷ୍ଠାର ସହ କାର୍ଯ୍ୟ କରିଥିଲେ।

             ନିଜର କାର୍ଯ୍ୟକାଳ ମଧ୍ୟରେ ସେ ନବରଙ୍ଗପୁର, ସୁନ୍ଦରଗଡ଼, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ରାୟଗଡ଼ା ସମେତ ବିଭିନ୍ନ ଜିଲ୍ଲାରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟଦକ୍ଷତା, ସତ୍ୟନିଷ୍ଟ ଓ ପ୍ରଶାସନିକ ପାରଦର୍ଶିତାକୁ ବିଚାରକୁ ନେଇ ପରିବହନ ଆୟୁକ୍ତ ଏବଂ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ପରିବହନ ମନ୍ତ୍ରୀଙ୍କ ସୁପାରିଶ କ୍ରମେ ତାଙ୍କୁ ଗଞ୍ଜାମ ଜିଲ୍ଲାକୁ ବଦଳି କରାଯାଇ ଛତ୍ରପୁରରେ ମୋଟର ଯାନ ନିରୀକ୍ଷକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା।

             ନିଜର ଦୀର୍ଘ କାର୍ଯ୍ୟଜୀବନରେ ଶ୍ରୀ ବେହେରା ସର୍ବଦା ଆଇନର ପରିସର ମଧ୍ୟରେ ରହି ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ସହ ସ୍ୱଚ୍ଛ, ନିରପେକ୍ଷ ଓ ଲୋକାଭିମୁଖୀ ପ୍ରଶାସନ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ସରଳ ଆଚରଣ, ନମ୍ର ବ୍ୟବହାର ଓ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଶୈଳୀ ପାଇଁ ସେ ସହକର୍ମୀ, ଉଚ୍ଚପଦସ୍ଥ ଅଧିକାରୀ ଏବଂ ସାଧାରଣ ଲୋକଙ୍କ ଶ୍ରଦ୍ଧା, ବିଶ୍ୱାସ ଓ ଭଲପାଇବା ଅର୍ଜନ କରିଥିଲେ।

            ଅବସର ଗ୍ରହଣ ତାଙ୍କର ସରକାରୀ ସେବା ଜୀବନର ସମାପ୍ତି ହୋଇପାରେ, କିନ୍ତୁ ତାଙ୍କର ନିଷ୍ଠା, କାର୍ଯ୍ୟଦକ୍ଷତା, ସୌଜନ୍ୟବୋଧ ଓ ସେବାଭାବ ଆଗାମୀ ପିଢ଼ିର ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ ମତପ୍ରକାଶ କରିଥିଲେ। ସେମାନେ ତାଙ୍କର ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଅବସରପ୍ରାପ୍ତ ଜୀବନ କାମନା କରିବା ସହ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ।

Related posts

ଭାରତୀୟ ରେଡକ୍ରସ ସୋସାଇଟି  ରାଜ୍ୟ ଶାଖା ତଥା ଜୁନିଅର ରେଡକ୍ରସ କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

masiha

ବନ୍ଧୁଗାଁ ବ୍ଲକରେ ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ପାଇଁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ 

masiha

ରୁପ୍ରାକୁ ନୂତନ ବ୍ଲକ୍ ଘୋଷଣା କରିବାକୁ ସରକାରୀ ସ୍ତରରେ ଦାବି ଜଣାଇବା ପାଇଁ ବୈଠକ  

Sunil Chandra Nayak

Leave a Comment

error: Content is protected !!