‘ଯଦି’ ପ୍ରମୋସନ୍ରେ ମହିଳା ସୁରକ୍ଷାର ବାର୍ତ୍ତା
ବସ୍ତି ଅଞ୍ଚଳର ୫୦ ଯୁବତୀଙ୍କୁ ନେଇ ଇତ୍ଶା ଫାଉଣ୍ଡେସନର ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୭ ସେପ୍ଟେମ୍ବର: ମହିଳା ସୁରକ୍ଷା ଓ ସଚେତନତାକୁ କେନ୍ଦ୍ର କରି ଇତ୍ଶା ଫାଉଣ୍ଡେସନ ପକ୍ଷରୁ ଆଜି ଓଡ଼ିଆ ଚଳଚ୍ଚିତ୍ର – ଯଦି– ର ପ୍ରମୋସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ଡ଼ଟର୍ସ ଡେ’ ଅବସରରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତି ଅଞ୍ଚଳର ପ୍ରାୟ ୫୦ ଜଣ ଯୁବତୀଙ୍କୁ ସାମିଲ କରାଯାଇଥିଲା।ଯୁବତୀମାନଙ୍କୁ ଉତ୍ସାହିତ କରିବା ସହ ମହିଳା ସୁରକ୍ଷା, ଆତ୍ମବିଶ୍ୱାସ ଓ ସାମାଜିକ ସଚେତନତାର ବାର୍ତ୍ତା ପହଞ୍ଚାଇବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ‘ଯଦି’ ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ତାରକାମଣ୍ଡଳୀ, ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀମାନେ ଯୋଗଦେଇ ବସ୍ତି ଅଞ୍ଚଳର ଯୁବତୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଇତ୍ଶା ଫାଉଣ୍ଡେସନର ସାମାଜିକ ପଦକ୍ଷେପକୁ ସମର୍ଥନ ଜଣାଇଥିଲେ।
କାର୍ଯ୍ୟକ୍ରମରେ ଇତ୍ଶା ଫାଉଣ୍ଡେସନର ପ୍ରତିଷ୍ଠାତା ଇତିଶ୍ରୀ ମିଶ୍ର, ଅଧ୍ୟକ୍ଷ ଶାସ୍ତ୍ରୀ ବାହାଦୁର ପ୍ରଧାନ, ସଭାପତି ଅଭିଷେକ ମିଶ୍ର, ସଚିବ ଚନ୍ଦନ କୁମାର ପତି, ନିର୍ଦ୍ଦେଶିକା ମୋନାଲିଶା ଦାସ ଏବଂ ସାଧାରଣ ପରିଚାଳକ ପ୍ରଭଞ୍ଜନ ସାମଲଙ୍କ ସମେତ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ।
ବସ୍ତି ଅଞ୍ଚଳର ଝିଅମାନଙ୍କୁ ସମାଜର ମୁଖ୍ୟସ୍ରୋତ ସହ ଯୋଡ଼ିବା, ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଏବଂ ମହିଳା ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଦିଗରେ ଇତ୍ଶା ଫାଉଣ୍ଡେସନର ଏହି ପଦକ୍ଷେପ ଏକ ସାମାଜିକ ବାର୍ତ୍ତା ପ୍ରଦାନ କରିଛି।
ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍

