ନବରଙ୍ଗପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
ନବରଙ୍ଗପୁର:(୨୧/୦୯/୨୦୨୬)(ରବି ନାରାୟଣ ମହାନ୍ତି)ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼. ମହେଶ୍ୱର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅଶୋକ ମେହେତା କନଫରେନ୍ସ ହଲ୍ରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାର ୭୩–ଉମରକୋଟ, ୭୪–ଝରିଗାଁ, ୭୫–ନବରଙ୍ଗପୁର ଏବଂ ୭୬–ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ SIR–୨୦୨୬ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥିଲା। ଗତ ୫ ଜୁଲାଇ ୨୦୨୬ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ୫ ଜୁଲାଇରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯାଇଥିଲା।
ଦାବି ଓ ଆପତ୍ତି ଅବଧିରେ ପ୍ରାପ୍ତ ମାମଲାଗୁଡ଼ିକରେ ଆବଶ୍ୟକ ନୋଟିସ୍ ଜାରି କରାଯାଇ AERO ସ୍ତରରେ ଶୁଣାଣି କରାଯିବା ସହିତ ଦାଖଲ ଦସ୍ତାବିଜ ଓ ସମ୍ପୃକ୍ତ ରେକର୍ଡ ଯାଞ୍ଚ କରାଯାଇ ଥିଲା। ଯାଞ୍ଚ ପରେ ନିର୍ବାଚନ ନିୟମାବଳୀ ଓ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମାମଲାଗୁଡ଼ିକରେ ନିଷ୍ପତ୍ତି ନିଆ ଯାଇଛି।ସଂଶୋଧନ ପ୍ରକ୍ରିୟା ପରେ ଚୂଡ଼ାନ୍ତ ତାଲିକାରେ ଯୋଗ୍ୟ ନୂତନ ଭୋଟରଙ୍କ ନାମ ସାମିଲ କରାଯିବା ସହିତ ଆବଶ୍ୟକ ସଂଶୋଧନ କରାଯାଇଛି। ଏଥିସହ ଯାଞ୍ଚ ପରେ ମୃତ, ଏକାଧିକ ଥର ପଞ୍ଜୀକୃତ ଏବଂ ସ୍ଥାନାନ୍ତରିତ ଭୋଟରଙ୍କ ସମ୍ପର୍କିତ ଏଣ୍ଟ୍ରିଗୁଡ଼ିକୁ ନିୟମାନୁସାରେ ବାଦ ଦିଆଯାଇଛି।ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟାର ତୁଳନାତ୍ମକ ଚିତ୍ର ଅନୁଯାୟୀ, ଚିଠା ତାଲିକାରେ ମୋଟ ୮,୫୮,୩୪୯ ଜଣ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ୮,୧୨,୨୭୪ଜଣ ଭୋଟର ରହିଛନ୍ତି। ଫଳରେ ଚିଠା ଓ ଚୂଡ଼ାନ୍ତ ତାଲିକା ମଧ୍ୟରେ ମୋଟ ୪୬୦୭୫ ଜଣ ଭୋଟରଙ୍କ ପାର୍ଥକ୍ୟ ରହିଛି।ନିର୍ବାଚନ ମଣ୍ଡଳୀଭିତ୍ତିକ ଭାବେ ୭୩–ଉମରକୋଟରେ ଚିଠା ତାଲିକାର ୧,୯୬,୫୭୭ ଜଣଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକାରେ ୧,୮୬,୦୨୫ ଜଣ, ୭୪–ଝରିଗାଁରେ ୨,୨୦,୩୦୨ ଜଣଙ୍କ ମଧ୍ୟରୁ ୨,୦୮, ୬୮୦ଜଣ, ୭୫–ନବରଙ୍ଗପୁରରେ ୨,୩୬,୨୨୦ ଜଣଙ୍କ ମଧ୍ୟରୁ ୨,୨୨,୯୫୨ଜଣ ଏବଂ ୭୬–ଡାବୁଗାଁରେ ୨,୦୫,୨୫୦ ଜଣଙ୍କ ମଧ୍ୟରୁ ୧,୯୪,୬୧୭ଜଣ ଭୋଟର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି।ଏହି ପାର୍ଥକ୍ୟରେ ମୃତ୍ୟୁ, ଏକାଧିକ ପଞ୍ଜୀକରଣ (Multiple Entry) ଏବଂ ସ୍ଥାନାନ୍ତରଣ (Shifted) ସମ୍ପର୍କିତ ମାମଲା ଅନ୍ତର୍ଭୁକ୍ତ ରହିଛି। ସମ୍ପୃକ୍ତ ERO ଓ AEROଙ୍କ ଦ୍ୱାରା ରେକର୍ଡ ଯାଞ୍ଚ ଓ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ ପରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରା ଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ପ୍ରତିନିଧି ଭାବେ ପ୍ରଦୀପ କୁମାର ସାହୁ, ବିଜୁ ଜନତା ଦଳର ପ୍ରତିନିଧି ଭାବେ ପ୍ରମୋଦ ରଥ, ଭାରତୀୟ ଜନତା ପାର୍ଟି ର ପ୍ରତିନିଧି ଭାବେ ସରୋଜ ବେହେରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକ୍ଟର ଚିନ୍ମୟ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହ୍ଲାଦ କୁମାର ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

