ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡାରେ ବିଜେପିର ମିଶ୍ରଣ ପର୍ବ, ୬୦୦ରୁ ଊର୍ଦ୍ଧ୍ୱଙ୍କ ଯୋଗଦାନ

ଗୋଲାମୁଣ୍ଡାରେ ବିଜେପିର ମିଶ୍ରଣ ପର୍ବ, ୬୦୦ରୁ ଊର୍ଦ୍ଧ୍ୱଙ୍କ ଯୋଗଦାନ

ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଉପସ୍ଥିତିରେ ବାଜପେୟୀ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଶିଳାନ୍ୟାସ, 

ପଞ୍ଚାୟତ ନିର୍ବାଚନକୁ ନେଇ ଚର୍ଚ୍ଚା

ଗୋଲାମୁଣ୍ଡା, ୨୮/୦୯ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଜୁ କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ସାଧାରଣ ସଭା, ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ କର୍ମୀ ଓ ପୂର୍ବତନ ଜନପ୍ରତିନିଧି ବିଜେପିରେ ଯୋଗଦେଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଯୋଗଦାନକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ନିକଟରେ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଶିଳାନ୍ୟାସ କରାଯାଇଥିଲା। ସେହିପରି ଗୋଲାମୁଣ୍ଡା ବଜାର ପଡ଼ିଆ ନିକଟରେ ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ମଧ୍ୟ ଶିଳାନ୍ୟାସ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗଦେଇ ଶିଳାନ୍ୟାସ କରିଥିଲେ। ମହାପୁରୁଷଙ୍କ ଆଦର୍ଶ ଓ ଅବଦାନକୁ ସ୍ମରଣ କରିବା ସହ ଆଗାମୀ ପିଢ଼ିଙ୍କୁ ସେମାନଙ୍କ ଜୀବନୀ ଓ ଚିନ୍ତାଧାରା ସମ୍ପର୍କରେ ଅବଗତ କରାଇବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହାପରେ ସାଂସଦ ସୁଜିତ କୁମାରଙ୍କୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏକ ବିଶାଳ ପଦଯାତ୍ରାରେ ତାଙ୍କୁ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ଓ ସାମୂହିକ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ ପରେ ସାଧାରଣ ସଭା ଆରମ୍ଭ ହୋଇଥିଲା। ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶକ୍ତି ରଞ୍ଜନ ଶତପଥୀ, ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, କେଗାଁ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ପୂର୍ବତନ ଗୋଲାମୁଣ୍ଡା ମଣ୍ଡଳ ଜିଲ୍ଲା ପରିଷଦ ସଦସ୍ୟ ବୃଷଭ ନାଏକ ଓ ପୂର୍ବତନ ଦଶପୁର ମଣ୍ଡଳ ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ବିଜେପି ନେତା ଗଙ୍ଗା ବିଷ୍ଣୁ ମୁଣ୍ଡ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ଦଳରୁ ଆସିଥିବା ୬୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିଜେପିରେ ସାମିଲ ହୋଇଥିଲେ। ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଙ୍କୁ ଦଳୀୟ ନେତୃବୃନ୍ଦ ସ୍ୱାଗତ କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା, ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ଏବଂ ସାମାଜିକ ଓ ବିକାଶମୂଳକ କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗୋଲାମୁଣ୍ଡା ବ୍ଲକ ଏକଦା ବିଜେଡିର ପ୍ରଭାବଶାଳୀ ଅଞ୍ଚଳ ଭାବେ ପରିଚିତ ଥିବାବେଳେ ସମ୍ପ୍ରତି ବିଜେପି ନିଜର ସାଂଗଠନିକ କାର୍ଯ୍ୟକଳାପ ବିସ୍ତାର କରୁଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନ୍ୟ ଦଳର କର୍ମୀଙ୍କ ଏହି ଯୋଗଦାନ ସ୍ଥାନୀୟ ରାଜନୈତିକ ସମୀକରଣକୁ କିଭଳି ପ୍ରଭାବିତ କରିବ ଏବଂ ନିର୍ବାଚନରେ ଏହାର କି ପ୍ରଭାବ ପଡ଼ିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Related posts

ଶିକ୍ଷକ ଯୋଗାଣ ଦାବୀ ରେ ଧାରଣା ତେନ୍ତୁଳିଆପଡ଼ା ସ୍କୁଲ ଗେଟ ରେ ପଡିଲା ତାଲା

masiha

ପ୍ରଶାସନ ଟିକେ ଦୃଷ୍ଟି ଦେବେ କି ? ସମ୍ପୂର୍ଣ୍ଣ ପରିବାର ରୋଗଗ୍ରସ୍ତ !

Sunil Chandra Nayak

ରାୟଗଡ଼ ପଞ୍ଚାୟତ ସମିତି ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!