ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ହାତୀ ଉପଦ୍ରବରେ ଅତିଷ୍ଠ ହିନ୍ଦୋଳବାସୀ, ସାତମାଇଲ ଛକରେ ଜନ ଆନ୍ଦୋଳନ ଓ ରାସ୍ତାରୋକ , ୨- ସାମ୍ବାଦିକ ଙ୍କ ବିୟୋଗ ରେ ଶୋକର ଛାୟା , ୩- ସନ୍ଥପୁର ବିଦ୍ୟାଳୟରେ ଦୁର୍ନୀତି ନିବାରଣ ଓ ସତର୍କତା ସଚେତନତା ଅଭିଯାନ , ୪- ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଢେଙ୍କାନାଳରେ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମର ଶୁଭାରମ୍ଭ , ୫- ମଠକରଗୋଳା ମହାବିଦ୍ୟାଳୟ ଦର୍ଶନ ଶାସ୍ତ୍ର ବିଭାଗର ସ୍ଵାଗତ ଉତ୍ସବ , ୬- ଢେଙ୍କାନାଳ ଜିଲ୍ଲା ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ୭- ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‌ଯାପିତ ୫କୋଟିର ବ୍ୟବସାୟ  , ୮- ସରିଲା ବିଶ୍ୱପ୍ରସିଦ୍ଧ ଗଣପର୍ବ ଢ଼େଙ୍କାନାଳର ଗଜ ଲକ୍ଷ୍ମୀପୂଜା ଶେଷ ଦିନରେ ୭ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ  , ୯- ଢେଙ୍କାନାଳର ପ୍ରସିଦ୍ଧ ମା’ ଗଜଲକ୍ଷ୍ମୀଙ୍କ ମିଳିତ ଭସାଣୀ ଉତ୍ସବ , ୧୦- କୃଷି କାର୍ଯ୍ୟ ପରିଚାଳନା ସଂପର୍କୀତ ଜିଲା ସ୍ତରୀୟ ଟାକ୍ସ ଫୋର୍ସ ବୈଠକ , ୧୧- ନିଆଁରେ ପୋଡ଼ି ହୋଇ ଆଦିବାସୀ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କି କଟକ ବଡ଼ ମେଡିକାଲରେ ଚିକିତ୍ସାର ସୁବିଧା ନାହିଁ  , ୧୨- ଢେଙ୍କାନାଳର ଧୀରପାଟଣା ଗ୍ରାମରେ ସର୍ବୋଚ୍ଚନ୍ୟାୟାଳୟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍ 

ହାତୀ ଉପଦ୍ରବରେ ଅତିଷ୍ଠ ହିନ୍ଦୋଳବାସୀ, ସାତମାଇଲ ଛକରେ ଜନ ଆନ୍ଦୋଳନ ଓ ରାସ୍ତାରୋକ

ସାତ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଜନସାଧାରଣ

୭ ଦିନ ମଧ୍ୟରେ ଦାବି ପୂରଣର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

 ଢେଙ୍କାନାଳ – ହାତୀ ଉପଦ୍ରବରେ ଅତିଷ୍ଠ ହିନ୍ଦୋଳବାସୀ। ଦିନକୁ ଦିନ ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ହାତୀ, ବାରହା, ମାଙ୍କଡ଼ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ୱାରା ଚାଷୀଙ୍କ ଫସଲ ନଷ୍ଟ ହେବା ଘଟଣା ଚିନ୍ତାଜନକ ରୂପ ଧାରଣ କରିଛି। ଏଭଳି ସ୍ଥିତିରେ ହିନ୍ଦୋଳ ଅଞ୍ଚଳର ଚାଷୀ ଓ ସାଧାରଣ ଲୋକଙ୍କ ଜୀବନଜୀବିକା ଗୁରୁତର ସଙ୍କଟରେ ପଡ଼ିଛି।ଏହାର ପ୍ରତିବାଦରେ ଆଜି ହିନ୍ଦୋଳ ବ୍ଲକ୍‌ ଅନ୍ତର୍ଗତ ସାତମାଇଲ ଛକଠାରେ ହିନ୍ଦୋଳବାସୀଙ୍କ ପକ୍ଷରୁ ଏକ ବିଶାଳ ଜନବିକ୍ଷୋଭ ସହ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ବନ୍ୟଜନ୍ତୁଙ୍କ ଉପଦ୍ରବର ସ୍ଥାୟୀ ପ୍ରତିକାର ଏବଂ ଜନସାଧାରଣଙ୍କ ସୁରକ୍ଷା ଦାବି ଜୋରଦାର ହୋଇଥିଲା।ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ହିନ୍ଦୋଳ ଅଞ୍ଚଳରେ ହାତୀ ଆକ୍ରମଣରେ ବାରମ୍ବାର ନିରୀହ ଲୋକଙ୍କ ଜୀବନ ଯାଉଥିବା ସତ୍ତ୍ୱେ ଜଙ୍ଗଲ ବିଭାଗ ଓ ପ୍ରଶାସନ ପକ୍ଷରୁ ଆଶାନୁରୂପ ସ୍ଥାୟୀ ପଦକ୍ଷେପ ନିଆଯାଉନାହିଁ। କେବଳ ମୃତ୍ୟୁ କିମ୍ବା କ୍ଷୟକ୍ଷତି ପରେ ସାମାନ୍ୟ ଆର୍ଥିକ ସହାୟତା ଦେଇ ଦାୟିତ୍ୱ ସାରିଦେବା ଯଥେଷ୍ଟ ନୁହେଁ। ଲୋକଙ୍କ ଜୀବନ ସୁରକ୍ଷା ସହ ଚାଷୀଙ୍କ ଜୀବିକା ରକ୍ଷା ପାଇଁ ଦୀର୍ଘସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ଆନ୍ଦୋଳନକାରୀମାନେ ଦାବି କରିଥିଲେ।

ସାତ ଦଫା ଦାବି ମଧ୍ୟରେ ନରହନ୍ତା ହାତୀଙ୍କୁ ତୁରନ୍ତ ସ୍ଥାନାନ୍ତର, ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟର ଉପଯୁକ୍ତ କ୍ଷତିପୂରଣ, ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ପରିବାରକୁ ତୁରନ୍ତ ସହାୟତା ଓ ବିଭିନ୍ନ କ୍ଷୟକ୍ଷତିର ଉଚିତ ଭରଣା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ ଆଦି ଦାବି ରହିଥିଲା।

ଖବର ପାଇ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ ବେହେରା, ତହସିଲଦାର ଦିଲୀପ ସେଠୀ ଏବଂ ହିନ୍ଦୋଳ ରେଞ୍ଜ ଅଧିକାରୀ ତିଳୋଚନ ଦେହୁରୀଙ୍କ ସମେତ ପ୍ରମୁଖ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ସାତ ଦିନ ମଧ୍ୟରେ ଦାବିଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା।

ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି—କେବଳ କ୍ଷତିପୂରଣ ଦେଇ ପ୍ରଶାସନ ଓ ରାଜନେତା ନିଜ ଦାୟିତ୍ୱ ଶେଷ କରିଦେବେ କି? ମୃତ୍ୟୁ ପରେ ଆର୍ଥିକ ସହାୟତା ମିଳିପାରେ, କିନ୍ତୁ ଅମୂଲ୍ୟ ମଣିଷ ଜୀବନର ଭରଣା କ’ଣ ସମ୍ଭବ? ଯେଉଁ ଚାଷୀ ଚାଷବାସକୁ ନିଜର ଜୀବିକା କରି ପରିବାର ପୋଷଣ କରୁଛି, ତା’ର ଫସଲ ବାରମ୍ବାର ନଷ୍ଟ ହେଲେ ସେ ବଞ୍ଚିବ କିପରି?

ହିନ୍ଦୋଳବାସୀଙ୍କ ଦାବି କେବଳ କ୍ଷତିପୂରଣ ନୁହେଁ, ବରଂ ନିରାପଦ ଜୀବନ, ଚାଷର ସୁରକ୍ଷା ଓ ସ୍ଥାୟୀ ସମାଧାନ। ପ୍ରଶାସନର ସାତ ଦିନିଆ ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।ଯଦି ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ହିନ୍ଦୋଳର ଏହି ଜନଆନ୍ଦୋଳନ ଆହୁରି ବ୍ୟାପକ ରୂପ ଧାରଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସାମ୍ବାଦିକ ଙ୍କ ବିୟୋଗ ରେ ଶୋକର ଛାୟା

କାମାକ୍ଷାନଗର – ଜଣେ ଦକ୍ଷ ମିଷ୍ଟଭାଷୀ ସମସ୍ତଙ୍କ ପ୍ରିୟ ହୋଇ ଯାଇଥିବା କଙ୍କଡ଼ାହାଡ଼ ଅଞ୍ଚଳର ଯୁବକ ଗଣେଶ, ଦୀପ୍ତି ରଞ୍ଜନ ସାହୁ ନାମରେ ପରିଚିତ  ,କଙ୍କଡ଼ାହାଡ଼  ତଥା ନିଜ ଗ୍ରାମ କୁ ଆସିଥିଲେ ଲକ୍ଷ୍ମୀ ପୂଜା  ସମୟ କାଟିବାକୁ,ହଟାତ୍ ଶରୀର ଅସୁସ୍ଥ ହେବାରେ ପ୍ରଥମେ କାମାକ୍ଷାନଗର,ଢ଼େଙ୍କାନାଳ ଓ ପରେକଟକ କୁ ସ୍ଥାନାନ୍ତର ହୋଇଥିଲେ ଦୀପ୍ତି ରଞ୍ଜନ, ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ,ଏହି ଖବର ଶୁଣି କଙ୍କଡ଼ାହାଡ଼ ଗ୍ରାମ ତଥା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି,ଦୀପ୍ତିଜଣେ ଦକ୍ଷ ଡ୍ରାଇଭର ଥିଲେ, ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନର ଆଗଧାଡ଼ିର ଜଣେ ସକ୍ରିୟ ସଭ୍ୟ ସହ କଙ୍କଡ଼ାହାଡ଼ ବ୍ଲକ୍ ସାମ୍ବାଦିକ ସଂଘ ର ସଭ୍ୟ ଥିଲେ,ତାଙ୍କ ପରଲୋକ  ଖବର ଶୁଣି ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି,ଅନୁଷ୍ଠାନ, ସାମ୍ବାଦିକ ସଂଘ ସଭ୍ୟ ସମୂହ ,ଯୁବଗୋଷ୍ଟି ଗ୍ରାମବାସୀ ତଥା ଅଞ୍ଚଳ ବାସୀ କଙ୍କଡ଼ା ହାଡ ରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଦୀପ୍ତି ଙ୍କ ଭାଇ ଏମିତି ପୂର୍ବ ବର୍ଷ ରେ ଅକାଲ ବିୟୋଗରେ ସଂସାର ତ୍ୟାଗ କରିଥିବାବେଳେ ଜଣେ ଭଉଣୀ ଥାଇ ତାଙ୍କ ପରିବାର ରେ ବାପା ନିର୍ମଳ ଚନ୍ଦ୍ର ସାହୁ ଓ ମାଆ ଙ୍କ ଅତି ଗେଲ୍ହା ପୁଅ ହୋଇଯାଇଥିଲେ ଦୀପ୍ତି, ନିଜ ଗ୍ରାମ ଶ୍ମଶାନ ରେ ଦିପ୍ତିଙ୍କ ଶେଷ କୃତ୍ୟ କରାଯାଇଥିଲା,ଜଣେ ଭଲ ଯୁବକ ,ସମସ୍ତ ଙ୍କ ଗଣେଶ ଭାଇ ହିସାବରେ ପରିଚିତ ଆଜି କଙ୍କଡ଼ାହାଡ଼ ଅଞ୍ଚଳ ସ୍ତବ ପାଲଟିଯାଇଛି ।ଏହି ଖବର ଶୁଣି ସାମ୍ବାଦିକ ସଂଘ କଙ୍କଡ଼ାହାଡ଼ ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ଉପ ସଭାପତି ବିଭୂତି ଭୂଷଣ ଦେହୁରୀ,ସଭ୍ୟ ପ୍ରସନ୍ନ ପରିଡା ଅଙ୍କୁର ସିଂହ,ପାଣ୍ଡବ ଦାସ ବିମଳ ବିଶ୍ବାଳ  ସମ୍ପାଦକ ପୃଥିରାଜ ସାହୁ , ପବିତ୍ର ବରାଳ ପ୍ରମୁଖ ସମସ୍ତ ସଭ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସନ୍ଥପୁର ବିଦ୍ୟାଳୟରେ ଦୁର୍ନୀତି ନିବାରଣ ଓ ସତର୍କତା ସଚେତନତା ଅଭିଯାନ

ଢେଙ୍କାନାଳ – ଗଁଦିଆ ବ୍ଲକ ଅନ୍ତର୍ଗତ ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, କାବରା ଶାଖାର ସହଯୋଗରେ ଏକ ଦୁର୍ନୀତି ନିବାରଣ ସତର୍କତା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀପ୍ତିରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, କାବରା ଶାଖାର ଶାଖା ପରିଚାଳକ ଜ୍ୟୋତିରଞ୍ଜନ ଧଳ ମୁଖ୍ୟ ଅତିଥି ଏବଂ ବ୍ୟାଙ୍କ କର୍ମଚାରୀ ବିଶ୍ୱନାଥ ରାଉଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଦୁର୍ନୀତି ନିବାରଣ ଓ ସତର୍କତା ଅଭିଯାନର ଶପଥ ପାଠ କରିଥିଲେ। ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସାକ୍ଷରତା, ବ୍ୟାଙ୍କ ଖାତା ଖୋଲିବାର ପ୍ରକ୍ରିୟା, ସହଜରେ ବ୍ୟାଙ୍କ ଋଣ ପାଇବାର ବ୍ୟବସ୍ଥା ତଥା ବିଭିନ୍ନ ସରକାରୀ ଯୋଜନାର ଆର୍ଥିକ ସହାୟତା ସିଧାସଳଖ ବ୍ୟାଙ୍କ ଖାତାକୁ କିପରି ମିଳିପାରିବ, ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହିତ ସଚ୍ଚୋଟତା, ସ୍ୱଚ୍ଛତା ଓ ଦୁର୍ନୀତିମୁକ୍ତ ସମାଜ ଗଠନରେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ପ୍ରକୃତି ବନ୍ଧୁ ମନୋଜ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ମନୋଜ କୁମାର ବଳିୟାର ସିଂ, ସୁନିତା ବେହେରା, ସଂଯୁକ୍ତା ଦାସ, ମୌସୁମି ତାଣ୍ଡି,ବର୍ଷା ସେଠୀ, ସଞ୍ଜୟ କୁମାର ଜେନା, ଓ କନିଷ୍ଠ ସହାୟିକା ରାଜଲକ୍ଷ୍ମୀ ଭୋଇ ଓ ହେମନ୍ତ କୁମାର ନାୟକ ସହଯୋଗ କରିଥିଲେ ।ଏହି ଅଭିଯାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସତର୍କତା, ସଚ୍ଚୋଟତା ଓ ଆର୍ଥିକ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଥିଲା।

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଢେଙ୍କାନାଳରେ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଢେଙ୍କାନାଳ – ଢେଙ୍କାନାଳ ସଦର ଓ ଭୁବନ ବ୍ଲକ୍‌ରେ ଯକ୍ଷ୍ମା ରୋଗୀଙ୍କୁ ୬ ମାସ ପାଇଁ ମିଳିବ ପୁଷ୍ଟିକର ଖାଦ୍ୟ କିଟ୍  ଢେଙ୍କାନାଳ ଜାତୀୟ ଯକ୍ଷ୍ମା ମୁକ୍ତ ସଚେତନତା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ସହଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡିଓ) ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମିଳା ବରାଳ, ଢେଙ୍କାନାଳ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଜାତୀୟ ଯକ୍ଷ୍ମାମୁକ୍ତ ଅଭିଯାନ ପ୍ରତି ନିଜର ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ‘ନିକ୍ଷୟ ମିତ୍ର’ ଭାବେ ଆଗେଇ ଆସିଛି। ଏହି ଯୋଜନା ଅଧୀନରେ ଚଳିତ ବର୍ଷ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଢେଙ୍କାନାଳ ଜିଲ୍ଲାର ସଦର ଏବଂ ଭୁବନ ବ୍ଲକକୁ ପୋଷ୍ୟ ବ୍ଲକ ଭାବେ ଗ୍ରହଣ କରିବା ସହ ସେଠାକାର ଯକ୍ଷ୍ମା ରୋଗୀଙ୍କ ସେବା ଓ ପୁଷ୍ଟିକର ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିଛି। ଏହାଦ୍ୱାରା ରୋଗୀମାନେ ନିୟମିତ ଔଷଧ ସେବନ କରିବାକୁ ପ୍ରୋତ୍ସାହିତ ହେବେ।ଏହି ଅବସରରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଟାଟା ଷ୍ଟିଲ ମେରାମଣ୍ଡଳୀ ହେଡ୍ କର୍ପୋରେଟ ରିଲେସନ ଆଣ୍ଡ ରେଗୁଲେଟୋରୀ ଆପ୍ଲିଆନ୍ସ ନୃସିଂହ ଚରଣ ମହାପାତ୍ର ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ୍ ମୁଖ୍ୟ କୁମାର ସୌରଭ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ କିଛି ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ପ୍ରଦାନ କରାଯାଇଥିଲା। ‘ଟିବି-ମୁକ୍ତ ଭାରତ’ ଗଠନ ଦିଗରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଏବଂ ସାମାଜିକ ଦାୟିତ୍ୱବୋଧର ଏକ ଉଦାହରଣ ସୃଷ୍ଟି କରିଛି।

ମଠକରଗୋଳା ମହାବିଦ୍ୟାଳୟ ଦର୍ଶନ ଶାସ୍ତ୍ର ବିଭାଗର ସ୍ଵାଗତ ଉତ୍ସବ

 କାମାକ୍ଷାନଗର – କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ ନବାଗତ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ପ୍ରଥମ ବର୍ଷ ସମ୍ମାନ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ପାରମ୍ପରିକ ଢଙ୍ଗରେ ପୁଷ୍ପ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା। ପରେ ଅଧ୍ୟକ୍ଷ ଶ୍ରୀ ଦାଶ ଙ୍କ ସଭାପତିତ୍ବ ରେ ସ୍ଵାଗତ ସଭା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ସୁନ୍ଦର ବିଶାଳ ସଂସାରରେ ଆନନ୍ଦମୟ ଜୀବନ ଯାପନ ନିମନ୍ତେ ଅନୁସନ୍ଧାନ ମୂଳକ ବିଦ୍ୟା ଆହରଣରେ ବ୍ରତୀ ହେବାକୁ ଅଧ୍ୟକ୍ଷ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ। ବୀଭାଗୀୟ ମୂଖ୍ୟ ଅଧ୍ୟାପକ ସୋମନାଥ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଦର୍ଶନ ଶାସ୍ତ୍ର ର ବ୍ୟାପକତା ସମ୍ପର୍କରେ ଆଲୋଚନା କରିଥିଲେ। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ସୁଧାଂଶୁ ଶେଖର ପାତ୍ର ବିଦ୍ୟାର୍ଥୀ ଉଭୟ ମାନେ ପ୍ରତିଦ୍ବନ୍ଦିତା ମୂଳକ ଭବିଷ୍ୟତକୁ କିପରି ମୁକାବିଲା କରି ସଫଳତା ପ୍ରାପ୍ତି ସମ୍ଭବ ତାର ସରଳ ଉପାୟ ବର୍ଣ୍ଣନା କରିଥିଲେ। ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ର ସଂଯୋଜିକା ଅଧ୍ୟାପିକା ସବିତା ଦେହୁରୀ ଛାତ୍ରଛାତ୍ରୀ ମାନେ କର୍ତ୍ତବ୍ୟନିଷ୍ଠ ହେବା ସହ ଉଚ୍ଚାଭିଳାଷୀ ହେବାକୁ ପରାମର୍ଶ ଦେଇଥିଲେ। ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପିକା ସ୍ଵପ୍ନିତା ରାଉତ ବିଦ୍ୟାର୍ଥୀ ମାନେ ଚିନ୍ତାଧାରା କୁ ସୀମା ହୀନ କରିବା ସହ ସ୍ନାତକ ଶିକ୍ଷା ସମାପ୍ତ ପରେ ଉପଲବ୍ଧ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାର ଅବତାରଣା କରିଥିଲେ। ବିଭାଗୀୟ ଅଧ୍ୟାପିକା ପ୍ରମୋଦିନି ପରିଡ଼ା ବିଭାଗର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଅଧ୍ୟାପିକା ସୁଜାତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଦ୍ଵିତୀୟ ଅଧିବେଶନରେ ବରିଷ୍ଠ ଛାତ୍ରଛାତ୍ରୀ ମାନେ ନବାଗତ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କୌତୁହଳ ପ୍ରଶ୍ନ ପଚାରିଥିଲେ। ନବାଗତ ମାନେ ସେମାନଙ୍କ ଜୀବନର ଲକ୍ଷ୍ୟ ପ୍ରକାଶ କରିବା ସହ ରୁଚି ଅନୁସାରେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଚଳିତ ବର୍ଷ ନିମନ୍ତେ ପୂର୍ଣ୍ଣିମା ବେହେରା ଶ୍ରେଷ୍ଠ ନବାଗତା ଏବଂ ଶୁଭଙ୍କର ମହାନ୍ତି ଶ୍ରେଷ୍ଠ ନବାଗତ ଘୋଷିତ ହୋଇଥିଲେ। ଅଧ୍ୟାପକ ମନୋରଂଜନ ବେହେରା ଓ ଫକିର ମୋହନ ଲେଙ୍କା ମଞ୍ଚ ପରିଚାଳନା କରିଥିଲେ।

ଢେଙ୍କାନାଳ ଜିଲ୍ଲା ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର,

ଢେଙ୍କାନାଳ -ଜୋରନ୍ଦା ମହିମାଗାଦି ପୀଠର ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା; ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା.

ଢେଙ୍କାନାଳ,: ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସମ୍ବଲପୁର, ସଂଗ୍ରାମ କେଶରୀ ମହାପାତ୍ର (ଆଇଏଏସ୍‌), ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ଓ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାର ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମହିମାଗାଦି ପୀଠ ପରିଦର୍ଶନ କରି ସେଠାରେ ଚାଲୁଥିବା ମନ୍ଦିରର ନବୀକରଣ ଓ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଅନୁଧ୍ୟାନ କରିଥିଲେ। 

ନିର୍ମାଣ କାର୍ଯ୍ୟର ବିଭିନ୍ନ ବୈଷୟିକ ଦିଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅବଗତ ହେବା ସହ କାର୍ଯ୍ୟର ଅଗ୍ରଗତି ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବାର ଆଶା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ଏଥିସହ ଆଗାମୀ ପ୍ରସିଦ୍ଧ ମାଘ ମେଳାର ଆୟୋଜନ ସମ୍ପର୍କରେ ସେ ଜୋରନ୍ଦା ମହିମାଗାଦି ପୀଠର ସାଧୁସନ୍ଥ ଓ ବାବାମାନଙ୍କ ସହ ଆଲୋଚନା କରିଥିଲେ। ପୀଠର ଚାଲୁଥିବା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହେବ ଏବଂ ଖୁବ୍‌ଶୀଘ୍ର ଭକ୍ତ ଓ ଶ୍ରଦ୍ଧାଳୁମାନେ ଏକ ନୂତନ ରୂପରେ ସଜ୍ଜିତ ମନ୍ଦିର ଓ ଏହାର ପରିସର ଦେଖିବାକୁ ପାଇବେ ବୋଲି ସେ ସାଧୁସନ୍ଥମାନଙ୍କୁ ଆଶ୍ୱାସନା ଦେଇଥିଲେ। ଆଜିର ଗସ୍ତ ଓ ନିରୀକ୍ଷଣ ପରେ ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ସେବା ପ୍ରଦାନର ମାନକୁ ଶ୍ରୀ ମହାପାତ୍ର ଅତ୍ୟନ୍ତ ଉତ୍କୃଷ୍ଟ ବୋଲି ଅଭିହିତ କରିଥିଲେ। ଏଥିସହ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ତାଙ୍କର ସମଗ୍ର ଟିମ୍‌ର କାର୍ଯ୍ୟଶୈଳୀ ଓ ଜନକଲ୍ୟାଣମୂଳକ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀ ମହାପାତ୍ର କହିଥିଲେ ଯେ, ପୂର୍ବରୁ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଶ୍ରୀ ପାଟିଲଙ୍କ ଜନକୈନ୍ଦ୍ରିକ କାର୍ଯ୍ୟଧାରା ପାଇଁ ସେଠାକାର ଲୋକମାନେ ଆଜି ମଧ୍ୟ ତାଙ୍କୁ ମନେ ପକାଉଛନ୍ତି। ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ସେ ନିଜର କାର୍ଯ୍ୟଦକ୍ଷତା ଓ ନେତୃତ୍ୱର ପ୍ରମାଣ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ।

ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‌ଯାପିତ ୫କୋଟିର ବ୍ୟବସାୟ 

ଢେଙ୍କାନାଳ -ଢେଙ୍କାନାଳର ପ୍ରସିଦ୍ଧ ଗଜ ଲକ୍ଷ୍ମୀପୂଜା ଅବସରରେ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଆୟୋଜିତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। ଆରମ୍ଭରେ ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରାୟ ୫ କୋଟି ଟଙ୍କାରର ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ଉଦ‌ଯାପନୀ ସମାରୋହରେ ୫ କୋଟି ଟଙ୍କାର ବ୍ୟବସାୟ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ,ଆରକ୍ଷୀ ଅଧୀକ୍ଷକ ଆଜିକ୍ୟ ବାବୁରାଓ ମାନେ,ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର,ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହ‌ନ ବେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ,ଉପଜିଲ୍ଲାପାଳ ପଦ୍ମଚରଣ ସାହୁ ଓ ଓର୍‌ମାସର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସୁବଳ ଜେନାମଣି ଉପସ୍ଥିତ ଥିଲେ। ଢେଙ୍କାନାଳର ଦୁଇଟି ପ୍ରମୁଖ ଗଣପର୍ବ ଗଜଲକ୍ଷ୍ମୀ ପୂଜା ଓ ପଲ୍ମିଶ୍ରୀ ମେଳା ଏକ ସମୟରେ ଚାଲିଥିବା ସତ୍ତ୍ୱେ ଉଭୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏଥିପାଇଁ ଅତିଥିମାନେ ଢେଙ୍କାନାଳବାସୀଙ୍କ ସହଯୋଗକୁ ପ୍ରଶଂସା କରିବା ସହ ଆଗାମୀ ବର୍ଷ ମଧ୍ୟ ଏହି ସଫଳତା ବଜାୟ ରହିବ ବୋଲି ଆଶାବ୍ୟକ୍ତ କରିଥିଲେ। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାରେ ବିପୁଳ ଜନସମାଗ ସମାଗମ ସତ୍ତ୍ୱେ ସମସ୍ତ କାର୍ଯ୍ୟକ୍ରମ ଶାତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ସମସ୍ତ ପୂଜା କମିଟି ଓ ଢେଙ୍କାନାଳବାସୀଙ୍କ ସହ‌ଯୋଗକୁ ସେ ପ୍ରଶଂସା କରିଥିଲେ। ଉଦ‌ଯାପନୀ ସମାରୋହରେ ପଲ୍ଲିଶ୍ରୀ ମେଳାର ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଷ୍ଟଲ୍ ଗୁଡ଼ିକୁ ଅତିଥିମାନେ ପୁରସ୍କୃତ ଓ ସମ୍ବଦ୍ଧିତ କରିଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସରିଲା ବିଶ୍ୱପ୍ରସିଦ୍ଧ ଗଣପର୍ବ ଢ଼େଙ୍କାନାଳର ଗଜ ଲକ୍ଷ୍ମୀପୂଜା ଶେଷ ଦିନରେ ୭ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ 

ଢେଙ୍କାନାଳ-ବହୁ ପ୍ରତୀକ୍ଷା,ଭବ୍ୟ ଆୟୋଜନ,ଆଶା ଆଶଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ଶେଷ ହୋଇଛି। ମଙ୍ଗଳବାର ଶେଷ ଦିନରେ ଖଚାଖଚ୍ ଭିଡ଼ ହୋଇଥିଲା। ଲୋକ ମନଭରି ବୁଲବୁଲି,କିଣାକିଣି କରିବ। ସହ ଭଳିକି ଭଳି ଖାଦ୍ୟ ଓ ଦୋଳି ଖେଳିବାର ମଜା ଉଠାଇଛନ୍ତି। ମେଳା ସରିଥିବା ବେଳେ ଆଜି ବୁଧବାର ସକାଳୁ ଆରମ୍ଭ ହୋଇ ଯାଇଛି ମା’ଙ୍କୁ ମେଲାଣି ଦେବାର। ଜମିଲା କିଣାବିକା ମେଲୋଡିରେ କମ୍ପିଲା ସ‌ହର ଆୟୋଜନ ମନରେ ଅନେକ କଷ୍ଟକୁ ଚାପି ମା’ଙ୍କୁ ମେଲାଣି ଦେବେ ଢେଙ୍କାନାଳବାସୀ। ବିଶ୍ୱପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା ଗତ ୨୬ତାରିଖରୁ ଆରମ୍ଭ ହୋଇଥିଲା। ଏହାର ଦୁଇ ମାସ ଆଗରୁ ସାଜସଜ୍ଜା ଆରମ୍ଭ ହୋଇଯାଇଥିଲା। ମୀନାବଜାରରେ ଭାଟିକାନ ସିଟି ପ୍ରତିକୃତି, ଗଣେଶ ବଜାରରେ ଆକର୍ଷଣୀୟ ତୋରଣ,କୌବଲ୍ୟ ବଜାରରେ ଟିସୁ ପେପର୍‌ର ସୁନ୍ଦର ତୋରଣକୁ କଲେଜ ବଜାରରେ ଫୁଲର ମଣ୍ଡପ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଲାଇଟ୍‌ରେ ଝଲସି ଉଠୁଥିଲା ସହର ଆରମ୍ଭରୁ ବାତ୍ୟା ‘ଓର୍ଭାବ’ ଡରାଇଥିଲା। ୪ ଦିନ ବର୍ଷା ଯୋଗୁଁ ପୂଜା ଫିକା ପଡ଼ିଥିଲା। ବର୍ଷା ଛାଡ଼ିବା ପରେ ୨୯ ତାରିଖରୁ ପୂଜା ମଜା ଜୋର୍ ଧରିଥିଲା। ପ୍ରାୟ ୬ ଦିନ ଲୋକେ ବୁଲି ପୂଜା ବଜାରର ମଜା ଉଠାଇଥିଲେ। ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲ। ରବିବାର ୭ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ପୂଜା ବଜାରକୁ ସରଗରମ କରିଦେଇଥିଲା। ମଙ୍ଗଳବାର ମଧ୍ୟ ପ୍ରବଳ ଜନସମାଗମ – ଦେଖିବାକୁ ମିଳିଥିଲା। ଶେଷ ଦିନରେ ବିଭିନ୍ନ ସାମଗ୍ରୀ ଦର ଖସି ଥିବାରୁ ଲୋକେ ମନଭରି କିଣାକିଣି କରିଥିଲେ। ମଙ୍ଗଳବାର ରାତିରେ ପୂର୍ଣ୍ଣହୁତି ଦିଆଯାଇଥିଲା। ପ୍ରତ୍ୟେକ ମଣ୍ଡପରେ ପୂର୍ଣହୁତିର ସମୟ ଅତି ଭାବପୂର୍ଣ୍ଣ ରହିଥିଲା। ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଥିଲା। ରାତି ୧୨ଟା ପରେ ମେଲାଣି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା।

ଢେଙ୍କାନାଳର ପ୍ରସିଦ୍ଧ ମା’ ଗଜଲକ୍ଷ୍ମୀଙ୍କ ମିଳିତ ଭସାଣୀ ଉତ୍ସବ

ଢେଙ୍କାନାଳ -ବିଶ୍ୱପ୍ରସିଦ୍ଧ ମା’ ଗଜଲକ୍ଷ୍ମୀଙ୍କ ପୂଜା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି। ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୩ ପର୍ଯ୍ୟନ୍ତ ଚାଲିଥିବା ଦୀର୍ଘ ୧୦ ଦିନର ପୂଜା ପରେ ଆଜି ନଭେମ୍ବର ୪ ତାରିଖରେ ମିଳିତ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଛି। ଅଶ୍ରୁଳ ବିଦାୟ ନେଲେ ମା’ଗଜଲକ୍ଷ୍ମୀ। ଆଜି ୪୧ଟି ପୂଜା ମଣ୍ଡପ ପକ୍ଷରୁ ମା’ଙ୍କ ମେଲାଣି ଶୋଭାଯାତ୍ରା ବାହାରିଛି। ମୀନା ବଜାରରେ ଶୁଭାରମ୍ଭ: ମୀନାବଜାର ଠାରେ ଜିଲ୍ଲାପାଳ ନଡ଼ିଆ ଭାଙ୍ଗି ଭସାଣ ଉତ୍ସବର ଶୁଭାରମ୍ଭ କରିଥିଲେ। ପାରମ୍ପରିକ ବାଦ୍ୟ,ଆକର୍ଷଣୀୟ କଳାକୌଶଳ ଓ ନାଚଗୀତରେ ସାରା ସହର ଦୁଲୁକୁଛି। ମୂର୍ତ୍ତି ବିସର୍ଜନ ପାଇଁ ତିନୋଟି ଜଳାଶୟରେ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ପାଇଁ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ସହିତ ଭସାଣୀ ଉତ୍ସବର ପରମ୍ପରା ମଧ୍ୟ ନିଆରା।

କୃଷି କାର୍ଯ୍ୟ ପରିଚାଳନା ସଂପର୍କୀତ ଜିଲା ସ୍ତରୀୟ ଟାକ୍ସ ଫୋର୍ସ ବୈଠକ

ଢ଼େଙ୍କାନାଳ – ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ କୃଷି କାର୍ଯ୍ୟ ପରିଚାଳନା ସଂପର୍କୀତ ଏକ ଜିଲ୍ଲାସ୍ତରୀୟ ଟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ କୃ୍ଷିଭିତ୍ତିକ ଯୋଜନାକୁ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ପଢ଼ିହାରୀ ସମସ୍ତ କୃଷିଭିତ୍ତିକ କାର୍ଯ୍ୟ ପାଇଁ ଏକ ବିଶ୍ୱସନୀୟ ଭିତ୍ତିଭୂମି ପ୍ରସ୍ତୁତ କରିବା, କୃଷକ ପଞ୍ଜିକରଣରେ ଥିବା ତଥ୍ୟଗତ ତ୍ରୁଟି ଓ ଅସଙ୍ଗତି ଚିହ୍ନଟ କରି ସମାଧାନ କରିବା, ଭାଗଚାଷୀ, ପଟ୍ଟାଧାରୀ ଆଦି ସମସ୍ତ ବର୍ଗର ଚାଷୀଙ୍କୁ ପଞ୍ଜିକରଣ ପରିସରଭୁକ୍ତ କରିବା, ଭୌଗୋଳିକ ଅବସ୍ଥିତି ଆଧାରିତ ଜମି ରେକର୍ଡ ଓ ଡିଜିଟାଲ୍ ଫସଲ ସର୍ଭେର ସମନ୍ୱୟ ରକ୍ଷା କରିବା ସଂପର୍କରେ ଅବଗତ କରାଇଥିଲେ । ସର୍ଭେ, ଜମି ମ୍ୟୁଟେସନ୍, ପଞ୍ଜିକରଣ ଓ ଜମି ରେକର୍ଡ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ଆଣିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷି ତଥା ସହଯୋଗୀ ବିଭାଗର ବିଭିନ୍ନ ବ୍ୟବସ୍ଥା ସହ ସାଧାରଣ ମାନଦଣ୍ଡ ମାଧ୍ୟମରେ ତଥ୍ୟର ଆଦାନ ପ୍ରଦାନ ଓ ସମନ୍ୱୟ ସ୍ଥାପନ, ସମ୍ପୃକ୍ତ ବିଭାଗର ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା, ଯାଞ୍ଚ ହୋଇଥିବା କୃଷକ ପରିଚୟପତ୍ର ମାଧ୍ୟମରେ ସମସ୍ତ କୃଷକଙ୍କୁ ସରକାରୀ ଯୋଜନା ଓ କୃଷକ ଉପଯୋଗୀ ସେବା ସହଜରେ ଉପଲବ୍ଧ କରାଇବା,ବାରମ୍ବାର ଆବଶ୍ୟକ ହେଉଥିବା ଦସ୍ତାବିଜ୍ ଦାଖଲ ପ୍ରକ୍ରିୟାକୁ ହ୍ରାସ କରିବା, କୃଷି ସାମଗ୍ରୀ ଓ ସରକାରୀ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଅନୁସରଣଯୋଗ୍ୟ କରିବା,ଫସଲ ସମ୍ବନ୍ଧୀୟ ତଥ୍ୟ ଆଧାରରେ ବିହନ, ସାର ଓ କୀଟନାଶକର ଆବଶ୍ୟକତା ନିର୍ଦ୍ଧାରଣ କରିବା, ଫସଲ, ଜମିର ଅବସ୍ଥିତି, ମୃତ୍ତିକାର ପ୍ରକାର, ପାଣିପାଗ, କୃଷି-ଜଳବାୟୁ ମଣ୍ଡଳ ଓ ଜଳସେଚନ ବ୍ୟବସ୍ଥା ଆଧାରରେ ଫସଲ ଯୋଜନା ଓ ବ୍ୟକ୍ତିଗତ କୃଷି ପରାମର୍ଶ ପ୍ରଦାନ କରିବା, କୃଷି କ୍ଷେତ୍ରରେ ବିପଦକୁ ଆଗୁଆ ଚିହ୍ନଟ କରିବା କରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତି ଏବଂ କୃଷି ଉତ୍ପାଦନର ପୂର୍ବାନୁମାନ କରିବା, ଫସଲ ବୀମା ଯୋଜନାରେ କୃଷକଙ୍କ ନାମ ପଞ୍ଜିକରଣ ଓ ଫସଲ ଯାଞ୍ଚ ବ୍ୟବସ୍ଥାରେ ଉନ୍ନତି ଆଣିବା, ତଥ୍ୟ ଓ ପ୍ରମାଣ ଆଧାରରେ ଫସଲ କ୍ଷୟକ୍ଷତିର ଆକଳନ ଏବଂ ତାହାର ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରିବା, କୃଷି ପ୍ରକ୍ରିୟାକରଣ, ସଂଗ୍ରହ, ଗୋଦାମ ଘର, ଶୀତଳ ଭଣ୍ଡାର ଓ ପରିବହନ ବ୍ୟବସ୍ଥାର ଯୋଜନା ପ୍ରସ୍ତୁତ କରିବା, ବଜାର ଦର ସମ୍ବନ୍ଧୀୟ ସୂଚନା ଚାଷୀଙ୍କୁ ଉପଲବ୍ଧ କରାଇବା, କୃଷକ ଉତ୍ପାଦକ ସଂଗଠନ ଓ ଚାଷୀମାନଙ୍କୁ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣକାରୀ ସଂସ୍ଥା ଏବଂ କ୍ରେତାଙ୍କ ସହ ସଂଯୋଗ କରିବା,ଚାଷୀଙ୍କୁ ଉପଯୁକ୍ତ ସଂସ୍ଥାଗତ ଋଣ ଓ ଆର୍ଥିକ ସହାୟତା ସହଜରେ ଉପଲବ୍ଧ କରାଇବା, ଋଣ ପ୍ରଦାନ ପୂର୍ବରୁ କୃଷକଙ୍କ ଆର୍ଥିକ ସ୍ଥିତି ଓ ଋଣ ପରିଶୋଧ କ୍ଷମତାର ମୂଲ୍ୟାୟନ ବ୍ୟବସ୍ଥାରେ ଉନ୍ନତି ଆଣିବା, ତଥ୍ୟ ଓ ପ୍ରମାଣ ଆଧାରରେ ସରକାରୀ କୃଷି ଯୋଜନା ପ୍ରସ୍ତୁତି ଓ ସମ୍ବଳର ସୁବିନିଯୋଗ କରିବା, ଚାଷ ହୋଇଥିବା ଜମିର ପରିମାଣ ଓ ଫସଲ ଉତ୍ପାଦନର ଆକଳନ ଆଧାରରେ ସମ୍ବଳ ଆବଣ୍ଟନ କରିବା , ଅମଳ ଓ ଅମଳ ପରବର୍ତ୍ତୀ ଭିତ୍ତିଭୂମିରେ ଉପଯୁକ୍ତ ପୁଞ୍ଜିନିବେଶ କରିବା, ଅମଳ ପରବର୍ତ୍ତୀ ଫସଲ କ୍ଷତି ହ୍ରାସ କରିବା, ଚାଷୀଙ୍କ ପାଇଁ ବଜାର ସୁବିଧା ଓ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରାପ୍ତି ସୁନିଶ୍ଚିତ କରିବା, କୃଷକଙ୍କ ପଞ୍ଜିକରଣ, ଜମି ଓ ଫସଲ ତଥ୍ୟର ସଠିକତା, କୃଷି ସେବାର ସୁଗମ ଉପଲବ୍ଧତା ଏବଂ କୃଷକଙ୍କ ଆୟ ବୃଦ୍ଧି ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଶ୍ରୀ ଲଳିତ ମୋହନ ବେହେରାଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚ଼ନା କରିଥିଲେ ।

ନିଆଁରେ ପୋଡ଼ି ହୋଇ ଆଦିବାସୀ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କି କଟକ ବଡ଼ ମେଡିକାଲରେ ଚିକିତ୍ସାର ସୁବିଧା ନାହିଁ 

କାମାକ୍ଷାନଗର – ତୁମୁସିଙ୍ଗା ଥାନା ଅନ୍ତର୍ଗତ ରଘୁଆବୋଲ ସ୍କୁଲ ସାହିର ବସନ୍ତ ପୁର୍ତ୍ତିଙ୍କ ପୁଅ ଭୂତିଆ ପୁର୍ତ୍ତି (୪୬) ଗତ ତା୨୪/୧୦/୨୦୨୬ ରିଖ ଦିନ ଘର ପାଖରେ ଥିବା ଅଳିଆ ଆବର୍ଜନାରେ ନିଆଁ ଲଗାଉଥିବା ସମୟରେ ଅଳିଆରେ ଥିବା କିଛି କାଠ ବା ବସ୍ତୁ ବାଣ ପରି ଫୁଟିବାରୁ ତାଙ୍କ କପଡ଼ାରେ ନିଆଁ ଲାଗି ଯାଇଥିଲା। ଫଳରେ ତାଙ୍କ ଦେହର ଅନେକ ଭାଗ ପୋଡ଼ି ଯାଇଥିଲା। ବିଶେଷ କରି ତାଙ୍କ ହାତ, ଗୋଡ ଗୁରୁତର ଭାବେ ପୋଡ଼ି ଯାଇଥିଲା। ଘଟଣା ପରେ ପରିବାର ଲୋକ ତାଙ୍କୁ ପ୍ରଥମେ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ଓ୍ବାର୍ଡ ଥାଇ ମଧ୍ୟ ଏଠାରେ ତାଙ୍କର ଚିକିତ୍ସା କରାନଯାଇ ଡାକ୍ତର ତାଙ୍କୁ କଟକ ଏସସିବି ମେଡିକାଲକୁ ରେଫର୍ କରିଥିଲେ। ସେଠାରେ ଡାକ୍ତର କହିଲେ ଆମେ କଛି ପାରିବୁନି ତୁମେ ପ୍ରାଇଭେଟ୍ ମେଡିକାଲକୁ ଯାଇ I.C.ଉ. ରେ ଚିକିତ୍ସା କରାଅ । ଡାକ୍ତର ତାଙ୍କୁ ଚିକିତ୍ସା କରିବାକୁ ମନା କରିବାରୁ ସେ ସେହି ଗୁରୁତର ଅବସ୍ଥାରେ ଘରକୁ ଫେରି ଆସିଛନ୍ତି। ଚିକିତ୍ସା ଅଭାବରୁ କ୍ଷତ ଦିନକୁ ଦିନ ଆହୁରି ଗୁରୁତର ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ଓ୍ବାର୍ଡର ଏ.ସି. ଅଚଳ ଥିବାବେଳେ ଏଠାରେ ସାଧାରଣ ପୋଡାଜଳା ଆହାତଙ୍କୁ ବି ଚିକିତ୍ସା ମିଳୁନାହିଁ। ସବୁଠାରୁ ଦୁଃଖର ବିଷୟ ହେଉଛି କଟକ ଶ୍ରୀରାମଚନ୍ଦ୍ର ଭଂଜ ବଡ଼ ମେଡିକାଲ କଲେଜରେ ଏପରି ରୋଗୀଙ୍କୁ ଆଡ଼ମିଶନ ନକରିବା ଓ ଚିକିତ୍ସା ନକରିବା । ଭୂତିଆଙ୍କ ଚିକିତ୍ସା କରାନଗଲେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ଦରକାର ପଡ଼ିଲେ ତାଙ୍କ ଜୀବନ ଯାଇ ପାରେ ବା ହାତ କାଟିବାକୁ ପଡ଼ିପାରେ। ସରକାର ତୁରନ୍ତ ତାଙ୍କୁ ଚିକିତ୍ସା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି ।

ଢେଙ୍କାନାଳର ଧୀରପାଟଣା ଗ୍ରାମରେ ସର୍ବୋଚ୍ଚନ୍ୟାୟାଳୟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍ 

 ଢେଙ୍କାନାଳ- ମାନ୍ୟବର ସର୍ବୋଚ୍ଚନ୍ୟାୟାଳୟ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଧୀରପାଟଣା ଗ୍ରାମରେ ଇ-ସେବା ମୋବାଇଲ୍ ଭ୍ୟାନ୍ ଦ୍ବାରା ଆଭାସି ମାଧ୍ୟମରେ ସାକ୍ଷଗ୍ରହାଣ କାରାଯାଇଅଛି । ଏହି ମୋବାଇଲ୍ ଭ୍ୟାନ୍‌ଟିକୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳ ଠାରୁ ଧୀରପାଟଣା ଗ୍ରାମକୁ ଗ୍ରସ୍ତକରିଥିଲେ । ଏହି ସମୟ ରେ ଅନାନ୍ୟ ବିଚାରପତି ଏବଂ ଆଇନଜୀବୀ ଉପସ୍ଥିତ ରହିଥିଲେ । ଢେଙ୍କାନାଳ ଜିଲ୍ଲା ଉପଖଣ୍ଡ ବିଚାରବିଭାଗିୟ ମାଜିଷ୍ଟ୍ରେଟ ରେଙ୍ଗା ଧଳ ବିସୋଇ ଧୀରପାଟଣା ଗ୍ରାମରେ ଏକ ଫୌଜଦାରୀ ମାମଲାରେ ପାଞ୍ଚ ଜଣ ବରିଷ୍ଠ ନାଗରିକଙ୍କ ସାକ୍ଷ୍ଯ ରେକର୍ଡ ଭିଡିଓ କନ୍‌ଫରେଟିଂ ମାଧ୍ୟମରେ କରିଛନ୍ତି । ଫଳରେ ବୟସାଧିକ୍ୟ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଅଦାଲତକୁ ଯାତାୟାତ କରିବାରେ ସମସ୍ୟା ଭୋଗୁଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ନ୍ୟାୟିକ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିଛି।

ଗ୍ରାମାଞ୍ଚଳର ଲୋକମାନେ କିପରି ସହଜରେ ଆଇନଗତ ସହାୟତା ପାଇପାରିବେ ଏବଂ ନିଜର ନ୍ୟାୟିକ ଅଧିକାର ସମ୍ପର୍କରେ ଅବଗତ ହୋଇପାରିବେ, ସେନେ ଇ ଏହି ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ବିଭିନ୍ନ ସେବା ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି I ଏହି ଅବସରରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଉଥିବା ଶ୍ରଦ୍ଧାଳୁ, ଦର୍ଶକ ଓ ସାଧାରଣ ଜନତାଙ୍କୁ ଆଇନ ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ କରାଯାଉଛି। ନିଃଶୁଳ୍କ ଆଇନ ସହାୟତା, ନାଗରିକଙ୍କ ଅଧିକାର ଓ ନ୍ୟାୟ ପ୍ରାପ୍ତିର ସୁଯୋଗ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଜନହିତକର ପଦକ୍ଷେପ ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ବୃଦ୍ଧି ପାଇବା ସହ ନ୍ୟାୟ ପ୍ରାପ୍ତି ପ୍ରକ୍ରିୟା ଅଧିକ ସରଳ ଓ ସୁଗମ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ଆଇନ ସେବାକୁ ଲୋକଙ୍କ ଦ୍ବାରଦେଶରେ ପହଞ୍ଚାଇବା ଏବଂ ନ୍ୟାୟିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିବା ଦିଗରେ ଏହି ଇ-ସେବା ମୋବାଇଲ୍ ଭ୍ୟାନ୍ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ବିବେଚିତ ହେଉଛିI

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ପି.ଆଇ.ଏଲ.ଏଫ୍‌, ଭାରତ ଚାପ୍ଟରର ଅଧ୍ୟକ୍ଷ ହେଲେ  ଡ. ଭବାନୀ ଶଙ୍କର ନିଆଲ

Sunil Chandra Nayak

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିରେ ସ୍ୱଚ୍ଛତା ହି ସେବା ଅଭିଯାନ

masiha

ମା ମଙ୍ଗଳା ମନ୍ଦିର, ଶମ୍ଭୁ ନଗର ପଡା ବାର୍ଷିକ ଉତ୍ସବ ରେ ରୋଷେଇ ଗୃହ ର ଶୁଭ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!