ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜଡ଼ାମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ 

ନୂଆପଡା ଜଡ଼ାମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ, କୋମନା ବିଡିଓ ପବିତ୍ର ସାମଲ, ତହସିଲଦାର ସର୍ବେଶ୍ୱର ଜାଲ, ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ସରପଞ୍ଚ ପ୍ରେମଶିଳା ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଅବସରରେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଉପଲବ୍ଧ ସୁବିଧା ଓ ଏହାର ଲାଭ ଉଠାଇବାର ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯାଇଥିଲା। ବିଶେଷକରି ପ୍ରବାସୀ ଶ୍ରମିକମାନେ ବାହାର ରାଜ୍ୟକୁ ଯାଇ କାମ କରିବା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା, ଶ୍ରମିକଙ୍କ ଅଧିକାର ଏବଂ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ଜୀବିକା ସୁଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମର ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟାଶିଶୁ ମାନସୀ ରାଉତଙ୍କୁ କୋଳରେ ଧରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିଶୁର ପିତାମାତାଙ୍କୁ ଉପହାର ଓ ବୃକ୍ଷଚାରା ପ୍ରଦାନ କରିଥିଲେ। ସେହିପରି ୩ ଜଣ ଗର୍ଭବତୀ ମହିଳାଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଓ ଉପହାର ବଣ୍ଟନ କରାଯାଇଥିଲା।

ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ଜୀବିକା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ପ୍ରବାସ କରୁଥିବା ଶ୍ରମିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ବିଭିନ୍ନ ସୁବିଧା ଓ ଯୋଜନାର ସୁଯୋଗ ନେଇ ନିଜ ଅଞ୍ଚଳରେ ରହି ଜୀବିକା ନିର୍ବାହ କରିବାକୁ ସେ ଆହ୍ୱାନ ଦେଇଥିଲେ। ଭିବି-ଜି ରାମ୍-ଜି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ପରିବାରଗୁଡ଼ିକ ନିଜ ଅଞ୍ଚଳରେ କାମ କରି ଆୟ ବୃଦ୍ଧି କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଥିଲେ।ଜିଲ୍ଲାପାଳ ଜଡ଼ାମୁଣ୍ଡା ଗ୍ରାମ ପଞ୍ଚାୟତକୁ ପ୍ରବାସୀ ଶ୍ରମିକମୁକ୍ତ ଓ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକମୁକ୍ତ ପଞ୍ଚାୟତ ଭାବେ ଗଢ଼ି ତୋଳିବା ପାଇଁ ସରପଞ୍ଚଙ୍କୁ ଆହ୍ୱାନ କରିଥିଲେ। ଏଥିସହ ସରକାରୀ ଯୋଜନାଗୁଡ଼ିକର ସଠିକ୍ ଓ ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ୧୦୦ ଜଣ ‘ମହା ଲକ୍ଷ୍ମୀ ଦିଦି’ ସୃଷ୍ଟି କରିବା ଦିଗରେ ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଥିଲେ।ଏହି ଅବସରରେ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥିଲା। ଅନ୍ୟାନ୍ୟ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା।ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଗବାନ ମାଝୀ ଓ ନେମିଚନ୍ଦ ଅହୀରଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପକ୍ଷୀମାନଙ୍କ ସୁରକ୍ଷା, ପରିବେଶ ସଂରକ୍ଷଣ ଓ ଜୈବ ବିବିଧତା ରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

Related posts

ଉତ୍କଳମଣି ସେବା ସଂସ୍ଥା ଦ୍ୱାରା ଏନଏସି ସଫେଇ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା 

masiha

କବୟିତ୍ରୀ ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ନୀଳନିମନ୍ତ୍ରଣ ଉନ୍ମୋଚିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ସାମାଜିକ ଜନ ଶୁଣାଣି ଶିବିର ଅନୁଷ୍ଠିତ : ଶ୍ରମିକ ଠିକ ସମୟରେ ଅର୍ଥ ପାଇ ପାରୁନି କି ମେଟେରିଆଲ ଅର୍ଥ ବର୍ଷେ ହେବ ଆସୁ ନି ଶୁଣାଣି ?

masiha

Leave a Comment

error: Content is protected !!