ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଅପେକ୍ଷାରେ ଭଙ୍ଗା ଘରେ କଟୁଛି ଜୀବନ 

ଆବାସ ଅପେକ୍ଷାରେ ଭଙ୍ଗା ଘରେ କଟୁଛି ଜୀବନ 

 ହିଞ୍ଜିଳିକାଟୁ, ୧/୭ : ସାରା ରାଜ୍ୟରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବିକାଶର ଲମ୍ବା ତାଲିକା ଉପସ୍ଥାପନ କରାଯାଉଛି। ଆଜି ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀ ନିଜ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ଏଭଳି କିଛି ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ବ୍ଲକ ଦୟାପଲ୍ଲୀ ଗ୍ରାମର ନୂଆସାହିର ବାସିନ୍ଦା ପଦିଆ ଦାସ (୪୯)ଙ୍କ ଜୀବନରେ । ଆଜି ମଧ୍ୟ ଆବାସ ଅପେକ୍ଷାରେ ଭଙ୍ଗା ଘରେ କଟୁଛି ଜୀବନ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ଆଶାରେ ସେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଆଜି ବି ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ଜୀବନ କାଟୁଛନ୍ତି। ପଦିଆଙ୍କ ପରିବାରରେ ପତ୍ନୀ ଓ ଦୁଇ ପୁଅ ଅଛନ୍ତି। ତେବେ ପ୍ରାୟ ୧୬ ବର୍ଷ ହେଲା ପତ୍ନୀ ଓ ଦୁଇ ପୁଅ ତାଙ୍କୁ ଛାଡ଼ି ମୁମ୍ବାଇରେ ରହୁଛନ୍ତି। ସେ ଏକାକୀ ଗାଁରେ ରହି ୫ରୁ ୬ଟି କୁକୁଡ଼ା ପାଳନ କରୁଛନ୍ତି। କୁକୁଡ଼ାର ଅଣ୍ଡା ବିକ୍ରି କରି ଯେଉଁ ସାମାନ୍ୟ ଅର୍ଥ ମିଳେ, ସେଥିରେ ତାଙ୍କର ଜୀବିକା ନିର୍ବାହ ହେଉଛି। ୨୦୦୯ ମସିହାରେ ମୁମ୍ବାଇର ଏକ ଘରୋଇ ପାଇପ୍ ଲାଇନ୍ ସଂସ୍ଥାରେ କାମ କରୁଥିବା ବେଳେ ପଦିଆ ଏକ ଦୁର୍ଘଟଣାରେ ପଡ଼ି ଗୁରୁତର ଆହତ ହୋଇଥିଲେ। ସେହି ଦୁର୍ଘଟଣା ପରେ ଡାକ୍ତର ତାଙ୍କୁ ଭାରି କାମ ନ କରିବାକୁ ପରାମର୍ଶ ଦେଇଥିଲେ। ସେହିଦିନଠାରୁ ତାଙ୍କର ରୋଜଗାରର ପଥ ପ୍ରାୟ ବନ୍ଦ ହୋଇଯାଇଛି। ବର୍ତ୍ତମାନ ରାସନ କାର୍ଡ ମାଧ୍ୟମରେ ସରକାରୀ ଚାଉଳ ପାଉଥିବା ବେଳେ ଅନ୍ୟ କୌଣସି ସରକାରୀ ସହାୟତା କିମ୍ବା ଆବାସ ଯୋଜନାର ସୁବିଧା ତାଙ୍କୁ ମିଳିନାହିଁ। ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର ନଥିବାରୁ ବର୍ଷା ଓ ଖରା ଦିନରେ ସେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁବାର ବ୍ଲକ କାର୍ଯ୍ୟାଳୟକୁ ଯାଇ ଆବେଦନ କରିଥିଲେ ମଧ୍ୟ କୌଣସି ଫଳ ନ ମିଳିବାରୁ ପଦିଆ ଏବେ ପ୍ରଶାସନ ଓ ସରକାରଙ୍କ ନିକଟରେ ତୁରନ୍ତ ଆବାସ ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ନେହୁରା ହୋଇଛନ୍ତି। ସରକାରଙ୍କ ବିକାଶର ଦାବି ମଧ୍ୟରେ ପଦିଆଙ୍କ ଭଳି ଅସହାୟ ଲୋକଙ୍କ ଦୁର୍ଦ୍ଦଶା ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related posts

ଜବର ଦଖଲରେ ସର୍ବ ସାଧାରଣଙ୍କ ରାସ୍ତା:ପ୍ରଶାସନ କରୁଛି କଣ?

Sunil Chandra Nayak

ନୂଆପଡ଼ାରେ କୃଷି ବିଭାଗ ସମୀକ୍ଷା ବୈଠକ: ସାର କଳାବଜାରୀ ପ୍ରତି ଶୂନ୍ୟ ସହନଶୀଳତା; ଚାଷୀଙ୍କ ସ୍ୱାର୍ଥ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା: ଜିଲ୍ଲାପାଳ

Sunil Chandra Nayak

ଜାତୀୟ ମାନବାଧିକାର ସାମ୍ମୁଖ୍ୟ ସଂଗଠନର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ 

masiha

Leave a Comment

error: Content is protected !!