ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌସୁମୀ ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ: ଚୋରି ଭୟ ସାଙ୍ଗକୁ ‘କଟନୀ-ଛଟନୀ’ ମାଡ଼ରେ ଚାଷୀ ବେହାଲ , ମଣ୍ଡି ପରିଦର୍ଶନ କଲା ବିଜେଡି ପ୍ରତିନିଧି ଦଳ, ରାଜରାସ୍ତା ଅବରୋଧ ଚେତାବନୀ

ମୌସୁମୀ ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ: ଚୋରି ଭୟ ସାଙ୍ଗକୁ ‘କଟନୀ-ଛଟନୀ’ ମାଡ଼ରେ ଚାଷୀ ବେହାଲ ,

ମଣ୍ଡି ପରିଦର୍ଶନ କଲା ବିଜେଡି ପ୍ରତିନିଧି ଦଳ, ରାଜରାସ୍ତା ଅବରୋଧ ଚେତାବନୀ

ଧର୍ମଗଡ଼ :ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ମଣ୍ଡିଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଉଚିତ୍ ସୁରକ୍ଷା ଓ ରକ୍ଷଣାବେକ୍ଷଣ ଅଭାବରୁ ଚାଷୀଙ୍କ କଷ୍ଟଲବ୍ଧ ଧାନ ଏବେ ଖୋଲା ଆକାଶ ତଳେ ପଡ଼ିରହି ନଷ୍ଟ ହେବାକୁ ବସିଲାଣି। ବର୍ଷା ପାଣିରୁ ଧାନକୁ ରକ୍ଷା କରିବା ପାଇଁ ଚାଷୀମାନେ ନିଜସ୍ୱ ଉଦ୍ୟମରେ ପଲିଥିନ ଘୋଡ଼େଇ ରଖିଥିଲେ ହେଁ ସେମାନଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ।ମଣ୍ଡିଗୁଡ଼ିକରେ ରାତ୍ରି ସମୟରେ କୌଣସି ଜଗୁଆଳି ବା ସୁରକ୍ଷାକର୍ମୀ ନଥିବାରୁ ଦୈନନ୍ଦିନ ଧାନ ବସ୍ତା ଚୋରି ହେଉଥିବା ଦେଖିବାକୁ ମିଳୁଛି। ବର୍ଷା ଦାଉ ସାଙ୍ଗକୁ ଚୋର ଭୟ ଯୋଗୁଁ ଚାଷୀଙ୍କ ଉପରେ ଦୁଃଖ ଉପରେ ପୁଣି ଦୁଃଖର ବୋଝ ଲଦି ହୋଇଯାଇଛି।ସରକାରଙ୍କ ତରଫରୁ ରବି ଧାନ କିଣା ପ୍ରକ୍ରିୟାର ସମୟସୀମା ଶେଷ ହୋଇଥିବା ବେଳେ ଏହାକୁ ପୁଣି ୩ ଦିନ ବୃଦ୍ଧି କରାଯାଇଛି। କିନ୍ତୁ ମଣ୍ଡିରେ କେବଳ ଧାନ ‘ପରଚେଜ୍’ ବା କାଗଜପତ୍ର କାମ କରାଯାଇ ଧାନ ବସ୍ତାଗୁଡ଼ିକୁ ସେମିତି ମଣ୍ଡିରେ ପକାଇ ରଖାଯାଇଛି, ମିଲର୍ସମାନେ ଧାନ ଉଠାଉ ନାହାନ୍ତି। ଏହାର ସୁଯୋଗ ନେଇ କେତେକ ସ୍ଥାନରେ ୭ କେଜିରୁ ୮ କେଜି ପର୍ଯ୍ୟନ୍ତ ‘କଟନୀ-ଛଟନୀ’ କରାଯାଉଥିବା ଅଭିଯୋଗ ହେଉଛି। ଧାନ ଅଧିକ ଦିନ ଓଦା ରହିଲେ ଆଗକୁ ଏହି କଟନୀ ପରିମାଣ ଆହୁରି ବଢ଼ିବା ନେଇ ଚାଷୀକୁଳ ସନ୍ଦେହ ଓ ଆଶଙ୍କାରେ ରହିଛନ୍ତି।ଚାଷୀଙ୍କ ଏହି ଗମ୍ଭୀର ସମସ୍ୟା ଅନୁଧ୍ୟାନ କରିବା ପାଇଁ ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି। ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେ ଲହଜାଲଙ୍କ ନେତୃତ୍ୱରେ ଏହି ଦଳ ତମ୍ବାଛଡ଼ା, ଖଇରପଦର, କାଙ୍କେରୀ ଓ ପର୍ଲା ମଣ୍ଡି ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ସେଠାରେ ହଜାର ହଜାର ଧାନ ବସ୍ତା ବର୍ଷାରେ ପଡ଼ି ଓଦା ହେଉଥିବା ଦେଖି ବ୍ଲକ ସଭାପତି ତୁରନ୍ତ ଫୋନ୍ ମାଧ୍ୟମରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ସ୍ଥାନୀୟ ଉପ-ଜିଲ୍ଲାପାଳ ଏବଂ ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲେ। ମଣ୍ଡିରୁ ଶୀଘ୍ର ଧାନ ବସ୍ତା ଉଠାଇବା ପାଇଁ ସେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଏହାସହ ଯଦି ଚାଷୀଙ୍କ ଧାନ ତୁରନ୍ତ ଉଠା ନଯାଏ, ତେବେ ଆଗାମୀ ଦିନରେ ବିଜେଡି ପକ୍ଷରୁ ରାଜରାସ୍ତା ଅବରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।ଏହି ମଣ୍ଡି ପରିଦର୍ଶନ ସମୟରେ ରାଜ୍ୟ ସମ୍ପାଦିକା ସୁଶ୍ରୀ ହିରା ବାଗ, ମହିଳା ସଭାନେତ୍ରୀ ମମତା ରାଣୀ ଗୋପାଳ, ଜିଲ୍ଲା ସଂପାଦକ ଲବଣୀ ରାଉତ, ରତନ ନାଏକ, ସନ୍ତୋଷ ପାଢ଼ୀ, କଳିନ୍ଦ୍ରୀ ଗୋପାଲ, ଶୋଷିଆ ହାତୀ, ଗୟା ଖର୍ସେଲ ଏବଂ ମାଧୁର୍ଯ୍ୟ ଗୋପାଲଙ୍କ ସମେତ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଚାଷୀଙ୍କ ଏହି ଜ୍ୱଳନ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ କାର୍ଯ୍ୟ କୁ ବିରୋଧ କରି ଗ୍ରାମବାସୀ ଙ୍କ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଫାଗୁନ ପରିବାର ପକ୍ଷରୁ ସନ୍ତାଳୀ ଭାଷାର ସୁରକ୍ଷା ଓ ବିକାଶ ପାଇଁ ରାଷ୍ଟ୍ରପତିଙ୍କୁ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!