ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଶିଳ୍ପାଞ୍ଚଳରେ ଅଫ୍‌ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ସଫଳ

ରାୟଗଡ଼ ଶିଳ୍ପାଞ୍ଚଳରେ ଅଫ୍‌ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ସଫଳ

ରାୟଗଡ଼, ୦୩/୦୯/୨୦୨୬: ରାୟଗଡ଼ ଶିଳ୍ପାଞ୍ଚଳରେ ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ବିଭାଗ ଓ ଶିଳ୍ପସଂସ୍ଥାର ପ୍ରସ୍ତୁତି, ତ୍ୱରିତ ପ୍ରତିକ୍ରିୟା ଏବଂ ଆନ୍ତଃବିଭାଗୀୟ ସମନ୍ୱୟ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଆଜି ଅପରାହ୍ନ ୩ଟା ସମୟରେ ଏକ ଅଫ୍‌ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଛି।

ରାୟଗଡ଼ ଇଣ୍ଡଷ୍ଟ୍ରିଆଲ୍ ପକେଟ୍‌ର ଲୋକାଲ୍ କ୍ରାଇସିସ୍ ଗ୍ରୁପ୍ ପକ୍ଷରୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର, ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ଡେପୁଟି ଡାଇରେକ୍ଟର, ରାୟଗଡ଼ ଜୋନ୍‌ର ଆସିଷ୍ଟାଣ୍ଟ ଡାଇରେକ୍ଟର, ଆରଟିଓ, ଏନ୍‌ଡିଆରଏଫ୍ ୩ୟ ବାଟାଲିଅନ୍‌, କଟକ, ଜିଲ୍ଲା ଚିକିତ୍ସା ବିଭାଗ, ଅଗ୍ନିଶମ ବିଭାଗ, ପୁଲିସ ବିଭାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, PHED ବିଭାଗ ଲ, ସମାଜସେବୀ ଏବଂ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧିଙ୍କ ସମନ୍ୱୟରେ ଏହି ଅଭ୍ୟାସ କରାଯାଇଥିଲା।

ରାୟଗଡ଼-କେରଡ଼ା ରାସ୍ତାର ମେଜର ଡିଷ୍ଟ୍ରିକ୍ଟ ରୋଡ୍-୪୮ (MDR-48) ଅନ୍ତର୍ଗତ ଏଚ୍‌ପିସିଏଲ୍ ରାୟଗଡ଼ ଏଲ୍‌ପିଜି ପ୍ଲାଣ୍ଟ ନିକଟରେ ଏହି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ମକ୍ ଡ୍ରିଲ୍‌ର ପରିକଳ୍ପିତ ପରିସ୍ଥିତି ଅନୁଯାୟୀ, ଏଚ୍‌ପିସିଏଲ୍ ରାୟଗଡ଼ ଏଲ୍‌ପିଜି ପ୍ଲାଣ୍ଟକୁ ଆସୁଥିବା ଏକ ଏଲ୍‌ପିଜି ଟ୍ୟାଙ୍କର୍‌ ସହ ଏଲ୍‌ପିଜି ସିଲିଣ୍ଡର ପରିବହନକାରୀ ଏକ ଗାଡ଼ିର ଧକ୍କା ହେବା ଫଳରେ ଟ୍ୟାଙ୍କର୍‌ରୁ ଏଲ୍‌ପିଜି ଲିକ୍‌ ହେଉଥିବା ପରିସ୍ଥିତି ସୃଷ୍ଟି କରାଯାଇଥିଲା।

ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ମାତ୍ରେ ସମସ୍ତ ସମ୍ପୃକ୍ତ ବିଭାଗ ତତ୍ପରତାର ସହ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରଥମ ପ୍ରତିକ୍ରିୟାକାରୀ ଦଳ ଘଟଣା ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏହାପରେ ଏଚ୍‌ପିସିଏଲ୍‌ର ଆପାତକାଳୀନ ଦଳ ଆବଶ୍ୟକୀୟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE) ବ୍ୟବହାର କରି ଲିକେଜ୍‌ର ସ୍ଥାନ ଚିହ୍ନଟ କରି ତାହାକୁ ନିୟନ୍ତ୍ରଣ କରିବା ଦିଗରେ ତ୍ୱରିତ ପଦକ୍ଷେପ ନେଇଥିଲେ।

ଏହି ସମୟରେ ଜିଲ୍ଲା ଚିକିତ୍ସା ବିଭାଗ ଏବଂ ଜେ.କେ. ପେପର୍ ମିଲ୍ସ ଲିମିଟେଡ୍ ପକ୍ଷରୁ ଆମ୍ବୁଲାନ୍ସ ଓ ଚିକିତ୍ସା ଦଳ ଘଟଣାସ୍ଥଳରେ ପହଞ୍ଚି ସମ୍ଭାବ୍ୟ ଆହତଙ୍କ ଚିକିତ୍ସା ଓ ଜରୁରୀକାଳୀନ ସେବା ପାଇଁ ପ୍ରସ୍ତୁତ ରହିଥିଲେ। ପୁଲିସ ବିଭାଗ ଘଟଣାସ୍ଥଳକୁ ବ୍ୟାରିକେଡ୍ ଓ କର୍ଡନ୍ କରି ରାସ୍ତାରେ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଫାୟାର୍ ଟେଣ୍ଡର୍ ମୁତୟନ କରାଯାଇଥିଲା।

ଏନ୍‌ଡିଆରଏଫ୍ ୩ୟ ବାଟାଲିଅନ୍‌, କଟକ ପକ୍ଷରୁ ଘଟଣାସ୍ଥଳରେ ଟ୍ରାଏଜ୍ ସେଣ୍ଟର୍ ସ୍ଥାପନ କରାଯାଇ ଆହତଙ୍କୁ ପ୍ରାଥମିକ ଚିକିତ୍ସା, ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟରେ ସହାୟତା ପ୍ରଦାନ କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ୬ଟି SCBA (Self-Contained Breathing Apparatus) ସେଟ୍ ବ୍ୟବହାର କରାଯାଇଥିଲା। ଏହି ମକ୍ ଡ୍ରିଲ୍‌ରେ HPCL ରାୟଗଡ଼ LPG ପ୍ଲାଣ୍ଟ, J.K. Paper Mills Ltd., IMFA ଥେରୁବାଲି, Utkal Alumina International Ltd. ଏବଂ Vardhaman Chemicals ସମେତ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧିମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।

ସମଗ୍ର ଅଭ୍ୟାସ ନିର୍ଦ୍ଧାରିତ ସମୟ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ, ବିଭିନ୍ନ ବିଭାଗ, ଶିଳ୍ପସଂସ୍ଥା ଓ ଜରୁରୀକାଳୀନ ପ୍ରତିକ୍ରିୟାକାରୀ ଦଳ ମଧ୍ୟରେ ଥିବା ଉତ୍ତମ ସମନ୍ୱୟ ଓ ପ୍ରସ୍ତୁତି ଏହି ଅଭ୍ୟାସର ମୁଖ୍ୟ ଆକର୍ଷଣ ଥିଲା। ରାୟଗଡ଼ ଜିଲ୍ଲାରେ ଏପରି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବାରେ ଏହି ମକ୍ ଡ୍ରିଲ୍ ବିଶେଷ ଭାବେ ସହାୟକ ହେବ। ଏନ୍‌ଡିଆରଏଫ୍ ପକ୍ଷରୁ ମକ୍ ଡ୍ରିଲ୍‌ର ସଫଳ ସମାପନ ପାଇଁ ଆବଶ୍ୟକୀୟ ସହାୟକ ସେବା ପ୍ରଦାନ କରାଯାଇଥିଲା।ଜନସାଧାରଣଙ୍କ ମଧ୍ୟରେ ଜରୁରୀକାଳୀନ ସୁରକ୍ଷା ସଚେତନତା ଓ ଜ୍ଞାନର ପ୍ରସାର ପାଇଁ ସେଣ୍ଟୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ପିତାମହଲର ସ୍କୁଲ୍ ଅଫ୍ ଫାର୍ମାସିର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏହି ମକ୍ ଡ୍ରିଲ୍‌ରେ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ରାଉରକେଲାର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ

masiha

ରାଇରଙ୍ଗପୁରରେ ରାଜ୍ଯ ବ୍ରାହ୍ମଣ ମହାସଂଘ,ବାମନଘାଟୀ ଶାଖା ଦ୍ୱାରା ବିଶ୍ବ କଲ୍ୟାଣ ମହାଯଜ୍ଞ ଆରମ୍ଭ   

masiha

ସଂରକ୍ଷିତ ଜଙ୍ଗଲ ଜମିରୁ ବେଆଇନ ଗଛ କଟା, ପ୍ରଶାସନର ହାତ ସଫେଇ ନୁହେଁଁ ତ ?

Sunil Chandra Nayak

Leave a Comment

error: Content is protected !!