ନୂଆପଡ଼ାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
୨୫୨ ଦିବ୍ୟାଙ୍ଗଜନ ପଞ୍ଜିକୃତ, ୧୦୧ ହିତାଧିକାରୀ ବିଭିନ୍ନ ସରକାରୀ ଯୋଜନା ପାଇଁ ଚିହ୍ନଟ
ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛିl ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଗୋଟିଏ ସ୍ଥାନରେ ପ୍ରଦାନ କରିବା, ସେମାନଙ୍କର ପଞ୍ଜୀକରଣ, ମୂଲ୍ୟାଙ୍କନ ଏବଂ ସଶକ୍ତିକରଣକୁ ଲକ୍ଷ୍ୟ କରି ଏହି ଶିବିରର ଆୟୋଜନ କରାଯାଇଥିଲା।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା ପ୍ରଶାସନର ପ୍ରମୁଖ ଦାୟିତ୍ୱ ଏବଂ ଏଭଳି ଶିବିର ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଳକର, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଭାରତଲାଲ ରାଉତ, ସମାଜସେବୀ ଧନୀରାମ ସାହୁ, ଏସ୍.ଏସ୍.ଏସ୍.ଓ. ସ୍ମୃତିରେଖା ନନ୍ଦଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଡିଓ ରୋହିତ କୁମାର ଭୋଇ ଶିବିରର ସାମଗ୍ରିକ ପରିଚାଳନା କରିଥିବା ବେଳେ ପିଇଓ ଭାନୁ ପ୍ରକାଶ ଦଣ୍ଡସେନା ଓ ଜ଼ିଲ୍ଲା ସ୍ୱଚ୍ଚତା ସଂଯୋଜକ ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ।
ଶିବିରରେ ମୋଟ ୨୫୨ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୧୨୧ ଜଣଙ୍କ ଭିନ୍ନକ୍ଷମତାର ମୂଲ୍ୟାଙ୍କନ ଓ ବର୍ଗୀକରଣ କରାଯାଇଥିଲା। ଏଥିମଧ୍ୟରେ ମାନସିକ ଭିନ୍ନକ୍ଷମ (ଏମ୍.ଆର୍.) ୯ ଜଣ, ସିକଲ ସେଲ୍ ଜନିତ ଭିନ୍ନକ୍ଷମତା (ଏସ୍.ସି.ଡି.) ୫ ଜଣ, ଶ୍ରବଣ ବାଧିତ (ଏଚ୍.ଆଇ.) ୨୦ ଜଣ, ଚଳନ ଜନିତ ଭିନ୍ନକ୍ଷମ (ଓ.ଏଚ୍.) ୭୧ ଜଣ ଏବଂ ଦୃଷ୍ଟି ବାଧିତ (ଭି.ଆଇ.) ୧୬ ଜଣ ରହିଥିଲେ।ଏହାବ୍ୟତୀତ ୧୦୧ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଚିହ୍ନଟ କରାଯାଇଥିଲା। ବାଣୀଶ୍ରୀ ଯୋଜନାରେ ଜଣେ, ବିବାହ ପ୍ରୋତ୍ସାହନ ଯୋଜନାରେ ଜଣେ, ଭତ୍ତା ଯୋଜନାରେ ୩୯ ଜଣ, ସହାୟକ ଉପକରଣ ପାଇଁ ୫ ଜଣ, ବସ୍ ପାସ୍ ପାଇଁ ୨୩ ଜଣ, ରେସନ କାର୍ଡ ପାଇଁ ୭ ଜଣ ଏବଂ ଗ୍ରାମୀଣ ଆବାସ ଯୋଜନା ପାଇଁ ୨୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା।

