ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ନିମ୍ନମାନର କାମ ଅଭିଯୋଗ,ଫାଟିଗଲା କଂକ୍ରିଟ ରାସ୍ତା,୨- ଘରେ ପଶି ବାପା-ଝିଅଙ୍କୁ ଅସଦାଚରଣ ଅଭିଯୋଗ, ଝରକା, ଚେୟାର ସହ ଭାଙ୍ଗିଲେ ଆସବାବପତ୍ର, ଆତଙ୍କ ସୃଷ୍ଟି କରିବା ପରେ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ,୩- ନିଶା .. ଖାଇବାକୁ ଚୋରି , ଚଟୁ,ଡେକ୍‌ଚି ବି ଛାଡୁ ନାହାନ୍ତି

ନିମ୍ନମାନର କାମ ଅଭିଯୋଗ,ଫାଟିଗଲା କଂକ୍ରିଟ ରାସ୍ତା

ଢେଙ୍କାନାଳ – ନିର୍ମାଣକୁ କିଛି ମାସ ନ ପୂରୁଣୁ ଫାଟି ଆଁ କଲା କଂକ୍ରିଟ ରାସ୍ତା। ନିମ୍ନମାନର କାମ ଯୋଗୁ ରାସ୍ତାର ଏଭଳି ଅବସ୍ଥା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ ଗ୍ରାମପଞ୍ଚାୟତ ନୂଆଁରାଡ ବଣିଆସାହିଠାରୁ ବଉଳ ଛକ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାରେ ଏଭଳି ଫାଟ ଦେଖାଦେଇଛି। ସୂଚନା ଅନୁଯାୟୀ,‘ବିକଶିତ ଗାଁ,ବିକଶିତ ଓଡ଼ିଶା’ଯୋଜନାରେ ପ୍ରାୟ ୮ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣ ସମୟରୁ ହିଁ କାମର ମାନକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଥିବା କହିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ,କାମ ଚାଲିଥିବା ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ନିୟମିତ ଉପସ୍ଥିତି ନଥିବା ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଇ ନଥିଲା। ବର୍ତ୍ତମାନ ରାସ୍ତାରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଦିନକୁ ଦିନ ଏହା ଅଧିକ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଏହା ଯାତାୟାତ ପାଇଁ ସମସ୍ୟା ଓ ବିପଦ ସୃଷ୍ଟି କରିପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ରାସ୍ତା ନିର୍ମାଣ କରିଥିବା ବିଭୂତି ସାହୁ କହିଛନ୍ତି,ରାସ୍ତା ତଳେ ବୋଧହୁଏ ଖଳିମାଟି ରହିଥିବାରୁ ଏଭଳି ଫାଟ ସୃଷ୍ଟି ହୋଇଥାଇପାରେ। ଅନ୍ୟପକ୍ଷରେ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ଅବିନାଶ ପଣ୍ଡା ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ ଯୋଗେ ଅବଗତ କରିଛନ୍ତି। ସେହିପରି ପରଜଙ୍ଗ ବ୍ଲକର ବିଭିନ୍ନ କାର୍ଯ୍ୟରେ ଅନିୟମିତତା ଓ ‘ପିସି’ କାରବାର ଅଭିଯୋଗ ଉଠାଇ ନିମ୍ନମାନର କାମ ହେଉଥିବା ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ କନିଷ୍ଠ ଯନ୍ତ୍ରୀ ସବ୍ୟସାଚୀ ସାମଲଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ପୂର୍ବରୁ ପୁରୁଣା ମାଟି ହଟାଇ କାମ କରାଯାଇଥିବା କହିଛନ୍ତି। ତେବେ ରାସ୍ତାରେ କାହିଁକି ଫାଟ ସୃଷ୍ଟି ହୋଇଛି,ସେ ନେଇ ସ୍ଥଳ ପରିଦର୍ଶନ କରି ଯାଞ୍ଚ କରିବେ ବୋଲି କହିଛନ୍ତି। ରାସ୍ତା ନିର୍ମାଣର ଗୁଣବତ୍ତା ଓ ଫାଟିବାର ପ୍ରକୃତ କାରଣ ନେଇ ବିବଦ୍ଧ ତଦନ୍ତ କରିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉ ବୋଲି ଅଞ୍ଚଳବାସୀ ଦାବିକରିଛନ୍ତି।

ଘରେ ପଶି ବାପା-ଝିଅଙ୍କୁ ଅସଦାଚରଣ ଅଭିଯୋଗ, ଝରକା, ଚେୟାର ସହ ଭାଙ୍ଗିଲେ ଆସବାବପତ୍ର, ଆତଙ୍କ ସୃଷ୍ଟି କରିବା ପରେ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଜଣେ ଯୁବକଙ୍କ ଉତ୍ପାତକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଘରେ ପଶି ମହିଳା ଓ ଝିଅଙ୍କ ସହ ଅସଦାଚରଣ କରିବା, ଘରର ଝରକା, ଚେୟାର ସମେତ ଆସବାବପତ୍ର ଭାଙ୍ଗିବା, ମହିଳାଙ୍କୁ ମାଡ଼ ମାରିବା ଓ ଟଣାଓଟରା କରିବା ସହ ଏକ ଜନସେବା କେନ୍ଦ୍ରରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଓଡ଼ିଶ ଗ୍ରାମର ରାଜ୍ୟ ହ୍ୟୁମାନ୍ ରାଇଟ୍ସ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ଘରେ ନଥିବା ସମୟରେ ପଡ଼ୋଶୀ ସ୍ୱର୍ଗତ ନବ ସେନାପତିଙ୍କ ପୁଅ ଯଦୁନାଥ ସେନାପତି ତାଙ୍କ ଘରେ ପଶିଥିଲେ। ସେଠାରେ ତାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ରଣା ଏବଂ ଝିଅଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାସହ ଘରର ଝରକା, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ଭାଙ୍ଗି ଦେଇଥିବା ଅଭିଯୋଗ ମଧ୍ୟ ରହିଛି।ଏତିକିରେ ଥମିନଥିଲା ଯୁବକଙ୍କ ଉତ୍ପାତ। ଘର ପାଖରେ ରହୁଥିବା ଗୋଲେଖ ରଣା ଘରେ ନଥିବା ସମୟରେ ତାଙ୍କ ସ୍ତ୍ରୀ ଏବଂ ମାନସିକ ଭାବେ ଅସୁସ୍ଥ ଭଉଣୀଙ୍କୁ ମାଡ଼ ମାରିବା ସହ ଘରର ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି।ପରେ ଅଭିଯୁକ୍ତ ଜଣକ ଗାଁର ଏକ ଜନସେବା କେନ୍ଦ୍ରରେ ପଶି ସେଠାରେ ମଧ୍ୟ ଭଙ୍ଗାରୁଜା କରିଥିବା କୁହାଯାଉଛି। ଏହାପରେ ଗାଁର ଅଂଶୁମାନ ଷଣ୍ଢଙ୍କ ଘରର ଫାଟକକୁ ଟେକାପଥର ମାରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଏହି ଘଟଣା ପ୍ରାୟ ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଯୁବକଙ୍କ ଏଭଳି ଆଚରଣରେ ଗାଁରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣା କ୍ରମେ ଗମ୍ଭୀର ରୂପ ନେବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଅଭିଯୁକ୍ତ ଯୁବକଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ରଖିଥିବା ଜଣାପଡ଼ିଛି।ଏହି ଘଟଣାକୁ ନେଇ ପୁଷ୍ପାଞ୍ଜଳି ରଣାଙ୍କ ସମେତ ପ୍ରାୟ ୩/୪ ଜଣ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ୩ଟି ପରିବାର ପକ୍ଷରୁ ଲିଖିତ ଅଭିଯୋଗ ଦିଆଯାଇଥିବା କୁହାଯାଇଛି।

ଅଭିଯୋଗ ପାଇବା ପରେ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ନିଜ ହେପାଜତକୁ ନେଇଛି। ଘଟଣାର ପ୍ରକୃତ କାରଣ କଣ, କାହିଁକି ଯୁବକ ଜଣକ ଏଭଳି ଭାବେ ଉତ୍ପାତ କରିଥିଲେ ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ—ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ଅଭିଯୁକ୍ତ ଯୁବକ ନିଶାଦ୍ରବ୍ୟ ବା ଡ୍ରଗ୍ସ ସେବନରେ ଅଭ୍ୟସ୍ତ ବୋଲି ଗାଁରେ ଚର୍ଚ୍ଚା ହେଉଥିବା କୁହାଯାଉଛି। ତେବେ ଏହି ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତରେ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବ। ଏକାଧିକ ପରିବାରକୁ ଭୟଭୀତ କରିବା, ଘର ଓ ଜନସେବା କେନ୍ଦ୍ରରେ ଭଙ୍ଗାରୁଜା, ମହିଳାଙ୍କ ସହ ଦୁର୍ବ୍ୟବହାର ଏବଂ ଟେକାପଥର ମାଡ଼ ଭଳି ଅଭିଯୋଗକୁ ନେଇ ଏବେ ଓଡ଼ିଶ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି। ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କି ପଦକ୍ଷେପ ନେଉଛି ଏବଂ ଆଇନ ଅନୁଯାୟୀ କି ପ୍ରକାର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ଏବେ ଓଡ଼ିଶ ଗ୍ରାମବାସୀଙ୍କ ନଜର ରହିଛି।

ନିଶା .. ଖାଇବାକୁ ଚୋରି , ଚଟୁ,ଡେକ୍‌ଚି ବି ଛାଡୁ ନାହାନ୍ତି

ଢେଙ୍କାନାଳ – ସଞ୍ଜ ନଇଁଲେ ଖୋଜା ପଡ଼ୁଛି ନିଶା। ବ୍ରାଉନସୁଗାର,ଗଞ୍ଜେଇ ବାଇଆ କରୁଛି। ନିଶା ଖାଇବାକୁ ପାଖରେ କିନ୍ତୁ ଟଙ୍କାର ଅଭାବ ପଡ଼ୁଛି। ଟଙ୍କା ଯୋଗାଡ଼ ପାଇଁ ସହଜ ଉପାୟ ପାଲଟୁଛି ଘରେ ପଶି କଳାକନା ବୁଲାଇବା ନଚେତ୍ ଛିନ୍‌ତାଇ ଚୋରାଇ ନେଉଛନ୍ତି। ଏମିତିକି ରୋଷେଇ ଘରୁ ଚଟୁ,ଡେକ୍‌ଚି ବି ଛାଡ଼ୁନାହାନ୍ତି। ଚୋରି ସାମଗ୍ରୀ ବିକି ନିଶା ଖାଉଛନ୍ତି। ଢେଙ୍କାନାଳ ସ‌ହରରେ ଏବେ ଏଭଳି ସ୍ଥିତି ଚିନ୍ତାର ବିଷୟ ପାଲଟିଛି। ସହରରେ ଏବେ ଏବେ ନିଶା କାରବାର ବଢ଼ି ଚାଲିଛି। ଯୁବପିଢ଼ି, ନାବାଳକ ନିଶା କବଳରେ ପଡ଼ିଛନ୍ତି। ନିଶା ଖାଇବାକୁ ଟଙ୍କା ନଥିବାରୁ ଗ୍ୟାଙ୍ଗ୍ ଗଢ଼ି ଚୋରିରେ ମାତୁଛନ୍ତି। ପୋଲିସ୍ ଏସବୁ ଜାଣି ମଧ୍ୟ ହାତବାନ୍ଧି ବସିଛି। ଯହାଫଳରେ ଦିନକୁ ଦିନ ସହରରେ ଚୋରି ବଢ଼ି ଚାଲିଛି। କିଛି ଦିନ ତଳେ ଛିନ୍ତାଇ ଚୋରି କରୁଥିବା ଏକ ନାବାଳକ ଟାଉନ୍ ଥାନା ପୋଲିସ୍ ଧରିଥିଲା। ଆହୁରି କେତେଜଣ ଏହି ଗ୍ୟାଙ୍ଗ୍ ରହିଥିବା ପୋଲିସ୍ କହିଥିଲେ ବି ଏପର୍ଯ୍ୟନ୍ତ ସମସ୍ତଙ୍କୁ ଧରିପାରିନି। ଏବେ ପୁଣି ନିୟମିତ ଚୋରି ହେଉଥିବା ଅଭିଯୋଗ ଆସୁଛି। ସୁନା,ରୁପା,ଟଙ୍କା ନପାଇଲେ ମଧ୍ୟ ଚୋର ଲୁଗାପଟା,ବ୍ୟବହୃତ ସାମଗ୍ରୀ,ହାଣ୍ଡି,ଡେକ୍‌ଚି ଚୋରାଇ ନେଉଛନ୍ତି। ପୋଲିସ ଚୋରଙ୍କୁ ଧରିବା ତ ଦୂରର କଥା ଏତଲ ରଖିବାକୁ ବି କୁନ୍ଥକୁନ୍ଥ ହେଉଛି। ଚୋରିକୁ ନେଇ ଅସୁରକ୍ଷିତ ମଣିଲେଣି ସହରବାସୀ। ରୋଷେଇ ଘରେ ବୁଲାଇଲେ କଳାକନା ରୋଷେଇ ଘରକୁ ବି ଚୋର ଛାଡ଼ିଲେନି। ରୋଷେଇ ସାମଗ୍ରୀ ବୋହି ନେଲେ । ଟାଉନ୍ ଥାନା ହାଟରୋଡ୍‌ର ଜିତେନ୍ଦ୍ର କୁମାର ସାହୁଙ୍କ ରୋଷେଇ ଘରୁ ଚୋର ବିଭିନ୍ନ ସାମଗ୍ରୀ ଚୋରାଇ ନେଇଛନ୍ତି। ସୂଚନା ଅନୁଯାୟୀ,ଶ୍ରୀ ସାହୁଙ୍କ ଘର ପଛ ପାର୍ଶ୍ଵ ବାଡ଼ି ଆଡକୁ ରୋଷେଇ ଘର ରହିଛି। ଗତ ୧ ତାରିଖ ରାତିରେ ଚୋର ପାଚେରି ଡେଇଁ ପଶିବା ସହ ରୋଷେଇ ଘର ତାଲା କାଟି ଚୋରି କରିଛି। ୫ଟି ଗ୍ୟାସ୍ ସିଲିଣ୍ଡର,ବଡ଼ ଡେକ୍‌ଚି ୩ଟି,ଜାଲି ଚଟୁ ସମେତ ବହୁ ରୋଷେଇ ସାମଗ୍ରୀ ଚୋରାଇ ନେଇଛି। ପରଦିନ ସକାଳେ ତାଲା କଟାହୋଇଥିବା ଦେଖିବାରୁ ଏସବୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ସେ ଥାନାରେ ଏତଲା ଦେଇଥିଲେ ହେଁ,ପୋଲିସ ବହୁ ବିଳମ୍ବରେ ମାମଲା ରୁଜୁ କରିଛି। ଏଭଳି ରୋଷେଇ ସାମଗ୍ରୀ ବି ଚୋରି ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଲୋକଙ୍କୁ ଚୋରି ଭୟ ଘାରିଛି। ପାଇପ୍‌ରେ ଚଢ଼ି ଘରେ ପଶିଲେ ବାସନ,ଲୁଗାପଟା ବୋହିନେଲେ ସହରର ଟାଉନପ୍ଲାନିଂରେ ନିୟମିତ ଚୋରି ହେଉଛି। ବାରମ୍ବାର ଅଭିଯୋଗ ପରେ ବି ପୁଲିସ୍ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବାରୁ ଚୋର ଚୋରି କରି ଚାଲିଛନ୍ତି। ଗତ ୪ ତାରିଖ ଭୋର୍ ସମୟରେ ଟାଉନପ୍ଲାନିଂର ସରୋଜ କୁମାର କରଣଙ୍କ ଘରୁ ଚୋରି ହୋଇଛି। ତାଙ୍କ ମୂଳ ଘର ହିନ୍ଦୋଳରୋଡ୍ ପୋଡ଼ାପଡା଼ ହୋଇଥିବା ବେଳେ ସେ ଢେଙ୍କାନାଳ ଟାଉନପ୍ଲାନିଂରେ ଘର କରି ରହୁଛନ୍ତି। ସେଦିନ ସେ ପୋଡ଼ାପଡା଼ ଯାଇଥିଲେ। ପରିବାର ଲୋକେ କେହି ନଥିବା ଜାଣି ଦୁଇମହଲା ଘର ତିଆରି କାମ ହେଉଥିବାରୁ ଭାଡ଼ା ତିଆରି ହୋଇଥିବା ପାଇପ୍‌ରେ ଚଢ଼ି ୩ ଜଣ ଯୁବକ ଘର ଭିତରକୁ ପଶିଥିଲେ। କୋଠରୀର ତାଲା ଭାଙ୍ଗି ଭିତରେ ପଶି ଟ୍ରକ୍ ତାଡ଼ି ବହୁ ପିତଳ ତାଳି,ତାଟିଆ,ଠାକୁରଙ୍କ ପୂଜା ସାମଗ୍ରୀ ସମେତ ଟ୍ରଲି ବ୍ୟାଜ୍‌ରେ ଥିବା ଶାଢ଼ି,ଗ୍ରାଇଣ୍ଡର,ପ୍ରେସରକୁ କର,୨୦ ହଜାର ନଗଦ ଟଙ୍କା ଚୋରାଇ ନେଇଛନ୍ତି। ଶ୍ରୀ କରଣ ପରଦିନ ଅସି ଦେଖିବାରୁ ସାମଗ୍ରୀ ଛିନ୍‌ଛତ୍ର ହୋଇପଡ଼ିଛି। ଚୋରି ହୋଇଥିବା ଜାଣି ସେ ପୁଲିସକୁ ଜାଣାଇଥିଲେ। ମାତ୍ର ପୁଲିସ୍ ନାମକୁ ମାତ୍ର ବୁଲି ଦେଇ ପଳାଇଥିବା ଜଣାଯାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନିଆରା ଢଙ୍ଗରେ ଶାରଦା ଏକାଡେମୀ 2000 ବ୍ୟାଚ ର ବନ୍ଧୁ ମିଳନ

Sunil Chandra Nayak

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ବାପ ଛେଉଣ୍ଡ ,ଭିନ୍ନକ୍ଷମ ତଥାପି ନା ରାସନ ପାଉଛନ୍ତି ନା ଭତ୍ତା

Sunil Chandra Nayak

Leave a Comment

error: Content is protected !!