ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର 

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର 

ନବରଙ୍ଗପୁର:(ତା.୧୩.୦୮.୨୦୨୬)(ରବି ନାରାୟଣ ମହାନ୍ତି) ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ଆଜି ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UPHC) ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ରକ୍ତର ଆବଶ୍ୟକତା ପୂରଣ, ଜରୁରୀକାଳୀନ ସମୟରେ ରକ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ସମ୍ପର୍କରେ ସଚେତନତା ବୃଦ୍ଧି ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଗା ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ରକ୍ତଦାନ ଶିବିରର ବିଭିନ୍ନ ବ୍ୟବସ୍ଥା ପରିଦର୍ଶନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମରେ ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ,ଗୌରୀ ଶଙ୍କର ମାଝୀ ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ୍ ବର୍ମନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO) ପ୍ରଫୁଲ୍ଲ କୁମାର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି କଲେକ୍ଟର (ଜରୁରୀକାଳୀନ ବିଭାଗ)ଶ୍ରଦ୍ଧାଞ୍ଜଳି ସାହୁ,ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜରୁରୀ କାଳୀନ ବିଭାଗ, ନୀଳକଣ୍ଠ ରାଜୁ, ରାମକୃଷ୍ଣ ପୂଜାରୀ, ମୀନା କୁମାରୀ, କୁନାଲ ପଟ୍ଟନାୟକ, ଅଭିନାଶ ପାତ୍ର, ରୀନାରାଣୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, “ରକ୍ତଦାନ ହେଉଛି ମହତ୍ ଦାନ। ଆମେ ଦାନ କରୁଥିବା ରକ୍ତ ଜରୁରୀ ସମୟରେ ଅନ୍ୟ ଜଣଙ୍କ ଜୀବନ ରକ୍ଷାରେ ଅମୂଲ୍ୟ ଭୂମିକା ନିଭାଇଥାଏ। ତେଣୁ ସମାଜର ସମସ୍ତ ସୁସ୍ଥ ଓ ଯୋଗ୍ୟ ବ୍ୟକ୍ତି ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ଆବଶ୍ୟକ।” ସେ ଯୁବପିଢ଼ିଙ୍କୁ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଜଣାଇବା ସହ ଜିଲ୍ଲାରେ ରକ୍ତର ଆବଶ୍ୟକତା ପୂରଣ ନିମନ୍ତେ ଏଭଳି ଶିବିର ନିୟମିତ ଭାବେ ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏହିପରି ରକ୍ତଦାନ ଶିବିର ଉମରକୋଟରେ ମଧ୍ୟ ଆଗାମୀ ଦିନରେ କରାଯିବ ।ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ରକ୍ତଦାତାମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ସ୍ୱେଚ୍ଛାକୃତ ରକ୍ତଦାନ ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ଏକ ଉତ୍କୃଷ୍ଟ ଉଦାହରଣ। ଜରୁରୀକାଳୀନ ଚିକିତ୍ସା, ଦୁର୍ଘଟଣା, ଅସ୍ତ୍ରୋପଚାର ଏବଂ ବିଭିନ୍ନ ଜଟିଳ ଚିକିତ୍ସା ପରିସ୍ଥିତିରେ ରକ୍ତର ଆବଶ୍ୟକତା ରହିଥାଏ। ତେଣୁ ନିୟମିତ ଭାବେ ରକ୍ତଦାନ କରି ରକ୍ତ ଭଣ୍ଡାରକୁ ସୁଦୃଢ଼ କରିବା ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ।ସେ ଆହୁରି କହିଥିଲେ ଯେ, ସ୍ୱେଚ୍ଛାକୃତ ରକ୍ତଦାନ କେବଳ ଜଣେ ରୋଗୀଙ୍କ ଚିକିତ୍ସାରେ ସହାୟତା କରେ ନାହିଁ, ବରଂ ଏହା ସମାଜରେ ପରସ୍ପର ସହଯୋଗ, ସେବା ଓ ମାନବିକତାର ଭାବନାକୁ ଆହୁରି ସୁଦୃଢ଼ କରେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ରକ୍ତଦାନ ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।ଶିବିରରେ ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସକ ଓ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ, ବିଭିନ୍ନ ବିଭାଗର କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଓ ସ୍ୱେଚ୍ଛାକୃତ ରକ୍ତଦାତା ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ। ରକ୍ତଦାତାମାନଙ୍କ ପାଇଁ ଚିକିତ୍ସା ପରୀକ୍ଷା, ଆବଶ୍ୟକୀୟ ସ୍ୱାସ୍ଥ୍ୟ ଯାଞ୍ଚ, ରକ୍ତ ସଂଗ୍ରହ ଓ ପରବର୍ତ୍ତୀ ଯତ୍ନ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।ଶିବିରରେ ସଂଗୃହୀତ ରକ୍ତକୁ ନିୟମାନୁସାରେ ପରୀକ୍ଷା ଓ ସଂରକ୍ଷଣ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ୍ ବ୍ୟାଙ୍କ ମାଧ୍ୟମରେ ଆବଶ୍ୟକତା ଅନୁଯାୟୀ ଜରୁରୀକାଳୀନ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯିବ। ରକ୍ତଦାତାମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଯୋଗୁଁ ଶିବିରଟି ସଫଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ରକ୍ତଦାତା, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ଓ ସହଯୋଗୀ ସଂଗଠନଙ୍କୁ କୃତଜ୍ଞତା ଜଣାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ: ଓଡ଼ିଶା ସାଇନିଂ ଆଇକନ୍ସ-୧୦ ଆସନ୍ତା ୧୯ରେ…..

Sunil Chandra Nayak

ପରିଷ୍କାର ଓ ସବୁଜ ପଞ୍ଚାୟତ ଗଠନ ନେଇ ତାଲିମ 

masiha

ବେଢ଼ାବନ୍ଧରେ ବୁଡି ମହିଳାଙ୍କ ମୃତ୍ୟୁ

masiha

Leave a Comment

error: Content is protected !!